Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ରାଜ୍ୟରେ ଚକାଜାମ

୬ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନର ଏ ହେଉଛି ବାସ୍ତବତା । ଷ୍ଟାଣ୍ଡରେ ବସ୍, ଅଟୋ ଭର୍ତ୍ତି, ରାଜରାସ୍ତା କିନ୍ତୁ ଖାଁ ଖାଁ । ସାରା ରାଜ୍ୟରେ କିଛି ଏମିତି ସ୍ଥିତି ଦେଖିବାକୁ ମିଳିଛି । ଯାହାର ପ୍ରଭାବ ସିଧାସଳଖ ଯାତ୍ରୀଙ୍କ ଉପରେ ପଡିଛି । ବ୍ରହ୍ମପୁରର ଭଗବାନ ସାହୁ ଭୁବନେଶ୍ବରରେ ପରୀକ୍ଷା ଥିବାରୁ ଘରୁ ସହଳ ବାହାରିଥିଲେ ।

ହେଲେ ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପରେ ଭୁବନେଶ୍ବରକୁ ଗାଡି ଗଡୁନଥିବା ଜାଣିବାକୁ ପାଇଥିଲେ । ଡ୍ରାଇଭରଙ୍କ ଆନ୍ଦୋଳନ ତାଙ୍କର ସବୁ ସ୍ବପ୍ନରେ ଯେମିତି କଳାବାଦଲ ଢାଙ୍କି ଦେଇଛି । ଭଗବାନ ମୁହଁରେ କେବଳ ଗୋଟିଏ କଥା ଥିଲା, ମୋତେ ଭୁବନେଶ୍ବରରେ ପହଞ୍ଚାଇ ଦିଅ । ଉପାନ୍ତରୁ ଉପକୂଳ, ଆନ୍ଦୋଳନର ପ୍ରଭାବ ଜଳଜଳ ଦିଶୁଛି। କିଏ କଲେଜ ଯାଇପାରିନି ତ ପୁଣି କିଏ ହସ୍ପିଟାଲରେ ପହଞ୍ଚିପାରିନି ।

ଡ୍ରାଇଭରଙ୍କ ଆନ୍ଦୋଳନ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ପୂରା ଠପ୍ କରିଦେଇଛି । ଆନ୍ଦୋଳନରୁ ବର୍ତ୍ତିନାହିଁ ସରକାରୀ ବସ୍ । ମଝି ରାସ୍ତାରେ ସରକାରୀ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି । ଫଳରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ କାହିଁକି ଧନ୍ଦି ହେବେ ସାଧାରଣ ଲୋକ?
ଆନ୍ଦୋଳନ ଆଳରେ ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇବା କେତେ ଦୂର ଠିକ୍? ମଝି ରାସ୍ତାରେ ସରକାରୀ ଗାଡିକୁ ଅଟକାଇବାକୁ ଡ୍ରାଇଭରଙ୍କୁ କିଏ ଦେଲା ଅଧିକାର?

ପ୍ରତିଥର ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ସରକାରଙ୍କ ଉପରେ ଚାପ ପକାଇ ଆଲୋଚନା ଜରିଆରେ ଡ୍ରାଇଭର ସଂଘ ନିଜର ଦାବି ପୂରା କରି ନେଉଛି । କିନ୍ତୁ ଏହି ଆନ୍ଦୋଳନ ପାଇଁ ଭଗବାନଙ୍କ ଭଳି ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ