ରାଜ୍ୟରେ ସର୍ବାଧିକ ସାପକାମୁଡା ପ୍ରବଣ ୧୦ ଜିଲ୍ଲାକୁ ଚିହ୍ନଟ କରିଛନ୍ତି ସରକାର । ୨୩୨ ପଞ୍ଚାୟତରେ ସାପକାମୁଡା ମୃତ୍ୟୁ ହ୍ରାସ ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ବର୍ଷା ଦିନରେ ବଢିଲାଣି ସାପ କାମୁଡା ଭୟ । ଓଡ଼ିଶାର ଚିର ସହଚର ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆହୁରି ମାରାତ୍ମକ ରୂପ ଧାରଣ କଲାଣି ସାପ କାମୁଡା । ରାଜସ୍ବ ବିଭାଗର ସୂଚନା ଅନୁଯାୟୀ, ପ୍ରତିବର୍ଷ ସାପକାମୁଡାରେ ଯାଉଛି ପ୍ରାୟ ୧୦୦୦ ଜଣଙ୍କ ଜୀବନ । ସାପ ଦଂଶନର ଭୟ ଯେତିକି ରହୁଛି, କିଛି ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣ୍ଟି ଭେନମର ଅଭାବ ସେତିକି ଚିନ୍ତା ବଢାଉଛି ।
ସର୍ପାଘାତର ଶିକାର ବ୍ୟକ୍ତି ବଡ ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ଅକାଳରେ ଜୀବନ ଚାଲି ଯାଉଛି । ଏହାକୁ ଏଡାଇବା ପାଇଁ ସ୍ନେକ ରେସ୍କ୍ୟୁ ପ୍ରୋଟେକସନ ଆପ୍ ଆଣିଛନ୍ତି । କେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ କାମୁଡା ଇଞ୍ଜେକସନ ଉପଲବ୍ଧ ଅଛି ? ସେନେଇ ସୂଚନା ଦେବ ଏହି ଆପ୍ । ଅନ୍ୟପଟେ କିଛି ସ୍ଥାନରେ ଗୁଣିଗାରେଡି ଭରସାରେ ରହୁଥିବାର ଜୀବନହାନି ହେଉଛି ।
ଗତ ୨ ଦିନରେ ରାଜ୍ୟରେ ସାପ କାମୁଡାରେ ୧୦ ଜଣଙ୍କ ମୃତ୍ୟୁ ଅଧିକ ଚିନ୍ତା ବଢାଇଛି । ମୟୂରଭଞ୍ଜ ବାଘଡା ଅଞ୍ଚଳରେ ଶୋଇଥିବା ବେଳେ ସାପ କାମୁଡ଼ାରେ ବାପା-ପୁଅଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ମାଲାଗୋଦାମପଡାରେ ସର୍ପାଘାତରେ ଯାଇଛି ଭାଇ-ଭଉଣୀଙ୍କ ଜୀବନ। ହସ୍ପିଟାଲ ନ ନେଇ ଅଣଦେଖା କରିବାରୁ ମାର କୋଳ ଖାଲି ହୋଇଯାଇଛି । ଅନ୍ୟପଟେ ବଲାଙ୍ଗୀରରେ ସାପ କାମୁଡାରେ ପୁଅ-ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ବର ସୋରରେ ସର୍ପ ଦଂଶନରେ ଆଖି ବୁଜିଛନ୍ତି ନାବାଳିକା । ଏସବୁ ଭିତରେ ବର୍ଷା ଦିନେ ଚିତି ସାପ ଠାରୁ ଅଧିକ ସତର୍କ ରହିବାକୁ କହିଛନ୍ତି ଡାକ୍ତର ।