ଶରଧାବାଲିରେ ଦଳାଚକଟାରେ ତିନି ଜଣଙ୍କ ଜୀବନ ଯିବା, କେମିତି ଘଟିଲା ଏତେ ବଡ ଅଘଟଣ? କଣ ଥିଲା ପୂରା ସ୍ଥିତି


ଶରଧାବାଲିରେ ଦଳାଚକଟାରେ ତିନି ଜଣଙ୍କ ଜୀବନ ଯିବା । ଆଉ କିଛି ଶ୍ରଦ୍ଧାଳୁ ଆହତ ହେବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । କେମିତି ଘଟିଲା ଏତେ ବଡ ଅଘଟଣ? କଣ ଥିଲା ପୂରା ସ୍ଥିତି ..

ଶନିବାର ରାତି ପ୍ରାୟ ସାଢ଼େ ୧୨ଟା ତିନି ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହୁଡ଼ ପଡିଥିଲା । ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ରଥ ବାହାରେ ଅପେକ୍ଷା କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ ।ସମୟ ଗଡ଼ିବା ସହ ଭିଡ଼ ବଢ଼ିଥିଲା । କେତେବେଳେ ପହୁଡ଼ ଖୋଲିବ, ଆଉ ତିନି ଠାକୁରଙ୍କୁ ଦର୍ଶନ କରିବେ ।

ଭୋର୍ ୩ଟା ୪୫
ସୁଭଦ୍ରାଙ୍କ ପହୁଡ଼ ଖୋଲିଲା
ପ୍ରଥମେ ଦେବୀ ସୁଭଦ୍ରାଙ୍କ ପହୁଡ଼ ଖୋଲିଥିଲା । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଜୟଜଗନ୍ନାଥ ଧ୍ବନି ସାଙ୍ଗକୁ ରଥ ଆଡ଼କୁ ମାଡ଼ି ଆସିଲେ । ଏହାରି ଭିତରେ ଚାରମାଳ କାଠ ବୋଝେଇ ଏକ ଟ୍ରକ୍ ହଠାତ୍ ଭିଡ଼ ଭିତରକୁ ପଶିଯାଇଥିଲା । ଠିକ୍ ପରେ ଭୋର୍ ୪ଟା ବେଳକୁ ଖୋଲିଥିଲା ଶ୍ରୀଜଗନ୍ନାଥଙ୍କ ପହୁଡ଼। କାଳିଆ ଠାକୁରଙ୍କ ଦର୍ଶନ ପାଇଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଭିଡ଼ । ଗୋଟିଏ ପଟେ ଅସମ୍ଭାଳ ଭିଡ଼ ଓ ଅନ୍ୟପଟେ ସେହି ସମୟରେ ଟ୍ରକରୁ ଚାରମାଳ କାଢ଼ିବା ବେଳେ ଆରମ୍ଭ ହୋଇଥିଲା ଠେଲାପେଲା ସ୍ଥିତି । ଯିଏ ଯୁଆଡ଼େ ପାରିଲା ଦୌଡ଼ିବାରେ ଲାଗିଲେ। ସ୍ଥିତି ଏପରି ହେଲା ଯେ କିଛି ତଳେ ପଡ଼ିଗଲେ। ଆଉ ସେମାନଙ୍କୁ ଦଳି ଦେଇ ଦୌଡ଼ିବାକୁ ଲାଗିଲେ ଶ୍ରଦ୍ଧାଳୁ । ରଥ ଚାରିପଟେ କିଛି ପୁଲିସ କର୍ମଚାରୀ ଥିଲେ ବି ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଘଟଣା ସମୟରେ ୫୦୦ରୁ ଅଧିକ ଶ୍ରଦ୍ଧାଳୁ ପ୍ଲାଷ୍ଟିକ୍ ଦରି ଉପରେ ବସିଥିବା ବେଳେ ଏହି ଅଘଟଣ ଘଟିଥିଲା । ଫଳରେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ ।

ଦଳାଚକଟା ପରେ ଆହତ ଶ୍ରଦ୍ଧାଳୁଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଆହତ ଶ୍ରଦ୍ଧାଳୁ । ପୁରୀ ବଡ଼ଦାଣ୍ଡରେ ଏତେ ବଡ଼ ଅଘଟଣ ଘଟିବା ନେଇ କେହି ଅନୁମାନ କରିନଥିବେ । ଆଖି ଆଗରେ ଲୋକଙ୍କୁ ଦଳିଯାଉଥିବା ଦୃଶ୍ୟ ଦେଖି, ସ୍ତବ୍ଧ ଶ୍ରଦ୍ଧାଳୁ । ଯିଏ ଏହି ଘଟଣାକୁ ଦେଖିଛି, ସେହି ବୟାନ କରିପାରିବ, କେତେ ଭୟଙ୍କର ଥିଲା ସେହି ମୁହୂର୍ତ୍ତ ।