ବାଲେଶ୍ୱର ପୀଡିତାଙ୍କୁ ନେଇ ଉଠୁଛି ପଡୁଛି ରାଜ୍ୟ । ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣାକୁ ନେଇ ବିରୋଧୀଙ୍କ ହଲ୍ଲାବୋଲ ଚାଲିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଳମ୍ୱିତ ରାତି ଯାଏ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ ।
ବିଜେପି ରାଜ୍ୟ ସଭାପତି ଓ କିଛି ବିଜେପି ବିଧାୟକ ମଧ୍ୟ ଆଲୋଚନାରେ ସାମିଲ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ଜଣାପଡିନାହିଁ । ତେବେ ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଚାଲିଥିବାରୁ ସେ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି ।
ମଙ୍ଗଳବାର ବି ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । ରାତି ପ୍ରାୟ ୧୧ଟାରେ ବିଜେପି ଅଫିସ୍ରେ ଚାଲିଥିବା ବୈଠକ ଶେଷ ହୋଇଥିଲା । ଏହାପରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ବାଲେଶ୍ୱର ଘଟଣାରେ ରାଜ୍ୟ ସରକାର କଠୋରରୁ କଠୋର ପଦକ୍ଷେପ ଆରମ୍ଭରୁ ନେଇଥିଲେ । ଯେଉଁଥି ପାଇଁ ପ୍ରମୁଖ ଦୁଇ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେମାନଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି, ଘଟଣାରେ ଯେଉଁମାନେ ସମ୍ପୃକ୍ତ ସମସ୍ତେ ଦଣ୍ଡିତ ହେବେ । ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବାଲେଶ୍ୱର ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ଆଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଘଟଣା ଯେମିତି ଭବିଷ୍ୟତରେ ରାଜ୍ୟର କୌଣସି କଲେଜରେ ନଘଟେ ସେନେଇ ସରକାର ଚେଷ୍ଟିତ ଅଛନ୍ତି । ହେଲେ ଗତକାଲିର ବୈଠକରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।