Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାତାୟାତ ପାଇଁ ଯେଉଁଠି ବାଉଁଶ ଚାର ର ଆବଶ୍ୟକତା ହୁଏ l

ଅସ୍ତରଙ୍ଗ,,ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତର ମାଣ୍ଡୁକି ଗ୍ରାମର କଳଘର ଛକ ଠାରୁ ପାପିରା ବନ୍ଧକୁ ସଂଯୋଗ କରୁଥିବା କଚ୍ଚା ରସ୍ତାର ଅବସ୍ଥା ଦୀର୍ଘଦିନ ଧରି ଶୋଚନୀୟ ହୋଇରହିଛି । ସ୍ବାଧୀନତାକୁ ୭୯ ବର୍ଷ ପୂର୍ଣ୍ଣ ହେଲାଣି କିନ୍ତୁ ଏହି ରସ୍ତା ଅବସ୍ଥା ଆଗରୁ ଯେମିତି ଏବେ ସେମିତି ରହିଛି। କାମ ହେବାତ ଦୂରର କଥା ଏପର୍ଯ୍ୟନ୍ତ ମାଟି ଟୋକେଇଟେ ପଡ଼ିନାହିଁ ବୋଲି ଗ୍ରାମବାସୀ କହିବା ସହିତ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଏହି ରସ୍ତା ଦେଇ ପାପିରା, ଡାଳୁଳକଣି, ରାଇକଣା, ରାଇବେରୁହାଁ, କଣ୍ଟେଇମୁଣ୍ଡୁଳି ଆଦି ଗ୍ରାମର ଲୋକେ ଅସ୍ତରଙ୍ଗ ବଜାର, ସ୍କୁଲ କଲେଜ, ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇଥାନ୍ତି। ଖରାଦିନେ ଜେନତେନ ଯାନବାହନ ଚଳାଚଳ କରୁଥିବା ବେଳେ ବର୍ଷା ଦିନରେ କାଦୁଆ ପଚପଚ ରସ୍ତା ପାଇଁ ସବୁ ଠପ ହୋଇଯାଇଛି।ଶିଶୁ, ମହିଳା ଓ ପ୍ରସୁତୀ ମା’ଙ୍କୁ ଚିକିତ୍ସାଳୟ ପହଞ୍ଚିବା ପାଇଁ କଷ୍ଟ ସହିବାକୁ ପଡ଼ୁଛି । ଛାତ୍ରଛାତ୍ରୀଙ୍କୁ ବି ଏହି କାଦୁଆ ରସ୍ତା ହୋଇ ପାଦରେ ଚାଲି ବିଦ୍ୟାଳୟକୁ ଯିବାକୁ ପଡ଼ୁଛି । ପ୍ରାୟ ଏକ କି.ମି. ଲମ୍ବା ଏହି କଚ୍ଚା ରାସ୍ତାର କିଛି ମିଟର ଅତିକ୍ରମ କଲେ ପଡ଼େ ଏକ ଜନବସତି ପଡ଼ା। ଉକ୍ତ କଚା ରାସ୍ତାରୁ ସେହି ଜନବସତି ମଧ୍ୟରେ ଏକ ପାଣି ନାଳ ଯେଉଁଥିରେ ସ୍ଥାୟୀ ବ୍ରିଜ ନଥିବାରୁ ସେଠାକାର ବାସିନ୍ଦା ଯିବାଆସିବା କରିବାକୁ ହେଲେ ପାଣିରେ ପଶିକି ନଚେତ ବାଉଁଶ ଚାର ହେଲା ବିକଳ୍ପ ।
ପ୍ରଫୁଲ୍ଲ କାଣ୍ଡି, ଧୁରୁବ କାଣ୍ଡି ଓ ପୁନିଆ କାଣ୍ଡି ପ୍ରମୁଖ ଏହି ୩ଟି ଦଳିତ ପରିବାରର ପ୍ରାୟ ୧୫ଜଣ ସ୍ଥାୟୀ ବାସିନ୍ଦା ବ୍ଲକ, ଜିଲ୍ଲା ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ପକ୍କା ରାସ୍ତା , ପାନୀୟ ଜଳ ଯୋଗାଣ ଓ ମୌଳିକ ସୁବିଧାର ଅଭାବ ଥିବାରୁ ଏହି ଦଳିତ ପରିବାରମାନେ ଦୀର୍ଘଦିନ ଧରି ଅବହେଳିତ ହୋଇ ଆସୁଛନ୍ତି । ତେଣୁ
ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନଙ୍କୁ ଯଥା ଶୀଘ୍ର ସ୍ଥାୟୀ ସଡ଼କ, ବ୍ରିଜ ଓ ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ