ଚାଲିଛି ସାରାରାଜ୍ୟରେ ଚାଷୀ ପଞ୍ଜୀକରଣ । ସମବାୟ ସମିତିରେ ଲାଗିଛି ଚାଷୀଙ୍କ ଭିଡ଼ । ପଞ୍ଜୀକରଣ ପାଇଁ ଏଥର ଚାଷୀଙ୍କ ଆଖି ସ୍କାନ୍ କରାଯାଉଥିବାରୁ ଅଧିକ ସମୟ ଲାଗୁଛି । ଫଳରେ ଚାଷୀ କାମ ଛାଡି ଘଂଟା ଘଂଟା ଅପେକ୍ଷା କରୁଛନ୍ତି । ଇଂଟରନେଟ୍ ସର୍ଭର ଡାଉନ ହେଲେ କଥା ସରିଲା । ବନ୍ଦ ହୋଇଯାଉଛି ପଞ୍ଜୀକରଣ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।
ଗୁଣପୁର ଭଳି ବରଗଡ଼ ଓ ନିଆଳି ସମେତ ରାଜ୍ୟର ଅନ୍ୟ ଅଂଚଳର ଚାଷୀ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଇ-କେୱାଇସି ବ୍ୟବସ୍ଥାକୁ ସ୍ବାଗତ କରିଥିଲେ ବି ଚାଷ ସମୟରେ କେମିତି କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । କାମ ବନ୍ଦ କରି ଇ-କେୱାଇସି ପାଇଁ ଲାଗିଲେ ଚାଷ ପ୍ରଭାବିତ ହେବାର ଆଶଙ୍କା କରିଛନ୍ତି ।
ସେପଟେ ପଞ୍ଜୀକରଣକୁ ସରଳୀକରଣ କରାଯାଇଛି କହି ସଫେଇ ରଖିଛନ୍ତି ଯୋଗାଣ ମନ୍ତ୍ରୀ । ମାସ ମାସ ଧରି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ ଚାଲିଥିଲେ ବି ବିଭିନ୍ନ କାରଣ ଯୋଗୁଁ ଏପର୍ଯ୍ୟନ୍ତ ୨୦ ଲକ୍ଷ ଲୋକ କରିପାରିନାହାନ୍ତି । ଏଭଳି ସ୍ଥିତିରେ ମାସେ ଭିତରେ ଚାଷୀଙ୍କ ପଞ୍ଜୀକରଣ କେମିତି ହେବ ତାହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।