Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୫୨ ଲକ୍ଷ

ଚଳିତ ବର୍ଷ ମେ’ରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ୧ ଲକ୍ଷ ୮୬ ହଜାର ୨୯୩ ବଢ଼ିଛନ୍ତି। ଫଳରେ ରାଜ୍ୟରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୫୨ ଲକ୍ଷ ୪୭ ହଜାର ୯୯୬ରେ ପହଞ୍ଚିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ମାସିକ ଗ୍ରାହକ ତଥ୍ୟ ରିପୋର୍ଟରୁ ଏହା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ଓଡ଼ିଶାରେ ୱାୟରଲେସ୍ ମୋବାଇଲ୍ ସେବା ଦେଉଥିବା ଚାରିଟି କମ୍ପାନି ମଧ୍ୟରୁ ତିନିଟି କମ୍ପାନି ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଗୋଟିଏ କମ୍ପାନି ଏହାର ପୁରୁଣା ଗ୍ରାହକଙ୍କୁ ହରାଇଛି। ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଜିଓ ମେ’ ମାସରେ ସର୍ବାଧିକ ୧ ଲକ୍ଷ ୫୪ ହଜାରରୁ ଅଧିକ ଗ୍ରାହକ ଯୋଡ଼ିଛି। ଫଳରେ କମ୍ପାନିର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧ କୋଟି ୬୨ ଲକ୍ଷରୁ ଅଧିକ ହୋଇଛି। ସୁନୀଲ ମିତ୍ତଲଙ୍କ ସଂସ୍ଥା ଭାରତୀ ଏୟାରଟେଲ୍ ଏହି ମାସରେ ୩୬୯୩ ନୂଆ ଗ୍ରାହକ ଯୋଡ଼ିବାରୁ କମ୍ପାନିର ମୋଟ୍ ଗ୍ରାହକ ସଂଖ୍ୟା ୧ କୋଟି ୨୦ ଲକ୍ଷରୁ ଅଧିକ ହୋଇଛି।

ଗ୍ରାହକ ସଂଖ୍ୟା ଦୃଷ୍ଟିରୁ ତୃତୀୟ ସ୍ଥାନରେ ଥିବା ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ଏହାର ୮୩୭୨ ପୁରୁଣା ଗ୍ରାହକଙ୍କୁ ହରାଇବାରୁ କମ୍ପାନିର ମୋଟD ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୫୬ ହଜାର ୯୦୬କୁ ହ୍ରାସ ପାଇଛି। ଭୋଡାଫୋନ୍ ଆଇଡିଆ ଏହି ମାସରେ ୧୮ ହଜାର ୮୪୨ ନୂଆ ଗ୍ରାହକ ଯୋଡ଼ିଛି। ତେଣୁ କମ୍ପାନିର ଗ୍ରାହକ ସଂଖ୍ୟା ୧୪ ଲକ୍ଷ ୨୩ ହଜାର ୪୭୩କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ରାଜ୍ୟର ଟେଲି ସାନ୍ଦ୍ରତା ୮୦.୮୭ ପ୍ରତିଶତକୁ ବଢ଼ିଛି।

ତଥାପି ଜାତୀୟ ହାର ୮୫.୩୬ ପ୍ରତିଶତଠାରୁ ଓଡ଼ିଶା ପଛୁଆ ରହିଛି। ତେଣୁ ଟେଲିକମ୍ ସଂଯୋଗ ପ୍ରଦାନ କରିବାରେ ଓଡ଼ିଶାକୁ ଆହୁରି ଅନେକ ଦୂର ଅତିକ୍ରମ କରିବାକୁ ରହିଛି। କେବଳ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ ଓ ରାଜସ୍ଥାନଠାରୁ ଓଡ଼ିଶାର ସ୍ଥିତି ଭଲ ରହିଛି। ଅନ୍ୟ ସବୁ ରାଜ୍ୟଗୁଡ଼ିକ ଓଡ଼ିଶାଠାରୁ ଆଗରେ ରହିଛନ୍ତି। ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ପଞ୍ଜାବ, କେରଳ, ହିମାଚଳପ୍ରଦେଶ ଓ ଦିଲ୍ଲୀରେ ଜନସଂଖ୍ୟାଠାରୁ ମୋବାଇଲ୍ ସଂଯୋଗ ଅଧିକ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ