Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁରୁକୁରେ ଖାଇବାକୁ ଦେଇ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ପୁରୀ ଜିଲାର ସତ୍ୟବାଦୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଶନିବାର ମଧ୍ୟାହ୍ନରେ ୫ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ କୁରୁକୁରେ ଦେଇ ଦୋକାନ ଭିତରେ ବଳାତ୍କାର କରାଯାଇଥିବା ଅଭିଯୋଗ ରବିବାର ସତ୍ୟବାଦୀ ଥାନାରେ ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ, ପୀଡ଼ିତା ଗ୍ରାମର ଏକ ଦୋକାନକୁ ରୋଷେଇ ମସଲା ଆଣିବାକୁ ଯାଇଥିବା ବେଳେ ୫୩ ବର୍ଷୀୟ ଦୋକାନୀ ତାଙ୍କୁ ଦୁଇ ପ୍ୟାକେଟ କୁରୁକୁରେ ଦେଇ ଦୋକାନ ଭିତରକୁ ଡାକି ନେଇଥିଲେ। ପରେ ସେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏହି ଘଟଣା ସମ୍ପର୍କରେ ତାଙ୍କ ମାଆଙ୍କୁ ଜଣାଇଥିଲେ। ମାଆ ତୁରନ୍ତ ସତ୍ୟବାଦୀ ଥାନାରେ ଅଭିଯୋଗ ଦାୟର କରିଥିଲେ।

ଅଭିଯୋଗ ପାଇବା ମାତ୍ରେ ସତ୍ୟବାଦୀ ପୋଲିସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ଦୋକାନୀଙ୍କୁ ଗିରଫ କରିଛି। ପୋଲିସ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସତ୍ୟବାଦୀ ଥାନାରେ କେସ୍ ନମ୍ବର ୧୨୮/୨୫ ରୁଜୁ କରାଯାଇଛି।

ସତ୍ୟବାଦୀ ଥାନାର ଆଇଆଇସି ବିଜୟ କେତନ ବେହେରା କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ପୋସ୍କୋ ଅଦାଲତରେ ହାଜର କରାଯିବ। ଘଟଣାର ତଦନ୍ତ ଜାରି ରହିଛି ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।