Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁଚର୍ଚ୍ଚିତ ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କୋର୍ଟରେ ହାଜର ହେଲେ ଅଭିଯୁକ୍ତ ଏଚ୍‌ଓଡି, ଅଧ୍ୟକ୍ଷ

ବହୁଚର୍ଚ୍ଚିତ ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ୨ ଅଭିଯୁକ୍ତଙ୍କୁ ଗତ କାଲି ଅପରାହ୍ଣରେ ବାଲେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ହାଇବ୍ରିଡ୍ ମୋଡ୍ (ଭିଡିଓ କନ୍ଫରେନ୍ସିଂ) ଜରିଆରେ ଅଭିଯୁକ୍ତ ନିଲମ୍ବିତ ସହକାରୀ ପ୍ରଫେସର ତଥା ବିଏଡ୍ ବିଭାଗ ଏଚ୍ଓଡି ସମୀର କୁମାର ସାହୁ ଓ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ହାଜର ହୋଇଥିବା ଜଣାପଡ଼ିଛି।

ଉଭୟ ଶ୍ରୀ ସାହୁ ଓ ଶ୍ରୀ ଘୋଷ ପ୍ରାୟ ୫ ମିନିଟ୍ ଲେଖାଏଁ ଉପସ୍ଥିତ ହୋଇଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଉଭୟଙ୍କୁ ହାଇବ୍ରିଡ୍ ମୋଡ୍ରେ କୋର୍ଟରେ ହାଜର କରାଯାଇଥିବା ସରକାରୀ ଓକିଲ ଅମୂଲ୍ୟ ଦାଶ ଓ ଗୁରୁପ୍ରସାଦ ବେହେରା ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ନିୟମିତ ୧୪ ଦିନ ବ୍ୟବଧାନରେ ଏମାନେ କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି। ଏସ୍ଡିଜେଏମ୍ କୋର୍ଟ ପୂର୍ବରୁ ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏବେ ସେମାନେ ଉପରକୋର୍ଟର ଦ୍ବାରସ୍ଥ ହେଉଛନ୍ତି କି ନାହିଁ, ତା’ଉପରେ ସମସ୍ତଙ୍କ ନଜର ରହିଛି।

ପୀଡ଼ିତା ଛାତ୍ରୀ ଗତ ୧୨ ତାରିଖରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ୧୪ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ଘଟିବା ଦିନ ହିଁ (ଜୁଲାଇ ୧୨) ଅଭିଯୁକ୍ତ ଏଚ୍ଓଡି, ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଲମ୍ବନ କରିବା ସହିତ ଏଚ୍ଓଡି ଶ୍ରୀ ସାହୁଙ୍କୁ ସହଦେବଖୁଣ୍ଟା ଥାନା ପୁଲିସ ଗିରଫ କରିଥିଲା। ସେହିପରି ୧୪ ତାରିଖରେ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିଲା। ମୃତ ଛାତ୍ରୀଙ୍କୁ ଏଚ୍ଓଡି ଶ୍ରୀ ସାହୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା, କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ବି ତାଙ୍କୁ ନ୍ୟାୟ ନ ମିଳିବାରୁ ସେ ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ରହିଛି।