Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଡ଼ା ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା

ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଆଜି ଅପରାହ୍ଣରେ ଏକ ଘୂର୍ଣ୍ଣିବଳୟ ରହିଥିଲା। ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସନ୍ଧ୍ୟାରେ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ସେହିପରି ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ରହିଛି। ଯୋଡ଼ା ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ। ୧୫ ତାରିଖ ଅପରାହ୍ଣ ବେଳକୁ ବର୍ଷା ପରିମାଣ ସାମାନ୍ୟ କମିବାକୁ ଥିଲେ ମଧ୍ୟ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ତେଣୁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ନୟାଗଡ଼, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଜୁଲାଇ ୧୮ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। କଳାହାଣ୍ତିର ଟିଏଚ୍ ରାମପୁରରେ ୭ ସେମି, କଟକର କଣ୍ଟପଡ଼ାରେ ୬ ସେମି, କେନ୍ଦୁଝରର ଶାଳପଡ଼ା, ମୟୂରଭଞ୍ଜର ରାସଗୋବିନ୍ଦପୁର, ଚାନ୍ଦୁଆ କୁଳିଅଣା, ସୁନ୍ଦରଗଡ଼ର ଟେନ୍ସା ଓ ନୟାଗଡ଼ରେ ୫ ସେମି ଲେଖାଏଁ ବର୍ଷା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ