ଯମ ଜଗିଛି ବଡରମା ଘାଟି:ବାଇକ୍ ଦୁର୍ଘଟଣାରେ ପୁଣି ଜଣେ ମୃତ, ୨ ଗୁରୁତର


ସମ୍ବଲପୁର:ସମ୍ବଲପୁର କଲିକତା ଜାତୀୟ ରାଜପଥ ର ବଡରମା ପଥ ଏବେ ସାଜିଛି ମରଣ ଯନ୍ତା। କ୍ଷଣି କ୍ଷଣିକେ ବଢୁଛି ଦୁର୍ଘଟଣା। ଚାଲିଯାଉଛି ଜୀବନ। ମାସେ ଭିତରେ କେତେଯେ ଧନ ଜୀବନ ନଷ୍ଟ ହୋଇଛି ତାହାର ଆକଳନ କରିବା ଆଉ ସହଜ ହେଉନି। ଯେମିତି ଜଗିଛି ଯମ। ଆଉ ଯମକୁ ସ୍ୱାଗତ ଜଣାଇ ଏହି ସମ୍ବେଦନଶିଳରାସ୍ତା ଉପରେ ଜାତୀୟ ରାଜପଥ ପ୍ରାଧିକରଣ ଆଖି ମୁଜି ଦେଇଥିବାରୁ ଯାତ୍ରୀଙ୍କ ପାଇଁ ବଡରମା ସାଜିଛି କାଳ। ଗତ ଶନିବାର ସନ୍ଧ୍ୟାର ମର୍ମାଦୁନ୍ତ ଦୁର୍ଘଟଣା ଦୁଃଖ ନଲିଭୁନୁ ସୋମବାର ଅପରାହ୍ନର ଘଟଣା ପୁଣି ଠାରେ ଛାତି ଦୋହଲାଇ ଦେଇଛି।
ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ ବାଇକ୍ ଦୁର୍ଘଟଣାରେ ବାଇକ୍ ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ବାଇକ୍ ପଛରେ ବସିଥିବା ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସମ୍ୱଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଗୌଡ଼ପାଲି ପୋଲିସ ପହଞ୍ଚି ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇବା ସହିତ ସଦର ଡ଼ାକ୍ତରଖାନାକୁ ଯାଇ ଗୁରୁତର ଆହତ ମାନଙ୍କୁ ଭେଟି ତଦନ୍ତ ଜାରି ରଖିଛନ୍ତି।
ତେବେ ସୂଚନା ଅନୁସାରେ ଧନୁପାଲି ଥାନା ଅନ୍ତର୍ଗତ ନକ୍ସାପାଲି ଗ୍ରାମର ହିମାନ୍ଦ୍ରୀ ସାହାଣୀଙ୍କ ପୁଅ ରାଜନ୍ ସାହାଣୀ ଓ ଗ୍ରାମର ଅନ୍ୟ ଦୁଇ ଜଣ ଯୁବକ ଓମ୍ ବାଗ ଏବଂ ସୁମନ୍ତ ବାଗ ଏକ ବାଇକ୍ ଓଡ଼ି ୧୫ ଏବି ୩୩୫୩ ଯୋଗେ ଜମନକିରା ନିକଟସ୍ଥ ମୁକ୍ତେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ବାଟରେ ବଡ଼ରମା ଘାଟି ଗଡାଣୀ ରେ ଦୃତ ଗତିରେ ବାଇକ୍ ଚଳାଇ ଘାଟି ଓହ୍ଲାଇବା ବେଳେ ଭାରସାମ୍ୟ ହରାଇ ଏକ ଅଜଣା ଗାଡ଼ିସହ ଧକ୍କା ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ରାଜନ୍ ସାହାଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଓମ୍ ଓ ସୁମନ୍ତ ଉଭୟେ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଅବଗତ ହୋଇ ଏନଏଚଏଆଇ ଆମ୍ବୁଲାନ୍ସ ଆସି ତୁରନ୍ତ ଗୁରୁତର ମାନଙ୍କୁ ଡାକ୍ତରଖାନା ନେଇଥିଲା।
ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ ରାଜନ୍ ସାହାଣୀ ଦୃତ ଗତିରେ ଓ ବେପରୁଆ ଭାବେ ଗାଡ଼ି ଚଳାଇ ଗତ ସପ୍ତାହରେ ପୋଲିସ ଚେକିଂ ରେ ପଡ଼ି ତା ନାଁରେ ଚାଲାଣ କଟିଛି।ତେବେ ଗୌଡପାଲି ଠାରୁ ଜମନକିରା ରାସ୍ତାରେ ପ୍ରତ୍ୟହ ଦୁର୍ଘଟଣା ଘଟୁଅଛି।ରାସ୍ତା ଅବସ୍ଥା ଯାହା ହୋଇଛି ସେଥିରେ ପୁଣି ରାସ୍ତା ନିର୍ମାଣ ପାଇଁ ଅର୍ଥ ଅନୁଦାନ ରାଶି ଅନୁମୋଦନ ହେବା ସତ୍ତ୍ୱେ ଏହି ରାସ୍ତା ପାଇଁ ଟେଣ୍ଡର ପାଇଁ ବିଳମ୍ଭ ଘଟୁଛି। ରାସ୍ତା ଦୁର୍ଘଟଣା ଏଡାଇବା ପାଇଁ ଯୋଜନା ବଦ୍ଧ ଭାବେ ସମ୍ୱନ୍ୱିତ ସହଭାଗିତା ନେଇ ବଡରମା ଘାଟି ଉଭୟ ପାର୍ଶ୍ୱରେ ବ୍ୟବସ୍ଥା ନକଲେ ଦୁର୍ଘଟଣା ସୀମା ଟପି ଅନେକ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଗାଡିର ବେଗ ନିୟନ୍ତ୍ରଣ ଓ ଏହାକୁ କଡାକଡି ପାଳନ କରିବା ନେଇ ପୋଲିସ ଓ ପରିବହନ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାର ଆବଶ୍ୟକତାକୁ ମଧ୍ୟ୍ୟ ଗୁରୁତ୍ୱ ଦିଆଯାଉଛି।