କାବୁଲ: ବୁଧବାର ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ପ୍ରାନ୍ତରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ି ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଥିବା ନେଇ ତାଲିବାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଘଟଣା ଦକ୍ଷିଣ କାନ୍ଦାହାରକୁ କାବୁଲକୁ ସଂଯୋଗ କରୁଥିବା ରାଜପଥର ଅରଘଣ୍ଡି ଅଞ୍ଚଳରେ ଅସାବଧାନତାର ସହ ଗାଡି ଚାଳନା ଯୋଗୁଁ ହୋଇଥିବା ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ମତିନ କାନି ସିନହୁଆ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋଲିସ ଏବଂ ଜରୁରୀକାଳୀନ ସେବା ତୁରନ୍ତ ଖବର ପାଇ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଆଫଗାନିସ୍ତାନରେ ଏହି ସପ୍ତାହରେ ସଡକ ଦୁର୍ଘଟଣାରେ ପ୍ରାୟ ୧୦୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ପୂର୍ବରୁ ପଶ୍ଚିମ ହେରାତ ପ୍ରଦେଶର ଗୁଜାରା ଜିଲ୍ଲାରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଯାତ୍ରୀବାହୀ ବସ୍ ଇରାନରୁ କାବୁଲକୁ ନିର୍ବାସିତ ଆଫଗାନ ପ୍ରବାସୀଙ୍କୁ ନେଇ ଯାଉଥିବା ସମୟରେ ବସ୍ ଟି ଏକ ମୋଟରସାଇକେଲ ଏବଂ ଏକ ଇନ୍ଧନ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ବସ୍ ରେ ନିଆଁ ଲାଗି ୭୯ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ୧୯ ଶିଶୁ ଥିବା ବେଳେ ଅଧିକ ମହିଳା ଥିଲେ।
ସେହିପରି ୨୪ ଅଗଷ୍ଟରେ ଉତ୍ତର ଆଫଗାନିସ୍ତାନର ବାଦାଖଶାନ ପ୍ରଦେଶରେ ଏକ ଗାଡ଼ି ରାସ୍ତାରୁ ଖସି ଓଲଟି ପଡ଼ିବାରୁ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଚାରି ଜଣ ଆହତ ହୋଇଥିବା ପ୍ରାନ୍ତୀୟ ପୋଲିସ ସୂଚନା ଦେଇଥିଲା।ପୂର୍ବରୁ ୨୨ ଅଗଷ୍ଟରେ ଦକ୍ଷିଣ ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ଏକ ଟ୍ରାକ୍ଟର ନଦୀରେ ଖସି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ହେବା ସହ ଚାରି ଜଣ ଆହତ ହୋଇଥିବା ସୂଚନା ଏବଂ ସଂସ୍କୃତି ବ୍ୟାପାରର ପ୍ରଦେଶ ନିର୍ଦ୍ଦେଶକ ହାଫିଜ୍ ଅବଦୁଲ ବାରି ରସିଦ କହିଛନ୍ତି।