ସମ୍ବଲପୁର:ମହିଳା ଜନଜାତିକୁ ମହୁ ଚାଷ ମାଧ୍ୟମରେ ସଶକ୍ତିକରଣ ଲକ୍ଷ ହୋଇଛି ସାଧିତ। ସିଏସଆଇଆର ଫ୍ଲୋରିକଲ୍ଚର ମିଶନ୍ ଅଧୀନରେ ଏଭଳି ସଫଳ ପ୍ରୟାସ ମୂଷାକାନି ଗାଁକୁ ନୁଆଁ ପରିଚୟ ଦେଉଛି।
ଜୁଯୋମୁରା ବ୍ଲକ କଂସର ପଞ୍ଚାୟତ ର ଏହି ମୂଷାକାନି ଗ୍ରାମରେ ପ୍ରାୟ ୨୫ ଜନଜାତି ପରିବାର ବସବାସ କରନ୍ତି। ବନ ମୂଳକର ପ୍ରାକୃତିକ ଶୋଭାରାଜି ଗାଁର ସୌନ୍ଦର୍ଯ୍ୟ କୁ ଶ୍ରୀବୃଦ୍ଧି କରୁଥିବା ବେଳେ ବିକାଶ କିନ୍ତୁ ଅପହଞ୍ଚ। ରାସ୍ତା ଘାଟ, ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ ସବୁକ୍ଷେତ୍ରରେ ପଛୁଆ ପଡିରହିଥିବା ମୂଷାକାନି କିନ୍ତୁ ଏକ ନୁଆଁ ଆଦର୍ଶର ନମୁନା ସୃଷ୍ଟି କରିବାକୁ ଯାଉଛି।ସିଏସଆଇଆର ଫ୍ଲୋରିକଲ୍ଚର ମିଶନ୍ ଅଧୀନରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ସହଯୋଗରେ ମୂଷାକାନି ହେଉଛି ଆତ୍ମନିର୍ଭରଶୀଳ।
ଗତ ବର୍ଷ ଅକ୍ଟୋବର ମାସରେ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ୍ ଅନ୍ତର୍ଗତ ମୂଷାକାନି ଗାଁରେ ଏକ ମହୁ ଚାଷ କୌଶଳ ପ୍ରଣାଳୀ ଉପରେ ୪ ଦିନିଆ ତାଲିମ ଶିବିର ଆନୁଷ୍ଠିତ ହୋଇଥିଲା।
ଯାହାର ନେତୃତ୍ୱ ନେଇଥିଲେ ସିଏସଆଇଆର –ନେସନାଲ ବୋଟନିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ (ଏନବିଆରଆଇ) ଏହାର ନିର୍ଦ୍ଦେଶକ ଡା. ଅଜିତ କୁମାର ଶସନୀ ମହିଳା ଜନଜାତିମାନଙ୍କ ପାଇଁ ମହୁ ପାଳନ ମାଧ୍ୟମରେ ଜୀବନ ଜୀବିକା ଉପାର୍ଜନର ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ପ୍ରୟାସରେ,ବିଶ୍ୱ ୧ ଓ ୨ସହିତ ରଜନୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ୧୫୦ଟି ମଧୁ ମାଙ୍କୁ ଚଟାଣ ବକ୍ସ ଗାଁର ମହିଳା ଜନଜାତିଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଏହି ଅଭିଯାନ ସେମାନଙ୍କ ଆର୍ଥିକ ଜୀବନରେ ଏକ ଗଭୀର ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି।
ଅଗଷ୍ଟ ୨୦୨୫ ସୁଦ୍ଧା ସେମାନେ ଜଙ୍ଗଲ ଫୁଲରୁ ପ୍ରାପ୍ତ ଅର୍ଗାନିକ୍ ମଧୁ ଦ୍ୱାରା ୨୦୦ କି.ଗ୍ରାମ୍ରୁ ଅଧିକ ବନ୍ୟ ଓ ପ୍ରାକୃତିକ ମଧୁ ଉତ୍ପାଦନ କରିପାରିଛନ୍ତି। ଏହି ଉତ୍ତମ ଗୁଣବତ୍ତାର ମହୁ କି.ଗ୍ରାମ୍ ପିଛା ୮୦୦ ଟଙ୍କାରେ ରେ ବିକ୍ରି କରି ମହିଳା ମାନେ ନିଜର ଉଦ୍ୟମରେ ଆୟର ପନ୍ଥା ଆପଣେଇଛନ୍ତି।
ଏହି ସଫଳତା ପ୍ରକଳ୍ପକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପ୍ରମୁଖ ଏଫପିଓ ସବୁଜ ସନାତନପାଲି ଫାର୍ମର୍ସ ପ୍ରୋଡ୍ୟୁସର୍ କମ୍ପାନୀ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ମନବୋଧ ବାରିକ ଏହି ମହୁକୁ ୧ ଅଗଷ୍ଟ ୨୦୨୫ ସମ୍ବଲପୁରୀ ଦିନ ଉତ୍ସବ ଅବସରରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଆଇ.ଜି ହିମାଂଶୁ କୁମାର ଲାଲଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ପରେ ଏହି ସଫଳ କାହାଣୀ ପଦା କୁ ଆସିଛି।
ସମ୍ବଲପୁର ଜିଲ୍ଲା ପ୍ରଶାସନ ସବୁଜ ସନାତନପାଲି ଏଫପିଓ ଓ ମହିଳା ଜନଜାତି ଚାଷୀମାନଙ୍କ ଏହି ଉଦ୍ୟମକୁ ଖୁବ ପ୍ରଶଂସା କରିଛନ୍ତି । ଏହି ପ୍ରୟାସକୁ ସମାବେଶୀ ଉନ୍ନତିର ଆଦର୍ଶ ମଡେଲ୍ ବୋଲି ସ୍ୱୀକୃତି ମିଳିଛି।ଯାହାକି ପାରମ୍ପରିକ ଜ୍ଞାନ, ବୈଜ୍ଞାନିକ ହସ୍ତକ୍ଷେପ ଓ ଗ୍ରାମୀଣ ଉଦ୍ୟମିତା ଭଳି ଏକା ସାଥିରେ ଅନ୍ତର୍ଭୁକ୍ତ ହୋଇ ପାରିଛି। ଯାହା ଦ୍ୱାରା ଦୀର୍ଘକାଳୀନ ଆର୍ଥିକ ଓ ସାମାଜିକ ପରିବର୍ତ୍ତନର ଏକ ସୁଯୋଗ କୁହାଯିବ।
ଏହି ପ୍ରତିନିଧି ଯେତେବେଳେ ମୂଷାକାନିରେ ପହଞ୍ଚି ଜନଜାତିଙ୍କ ମହୁ ଉତ୍ପାଦନ ବିଷୟରେ ଜାଣିବାକୁ ଚାହିଁଥିଲେ, ଶାନ୍ତ ସରଳ ଓ ନିର୍ମଳ ମନର ଏହି ଜନଜାତି ମହିଳା ଙ୍କ ଉତ୍ସାହ ଅଫୁରନ୍ତ ବିଶ୍ୱାସ ହିଁ ମୂଷାକାନି ରୁ ମହୁଝର ସ୍ରୋତ ଦେଖାଇଛି। ମହୁ ଚାଷ କୁ ବର୍ତ୍ତମାନ ଜୀବନ ପାଇଁ ଏକ ଜୀବିକାର ମାଧ୍ୟମ କରିଥିବା ଜସ୍ମିନା ଆଇଣ୍ଡ, ସୁଚିତା ଡୁଙ୍ଗଡୁଙ୍ଗ, ବିଶ୍ୱାସୀ ଆଇଣ୍ଡ, ରଜନୀ ଗୁରୁ ମହୁ ଚାଷ ର କୌଶଳ ପ୍ରଣାଳୀ ଦେଖାଇ ନିଜ ଉତ୍ପାଦିତ ମହୁ ଖୁଆଇ ଆପ୍ୟାୟିତ କରିବା ଭଳି ବାସ୍ତବ ଚିତ୍ର ସଫଳ କାହାଣୀ ର ଏକ ଦୃଷ୍ଟାନ୍ତ। ସତରେ ମୂଷାକାନି କୁ ମହୁଝର ର ପରିଚୟ ତୋଳିବାରେ ଏମାନଙ୍କ ଉଦ୍ୟମ ଓ ପରାକାଷ୍ଠା ଏକ ସଫଳ ପ୍ରୟାସ କୁହାଯିବ।ସେମାନଙ୍କ ମନରେ ରହିଛି ଆତ୍ମବିଶ୍ୱାସ। ପ୍ରାକୃତିକ ମହୁ ରେ ହେବେ ସେମାନେ ଆତ୍ମ ନିର୍ଭରଶୀଳ। ଏଭଳି ବିଶ୍ୱାସ ହିଁ ମୂଷାକାନି କୁ ସମ୍ବଲପୁର ଜିଲ୍ଲାରେ ଦେବ ନୁଆଁ ପରିଚୟ।
*ସେମାନେ କହନ୍ତି*
ମଧୁମକ୍ଷୀ ପାଳନ କାର୍ଯ୍ୟ ହେବ ବ୍ୟାପକ
ସିଏସଆଇଆର୍ ଫ୍ଲୋରିକଲ୍ଚର ମିଶନ୍ ଅନ୍ତର୍ଗତ ଆମେ ଜନଜାତି ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ କାମ କରୁଛୁ । ଏହି ପ୍ରୟାସରେ ଆମେ ବି କାଶ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ସବୁଜ ସନ୍ତାନପାଳି ଏଫପିସି ସହଯୋଗରେ କାର୍ଯ୍ୟ କରୁଛୁ । ସମସ୍ତଙ୍କର ସକାରାତ୍ମକ ପ୍ରତିକ୍ରିୟା ଓ ସହଯୋଗ ଫଳରେ ସମ୍ବଲପୁର ଜିଲ୍ଲାରେ ପ୍ରଥମଥର ପାଇଁ ଗୋଷ୍ଠୀ ସ୍ତରରେ ମଧୁ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି।ଆମେ ଜନଜାତି ଓ ବିଶେଷକରି ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ସିଏସଆଇଆର୍ ଫ୍ଲୋରିକଲ୍ଚର ମିଶନ୍ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ ନେଉଛୁ ଓ ଆଗାମୀ ଦିନରେ ମଧୁମକ୍ଷୀ ପାଳନ କାର୍ଯ୍ୟକୁ ବ୍ୟାପକ ଭାବରେ ବିସ୍ତାର କରିବାକୁ ଆମେ ପ୍ରତିବଦ୍ଧ ଅଛୁ ।
ଡ଼ଃ. ଅଜିତ କୁମାର ଶାସନ୍ୟ
ନିର୍ଦ୍ଦେଶକ ସିଏସଆରଆଇ-(ଏନବିଆରଆଇ)
ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ପ୍ରତିବଦ୍ଧ
ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ୍ ଅନ୍ତର୍ଗତ ମୁସାକାନି ଓ ତାହାସଂଲଗ୍ନ ଗ୍ରାମଗୁଡ଼ିକର ସ୍ୱାଭାବିକ ଏବଂ ସମୃଦ୍ଧ ପ୍ରାକୃତିକ ବୃକ୍ଷ ଜୈବ ବିବିଧତା ମଧୁମକ୍ଷୀ ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ । ଏହିଅଞ୍ଚଳରେ ଫ୍ଲୋରିକଲ୍ଚର ଓ ମଧୁମକ୍ଷୀ ପାଳନ ପାଇଁ ଥିବା ବ୍ୟାପକ ସମ୍ଭାବନାକୁ ମୁଲ୍ୟାଙ୍କନ କରି ଆମେ ଏହି ପଦକ୍ଷେପ ଗ୍ରହଣ କରିଥିଲୁ, ଯାହା ଆମକୁ ପ୍ରାରମ୍ଭିକ ଅବସ୍ଥାରେ ବଡ଼ ସଫଳତା ଦେଇଛି । ଆମେ ଓଡିଶାର ବିଭିନ୍ନ ଅଞ୍ଚଳରେ ଜନଜାତି ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ପ୍ରତିବଦ୍ଧ ଅଛୁ ।
ଡ଼ଃ. ସୌମିତ କୁମାର ବେହେରା
ବରିଷ୍ଠ ଅଧ୍ୟକ୍ଷ, ବୈଜ୍ଞାନିକ
ସିଏସଆରଆଇ-(ଏନବିଆରଆଇ)
ଆର୍ଥିକ ବିକାଶ ଓ ଉନ୍ନତି ସମ୍ଭବ
ମଧୁମକ୍ଷୀ ପାଳନ ଓ ମଧୁ ଉତ୍ପାଦନରେ ଗୋଷ୍ଠୀ ସ୍ତରରେ ମିଳିଥିବା ସଫଳତା, ଏହି ପ୍ରକାରର ପ୍ରଥମ ପଦକ୍ଷେପ।ଏହା ସମ୍ବଲପୁର ଜିଲ୍ଲାର ଜଙ୍ଗଲ ଜମି ଅଞ୍ଚଳରେ ଫ୍ଲୋରିକଲ୍ଚର ଓ ମଧୁମକ୍ଷୀ ପାଳନ ମାଧ୍ୟମରେ ଆର୍ଥିକ ବିକାଶ ଓ ଉନ୍ନତି ସମ୍ଭବ ବୋଲି ଜନଜାତି ମହିଳାଙ୍କ ମନରେ ବିଶ୍ୱାସ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି ।
ଅଭିଳାଷ ପ୍ରଧାନ
ଅଭିନବ କୃଷି, ସମ୍ବଲପୁର
ମୂଷାକାନି ଗାଁର ଜନଜାତି ମହିଳାମାନଙ୍କୁ ନେଇ ବୈଜ୍ଞାନିକ ଢଙ୍ଗରେ ମହୁ ପାଳନ ଆରମ୍ଭ କରିଥିଲୁ। ଯାହା ବ୍ୟାପକ ସଫଳତା ହାସଲ କରିଛି। ଏହି ପଦକ୍ଷେପ ଦ୍ୱାରା ମହିଳାମାନଙ୍କ ମଧ୍ୟରେ ଆର୍ଥିକ ସ୍ୱାବଳମ୍ବନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଆସନ୍ତା ଦିନରେ, ଆମେ ନିଜ ଏଫ୍ପିଓ ରିଟେଲ୍ ଆଉଟଲେଟ୍ଗୁଡ଼ିକ ମାଧ୍ୟମରେ ସମ୍ବଲପୁର ସହରର ଉପଭୋକ୍ତାମାନଙ୍କୁ ଶୁଦ୍ଧ ଓ ପ୍ରାକୃତିକ ମହୁପ୍ରଦାନ କରିବାକୁ ଆଶାବାନ ଅଛୁ।
ମନବୋଧ ବାରିକ
ସବୁଜ ସନାତନପାଲି ଫାର୍ମସ ପ୍ରଡ୍ୟୁସର କମ୍ପାନୀ
ସଫଳ କାହାଣୀ:ମୂଷାକାନିରେ ଝରୁଛି ମହୁ
