Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୁଦ୍ରରେ ବୁଡିଲା ଡଙ୍ଗା; ୬୮ ମୃତ

ନୂଆଦିଲ୍ଲୀ: ଗତ ୩ ଅଗଷ୍ଟ ତଥା ରବିବାର ଦିନ ୟେମେନର ଅବୟାନ୍ ପ୍ରଦେଶର ଉପକୂଳରେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଥିଲା। ଯେଉଁଥିରେ ପ୍ରାୟ ୧୫୪ ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୬୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୭୪ ଜଣ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡ଼ିଛି।

ଡଙ୍ଗାରେ ଥିବା ସମସ୍ତ ପ୍ରବାସୀ ଇଥିଓପିଆର ଥିଲେ ଓ ସେମାନେ ୟେମେନ୍ ଦେଇ ସାଉଦି ଆରବକୁ ଚାକିରି ସନ୍ଧାନରେ ଯାଉଥିଲେ। ରବିବାର ଆଡେନ୍ ଉପସାଗରରେ ଡଙ୍ଗାଟି ବୁଡ଼ି ଯାଇଥିଲା। ତେବେ ବର୍ତ୍ତମାନ୍ ସୁଦ୍ଧା କେବଳ ୧୦ ଜଣଙ୍କୁ ହିଁ ଉଦ୍ଧାର କରାଯାଇଛି ଯେଉଁଥିରୁ ନଅ ଜଣ ଇଥିଓପିଆନ୍ ଓ ଜଣେ ୟେମେନ୍ ନାଗରିକ ଅଟନ୍ତି।ଉଦ୍ଧାରକାରୀମାନେ ନିରନ୍ତର ସମୁଦ୍ର ମଧ୍ୟରେ ମୃତଦେହ ଏବଂ ସମ୍ଭାବ୍ୟ ବଞ୍ଚିଥିବା ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି।

ଇଥିଓପିଆ ଏବଂ ସୋମାଲିଆ ଭଳି ଦେଶ ମାନଙ୍କରେ ଦାରିଦ୍ର୍ୟ, ବେକାରୀ ସମସ୍ୟା ଯୋଗୁଁ ଏଠିକାର ଲୋକମାନେ ଏହିଭଳି ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି।ବର୍ତ୍ତମାନ୍ ସମୟରେ ୟେମେନରେ ଗୃହଯୁଦ୍ଧ ଚାଲିଥିବା ସତ୍ୱେ ମଧ୍ୟ ପ୍ରବାସୀମାନଙ୍କ ପାଇଁ ଉପସାଗରୀୟ ଦେଶଗୁଡ଼ିକରେ ପହଞ୍ଚିବା ପାଇଁ ୟେମେନ ହିଁ ଏକ ମାତ୍ର ପଥ ହୋଇରହିଛି।୨୦୨୪ ମସିହାରୁ ଏପର୍ଯ୍ୟନ୍ତ ୬୦୦୦୦ରୁ ଅଧିକ ପ୍ରବାସୀ ୟେମେନ ଦେଇ ଯାତ୍ରା କରିଥିବା ବେଳେ ୨୦୨୩ ରେ ୯୭୨୦୦ ଜଣ ଏହି ପଥ ଦେଇ ଯାତ୍ରା କରିଥିବା ରିପୋର୍ଟରୁ ଜଣାପଡ଼ିଛି।

କେବଳ ଏତିକି ନୁହେଁ ୨୦୨୩ରେ ଏହି ରାସ୍ତାରେ ଯାଇ ୫୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ଦଶ ବର୍ଷ ମଧ୍ୟରେ ୨୦୮୨ରୁ ଅଧିକ ପ୍ରବାସୀ ନିଖୋଜ ମଧ୍ୟ ହୋଇଛନ୍ତି। ଏଥିସହିତ ବୁଡ଼ି ଯିବା ଯୋଗୁଁ ପ୍ରାୟ ୬୯୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ତେବେ ୟେମେନ ୨୦୧୪ ମସିହାରୁ ଗୃହଯୁଦ୍ଧର କବଳରେ ରହିଛି। ଯଦିଓ ଏପ୍ରିଲ ୨୦୨୨ ରେ ଏକ ଯୁଦ୍ଧବିରତି ଚୁକ୍ତି ହୋଇଥିଲା କିନ୍ତୁ ଦେଶରେ ବର୍ତ୍ତମାନ୍ ମଧ୍ୟ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଅସ୍ଥିରତା ଲାଗି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ