ଉପ-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି?


ଉପ-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ଦଳ । ଦଳ କାହାକୁ ସମର୍ଥନ ଦେବ ତାକୁ ନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ସଂଖ୍ୟା ଦୃଷ୍ଟିରୁ ଏନଡିଏର ବିଜୟ ପକ୍କା ହୋଇଥିବାବେଳେ ବିଜେଡିର ସମର୍ଥନ ପାଇଁ ଦିଲ୍ଲୀରେ ବି ଦୁଇ ମେଣ୍ଟ ଲବି ଆରମ୍ଭ କରିଛନ୍ତି ।

ଜଗଦୀପ ଧନଖଡଙ୍କ ଅଚାନକ ଇସ୍ତଫା ପରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ନେତୃତ୍ବାଧୀନ ଏନଡିଏ ଓ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଖୋଜା ଆରମ୍ଭ କରିଦେଇଛନ୍ତି । କିନ୍ତୁ ସବୁବେଳେ ସମଦୂରତ୍ବ କଥା କହୁଥିବା ବିଜେଡି କେଉଁ ମେଣ୍ଟକୁ ସମର୍ଥନ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟସଭାରେ ବିଜେଡିର ୭ ଜଣ ସଦସ୍ୟ ଅଛନ୍ତି । ତେଣୁ କାହାକୁ ସମର୍ଥନ ଦିଆଯିବ ସେ ନେଇ ବିଜେଡି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଶନିବାର ଏ ନେଇ ଶଙ୍ଖ ଭବନରେ ବୈଠକ ବସିଛି କିନ୍ତୁ ଦଳ କାହାକୁ ସମର୍ଥନ ଦେବ ତାହା ସ୍ଥିର ହୋଇପାରିନି ।

ପୂର୍ବରୁ ଓ୍ୱାକଫ ବିଲ ସମେତ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେଇଆସିଛି ବିଜେଡି। କିନ୍ତୁ ୱାକଫ ବିଲକୁ ନେଇ ଶେଷ ମୂହୂର୍ତ୍ତରେ ନାଟକୀୟ ଢଙ୍ଗରେ ନିଷ୍ପତ୍ତି ପରିବର୍ତ୍ତନ ଦଳକୁ ଅକଳ ପକାଇଥିଲା । ଦଳ ଭାଗ ଭାଗ ହୋଇଥିଲା । ଏବେ ପୁଣି ଏନଡିଏକୁ ସମର୍ଥନ ଦେଲେ ଏହା ଭୋଟରଙ୍କୁ ଭୁଲ ସନ୍ଦେଶ ଯାଇପାରେ ବୋଲି ବିଜେଡି ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରୁ କଂଗ୍ରେସକୁ ଫାଇଦା ମିଳିପାରେ ବୋଲି ଏକ ଗୋଷ୍ଠୀ ଆଶଙ୍କା ପ୍ରକାଶ କରୁଛନ୍ତି । ଇଣ୍ଡି ମେଣ୍ଟକୁ ସମର୍ଥନ ଦେଲେ କଂଗ୍ରେସ ଆଡ଼କୁ ଢଳୁଥିବା ସନ୍ଦେଶ ଯିବ । ଏଭଳି ସ୍ଥିତିରେ ଦଳ ଏବେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଅଛି ।

ଏନଡିଏର ଲୋକସଭାରେ ୨୯୩ ଓ ରାଜ୍ୟସଭାରେ ୧୧୨ ସାଂସଦ ଅଛନ୍ତି ଏଭଳି ମୋଟ ୪୦୫ ସାଂସଦ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ହେଲେ ଆବଶ୍ୟକ ୩୯୪ ଭୋଟ୍ । ଏଭଳି ସ୍ଥଳେ ଏନଡିଏର ବିଜୟ ପକ୍କା ବୋଲି କୁହାଯାଉଛି । ଏନଡିଏ ଅଧିକ ବିଜୟ ବ୍ୟବଧାନ ଚାହୁଁଥିବାବେଳେ ଇଣ୍ଡି ମେଣ୍ଟ ବି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟାଭିଡିଛି । ତେଣୁ ଏବେ ବିଜେଡି ଭୋଟ ଉପରେ ଏନଡିଏ ଓ ଇଣ୍ଡି ମେଣ୍ଟର ନଜର ରହିଛି ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।