Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୮ ତାରିଖ ଯାଏଁ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ରେଡ୍ ଓ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା। ଏହି ଆକଳନ କରିଛି ପାଣିପାଗ ବିଭାଗ। ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ତା ପ୍ରଭାବରେ ପ୍ରବଳ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜକୁ ରେଡ଼ ଆଲର୍ଟ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ଏହି ୧୦ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେପଟେ ହୀରାକୁଦକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢୁଥିବାରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ରୁଲ୍ କର୍ଭ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଡ୍ୟାମର ଜଳସ୍ତର ୬୦୫ ଫୁଟ୍ କୁ ହ୍ରାସ କରାଯିବ ବୋଲି ଜଣାପଡ଼ିଛି। …

ପ୍ରବଳ ବର୍ଷାରେ ବେହାଲ ସୁବର୍ଣ୍ଣଜିଲ୍ଲାର ବିନିକା ଅଞ୍ଚଳ। ଏପରିକି ଉପନିବନ୍ଦକଙ୍କ ଅଫିସ ଭିତରେ ଅଣ୍ଟାଏ ପାଣି। ଉପୁଡ଼ି ପଡ଼ିଛି ବିଜୁଳି ଖୁଣ୍ଟ। ଲାଇନ୍ ବି ନାହିଁ। ଲୋକେ ବହୁତ ହନ୍ତସନ୍ତ ହୋଇଛନ୍ତି। ସେପଟେ ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଟୁନିମୁଣ୍ଡା ମେହେରୁଣି ବ୍ରିଜ୍ ଉପରେ ତିନି ଫୁଟର ପାଣି ଚାଲୁଛି। ଏଥିପାଇଁ ଯିବା ଆସିବା ପୁରା ଠପ୍। ପାଣିର ସ୍ରୋତ ବଢ଼ିବାରେ ଲାଗିଛି। ୩ଟି ପଂଚାୟତର ୧୦ଟି ଗାଁ ଲୋକେ ହନ୍ତସନ୍ତ ହେଉଛନ୍ତି। …

ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ବନ୍ୟା ଦୁର୍ଦ୍ଦଶା । ୩୦ରୁ ଅଧିକ ଗାଁ ୧୦ ଦିନ ହେଲାଣି ପାଣି ଘେରରେ ଅଛନ୍ତି। ରିଲିଫ ବି ପହଞ୍ଚି ନାହିଁ କି ଡଙ୍ଗା ଟିଏ ବି ସରକାର ଦେଇ ନାହାନ୍ତି। … ସେହିପରି ପଟ୍ଟାମୁଣ୍ଡାଇ ବ୍ଲକରେ ଦୁର୍ଦ୍ଦଶା ଆଣିଛି ବ୍ରାହ୍ମଣୀ ନଦୀ। କେଉଁଠି ଘର ଧୋଇ ହୋଇଯାଇଛି ତ ଆଉ କେଉଁଠି କାନ୍ଥ ଦବି ଯାଇଛି। ଅନେକ ସ୍ଥାନରେ ଏଯାଏ ଚୁଳି ଜଳିଛି। ପଚି ଗଲାଣି ତଳି। ବିଡିଓ କହିଛନ୍ତି, କ୍ଷତିପୂରଣ ଯୋଗାଇ ଦିଆଯିବ। ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ସେହି ଅବସ୍ଥା। ଜଇଶପାଟଣା ଛକ ନିକଟରେ ଭାଙ୍ଗିଲା କେନାଲ ବନ୍ଧ। ଡେଲାଙ୍ଗ ଶାଖା କେନାଲ୍ ର ଡାହାଣ ପାର୍ଶ୍ଵ ବନ୍ଧରେ ୫୦ ଫୁଟର ଘାଇ ହୋଇଛି। ପୁରା ଅଞ୍ଚଳ ଜଳମଗ୍ନ।

ମୟୂରଭଂଜ ଜିଲ୍ଲାର ବାରିପଦା ସମେତ ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଏହି ଜିଲ୍ଲାକୁ ତ ରେଡ ୱାର୍ଣ୍ଣିଂ ଦିଆଯାଇଛି। ବର୍ଷାକୁ ଦେଖି ସ୍କୁଲ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିଆଯାଇଛି ନିର୍ଦ୍ଦେଶ। ବ୍ଲକ ହେଡକ୍ଵାଟରରେ ରହିବାକୁ ଅଧିକାରୀଙ୍କୁ କୁହାଯାଇଛି। ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା। କନ୍ୟାଶ୍ରମ ପୋଲ ବୁଡ଼ି ଯିବାରୁ କାଲିମେଳା ପଡ଼ିଆ ରାସ୍ତାରେ ଯାତାୟତ ଠପ୍ ହୋଇଛି। ଅନ୍ୟ ନଦୀର ଜଳସ୍ତର ବି ବଢିଛି। ସକାଳେ ବହୁ ସମୟ ଧରି ଗାଡ଼ି ମଟର ଅଟକି ରହିଥିଲା।