ବଳଙ୍ଗା ନାବାଳିକା ପୋଡ଼ି ଘଟଣା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବାଲେଶ୍ବର ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ବଳଙ୍ଗା ଘଟଣା ସବୁଠି ଆଲୋଚନାର ବିଷୟ ହୋଇଛି । ତେବେ ଘଟଣାସ୍ଥଳରୁ ଯାହା ସାମନାକୁ ଆସିଛି ତାହା ରହସ୍ୟକୁ ବଢ଼ାଇ ଦେଇଛି ।
ଝିଅଟି ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ଘଟଣାସ୍ଥଳରୁ ଯାହା ସାମନାକୁ ଆସିଛି ତାହା ଅତି ଚିନ୍ତାଜନକ ।ପୁଲିସ ଓ ସାଇଣ୍ଟିଫିକ୍ ଟିମର ଯାଂଚ କରିବା ସମୟରେ ଘଟଣାସ୍ଥଳରୁ ମିଳିଛି ଭଙ୍ଗାଚୁଡ଼ି, କିରାସିନି ବୋତଲ, ଦିଆସିଲି ଖୋଳ, ପୋଡ଼ା ଡ୍ରେସ୍, ଚପଲ, ରୁପା ମୁଦି, ଚକୋଲେଟ୍ ଜରି। ଏସବୁକୁ ଜବତ କରି ନାବାଳିକାକୁ ଜାଳିଦେବା ପଛର ରହସ୍ୟ ଖୋଜୁଛି ପୁଲିସ ।
ଘଟଣସ୍ଥଳରୁ ଏସବୁ ସାମଗ୍ରୀ ମିଳିବା ପରେ ସନ୍ଦେହ ବଢ଼ି ଯାଇଛି । ରୁପା ମୁଦି ଓ ଚକୋଲେଟ୍ ଘଟଣାସ୍ଥଳକୁ କେମିତି ଆସିଲା? ଏହାକୁ କିଏ ଓ କାହା ପାଇଁ ଆଣିଥିଲେ? କିରୋସିନ ମିଳିବା ପଛରେ ହତ୍ୟା ପାଇଁ ପୂର୍ବରୁ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି । ମାମଲାର ଗୁରୁତ୍ବ ଦୃଷ୍ଟିରୁ ଘଟଣାସ୍ଥଳରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁଲିସ୍ ୬ଜଣିଆ ୨ଟି ଟିମ୍ ଗଠନ କରିଛି । ୨ଟି ଟିମ୍ ସ୍ବତନ୍ତ୍ର ଭାବେ ଅଲଗା ଅଲଗା ମାମଲାର ତଦନ୍ତ କରୁଛନ୍ତି । ୧୦ଜଣଙ୍କୁ ଅଟକି ରଖି ପଚରାଉଚୁରା କରାଯାଉଛି । ବଳଙ୍ଗା ହରିପୁର ରୋଡରେ ଥିବା ସମସ୍ତ ସିସିଟିଭିର ଯାଂଚ କରୁଛନ୍ତି ତଦନ୍ତକାରୀ ଟିମ୍ ।
ପୀଡିତା ନାବାଳିକାଙ୍କ ଘର ପାଖରୁ ୫ଶହ ମିଟର ଦୂରରେ ନିଆଁ ଲଗାଯାଇଥିବାରୁ ରହସ୍ୟ ବଢ଼ିଛି । ମ୍ୟାପ୍ ସୂଚନା ଅନୁସାରେ ଘର ପାଖରୁ କିଛି ଦୂରରେ ଥିବା ଭାର୍ଗବୀ ନଦୀ ବନ୍ଦ କଡରେ ଯୁବତୀ ଜଣଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ତାପରେ ଏହି ବାଟ ଦେଇ ଜଳି ଜଳି ଆସୁଥିବାବେଳେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ ।
ଏସବୁ ଭିତରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବଳଙ୍ଗା ଥାନାରେ ଏତଲା ଦିଆଯାଇଛି । ବଳଙ୍ଗା ପୁଲିସ ଏତଲା ଆଧାରରେ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି ।