ଦୁର୍ନୀତିରେ ଉବୁଟୁବୁ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍. ଅଧକିଲୋ ସୁନା ଓ ୫୭ ଏକର ଫାର୍ମହାଉସ୍ ଦେଖି ଭିଜିଲାନ୍ସ ଅଧିକାରୀ ବି ତାଜୁବ


ଦୁର୍ନୀତିରେ ଉବୁଟୁବୁ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ । ବାବୁଙ୍କ ଉଭା ଯେତିକି ପୋତା ସେତିକି । ଅଧକିଲୋ ସୁନା ଓ ୫୭ ଏକର ଫାର୍ମହାଉସ୍ ଦେଖି ଭିଜିଲାନ୍ସ ଅଧିକାରୀ ବି ତାଜୁବ । ଲୋକଙ୍କୁ ଲୁଟି ଲୁଟି ଦୁର୍ନୀତିର ପାହାଡ଼ ଉପରେ ରାଜ କରୁଥିବା ବାଗ୍ ବାବୁଙ୍କ କିନ୍ତୁ ବେଳା ପଡ଼ିଲା ଖରାପ ।

ବନ୍ଧା ହେଲା ପରେ ହାତ ଯୋଡ଼ି ନେହୁରା ହୋଇଛନ୍ତି ବାଗ୍ ବାବୁ । ଲୋକମାନେ ତାଙ୍କ କାର୍ଯ୍ୟାଳୟ ଆଗରେ ଟିକିଏ କାମ ପାଇଁ ଆଣ୍ଠୁ ଭାଙ୍ଗି ଦିନ ଦିନ ଅପେକ୍ଷା କରୁଥିଲେ , ହାତ ଯୋଡୁଥିଲେ । ହେଲେ ବାବୁ କିନ୍ତୁ ଟଙ୍କା ନ ଖାଇଲେ ଫାଇଲ୍ ଘୁଞ୍ଚାଉନଥିଲେ । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ସରକାରୀ ଗାଦିରେ ବସି ଟଙ୍କା ଖାଇ ଟିଙ୍କ ଭଳି ଫୁଲି ଯାଇଥିଲେ । ଏ ବାଗ୍ ବାବୁଙ୍କ କାରନାମା ଦେଖି ଭିଜିଲାନ୍ସ ବି ଘାବରାଇ ଯାଇଛି । ବାବୁଙ୍କ ଘର ତ ନୁହେଁ ଯେମିତି ସୁନା ଦୋକାନ । ମୁଦିରୁ ମଙ୍ଗଳସୂତ୍ର, ଚୁଡ଼ିରୁ ନେଇ ଚୋକର, କାନଫୁଲରୁ କଙ୍କଣ । ବାବୁଙ୍କ ଘରେ ଖଚାଖଚ୍ ସୁନା । ଖାଲି ଏତିକି ନୁହେଁ ବାବୁଙ୍କୁ ଘାରିଥିଲା ଜମିଦାରୀ ନିଶା । ୫୭ ଏକରର ଫାର୍ମହାଉସରେ ମଉଜ କରୁଥିଲେ ବାଗ୍ ବାବୁ ।

ଖାଲି ଏତିକି ନୁହେଁ ଭୁବନେଶ୍ବର ଗୋଠପାଟଣାରେ ୩ ବିଏଚ୍‌କେ ଫ୍ଲାଟ୍ । ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନିରେ ବିଶାଳ ବିଲ୍ଡିଂ । ନବରଙ୍ଗପୁରରେ ମାର୍କେଟ୍ କମ୍ପ୍ଲେକ୍ସ ସହ କୋଠା । ଜମିଜମା କାଗଜପତ୍ର, ବେନାମୀ କାର୍ । ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ । କୋଟିପତି ବାବୁଙ୍କ ବ୍ୟାଙ୍କ ଲକ୍‌ର ଏବେ ବି ଖୋଲାଯାଇନି । ଏନଆରଇଜିଏସ ପ୍ରକଳ୍ପରେ ୨୦ ଜଣଙ୍କ ପୋଖରୀ ଖୋଳିବା ଆଳରେ ୨୩ ଲକ୍ଷ ଖୋଳ କରିଥିବା ୪ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ହେଲେ ମାଷ୍ଟରମାଇଣ୍ଡ ଦୟାନିଧି ଭିଜିଲାନ୍ସକୁ ଚକ୍‌ମା ଦେଇ ଖସି ଯାଇଥିଲେ । ମାଳ ମାଳ ପିଟିସନ୍ ପଡ଼ିବା ପରେ ଏବେ ବାଗଙ୍କ ଖେଳ ଖତମ ।