Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ରିଜର୍ଭେସନ ଚାର୍ଟ

ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ଅନେକ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି। ସବୁଠାରୁ ବଡ଼ ପରିବର୍ତ୍ତନ ହେବ ସଂରକ୍ଷଣ ଅର୍ଥାତ୍ ରିଜର୍ଭେସନ ବ୍ୟବସ୍ଥାରେ। ଟିକେଟ ବୁକିଂ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ସୁବିଧାଜନକ କରାଯିବ। ଯାତ୍ରୀମାନେ ଟ୍ରେନ ଛାଡ଼ିବାର ଆଠ ଘଣ୍ଟା ପୂର୍ବରୁ ଜାଣିପାରିବେ ଯେ ସେମାନଙ୍କର ଟିକେଟ ନିଶ୍ଚିତ ବା କନ୍ଫର୍ମ ହୋଇଛି କି ନାହିଁ।

ବର୍ତ୍ତମାନ, ଟ୍ରେନ ଛାଡ଼ିବାର ଚାରି ଘଣ୍ଟା ପୂର୍ବରୁ ରିଜର୍ଭେସନ ଚାର୍ଟ ପ୍ରସ୍ତୁତ କରାଯାଏ, ଯାହାଦ୍ବାରା ଅପେକ୍ଷା ତାଲିକା ବା ଓ୍ବେଟିଂଙ୍ଗ ଲିଷ୍ଟରେ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପରିସ୍ଥିତି ସ୍ପଷ୍ଟ ନହେବା କାରଣରୁ ବିଶେଷକରି ଦୂରଦୂରାନ୍ତର ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୂତନ ସଂରକ୍ଷଣ ବ୍ୟବସ୍ଥା ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବର୍ତ୍ତମାନ ଏହି ସଂସ୍କାରଗୁଡ଼ିକର ସମୀକ୍ଷା କରିଛନ୍ତି ଏବଂ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ତତ୍କାଳ ଟିକେଟ ବୁକିଂ ପାଇଁ ନିୟମକୁ ମଧ୍ୟ କଡ଼ାକଡ଼ି କରାଯିବ। ରେଳବାଇ ବୋର୍ଡର ପ୍ରସ୍ତାବ ଅନୁଯାୟୀ, ଅପରାହ୍ନ ୨ଟା ପୂର୍ବରୁ ଛାଡ଼ିବାକୁ ଥିବା ଟ୍ରେନଗୁଡ଼ିକର ସଂରକ୍ଷଣ ଚାର୍ଟ ପୂର୍ବ ଦିନ ରାତି ୯ଟା ସୁଦ୍ଧା ପ୍ରସ୍ତୁତ କରାଯିବ। ଏହାଦ୍ବାରା ଓ୍ବେଟିଂ ଲିଷ୍ଟରେ ଥିବା ଲୋକମାନେ ସେମାନଙ୍କର କନ୍ଫର୍ମେସନ ଷ୍ଟାଟସ ପୂର୍ବରୁ ଜାଣିପାରିବେ। ଏହା ଆବଶ୍ୟକ ହେଲେ ସେମାନଙ୍କୁ ବିକଳ୍ପ ଯାତ୍ରା ବ୍ୟବସ୍ଥା କରିବାକୁ ସୁବିଧା ଯୋଗାଇପାରେ।

ରେଳମନ୍ତ୍ରୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି ଯେ ଟିକେଟ ବୁକିଂ ବ୍ୟବସ୍ଥା ସ୍ୱଚ୍ଛ, ସହଜ ଏବଂ ପ୍ରଭାବଶାଳୀ ହେବା ଉଚିତ। ଯାତ୍ରୀଙ୍କ ଅଭିଜ୍ଞତାକୁ କେନ୍ଦ୍ରରେ ରଖି ସମସ୍ତ ବ୍ୟବସ୍ଥାକୁ ଅତ୍ୟାଧୁନିକ କରାଯିବା ଉଚିତ। ଟିକେଟ ବୁକିଂ ଠାରୁ ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ଯାତ୍ରୀ ଅନୁକୂଳ ହେବା ଉଚିତ। ନୂତନ ସଂରକ୍ଷଣ ବ୍ୟବସ୍ଥାକୁ ସହଜ କରିବାର ଦାୟିତ୍ୱ ସୂଚନା ପ୍ରଣାଳୀ କେନ୍ଦ୍ରକୁ ଦିଆଯାଇଛି। ନୂତନ ବ୍ୟବସ୍ଥା ବର୍ତ୍ତମାନର କ୍ଷମତା ଅପେକ୍ଷା ପ୍ରାୟ ଦଶ ଗୁଣ ଅଧିକ ସକ୍ଷମ ହେବ।

ବୁକିଂ କ୍ଷମତା ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ, ଗୋଟିଏ ମିନିଟରେ ୩୨,୦୦୦ ଟିକେଟ ବୁକ୍ ହୁଏ। କିନ୍ତୁ ନୂଆ ବ୍ୟବସ୍ଥାରେ, ଦେଢ଼ ଲକ୍ଷରୁ ଅଧିକ ଟିକେଟ ବୁକ୍ ହେବ। ଇନ୍କ୍ବାରୀ କ୍ଷମତା ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ, ପ୍ରତି ମିନିଟରେ ୪ ଲକ୍ଷ ଇନ୍କ୍ବାରୀ କ୍ଷମତା ରହିଥିବା ବେଳେ ନୁଆ ବ୍ୟବସ୍ଥା ଲାଗୁ ହେବା ପରେ ଏହା ୪୦ ଲକ୍ଷକୁ ବୃଦ୍ଧି ପାଇବ। ନୂଆ ବ୍ୟବସ୍ଥାରେ ଆହୁରି ଅନେକ ସୁବିଧା ମଧ୍ୟ ରହିବ। ଅନେକ ଭାରତୀୟ ଭାଷାରେ ରିଜର୍ଭେସନ ଫର୍ମ ପୂରଣ କରାଯାଇପାରିବ। ଆପଣଙ୍କ ପସନ୍ଦର ସିଟ୍ ବାଛିବାର ବିକଳ୍ପ ମଧ୍ୟ ରହିବ। ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ପାଇଁ ବିଶେଷ ସୁବିଧା ରହିବ। ଏକ ଭଡ଼ା କ୍ୟାଲେଣ୍ଡର ରହିବ, ଯାହା କହିବ ଯେ କେଉଁ ଦିନର ଭଡ଼ା କେତେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ