ଆସନ୍ତା ୯ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ମଝିରେ ଆଉ ୬ ଦିନ ରହିଲା । କିନ୍ତୁ ବିଜେଡି ଏଯାଏ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନି । ସାଂସଦମାନେ ବି ମୁହଁ ଖୋଲୁନାହାନ୍ତି । ଯାହାକୁ ପଚାରିଲେ, ସମାନ ଉତ୍ତର—ଠିକ୍ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନେବେ ନିଷ୍ପତ୍ତି । ସମ୍ଭବତଃ ଶେଷ ମୂହୂର୍ତ୍ତରେ ଦଳ ଏନେଇ କିଛି ଘୋଷଣା କରିପାରେ । ଦଳର କୌଣସି ନେତା ଏ ସଂପର୍କରେ କିଛି ନିଷ୍ପତ୍ତି କହିପାରୁନାହାନ୍ତି ।
ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଯିବ ବିଜେଡି ଭୋଟ? ଏନ୍ଡିଏ ନା ଇଣ୍ଡିଆ? ନିଷ୍ପତ୍ତି ନବୀନଙ୍କ ହାତରେ । ରାଜନୈତିକ ବିଶ୍ଳେଷକମାନଙ୍କ କହିବା ଅନୁସାରେ ଏଥର ନବୀନଙ୍କ ପାଇଁ ନିଷ୍ପତ୍ତି ସହଜ ନୁହେଁ ।
ଅତୀତରେ ବିଜେଡି ଅନେକ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ସମର୍ଥନ କରିଛି । ପୂର୍ବଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସରଳଭାବରେ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା । କିନ୍ତୁ ଏଥର ପରିସ୍ଥିତି ଭିନ୍ନ । ଓଡ଼ିଶାରେ ବିଜେଡି ଏବେ ପ୍ରମୁଖ ବିରୋଧୀ ଦଳ ।
କିଛି ମାସ ପୂର୍ବରୁ ସଂସଦରେ ୱାକଫ ବିଲ୍ ଭୋଟକୁ ନେଇ ବିଜେଡି ଦଳ ଭିତରେ ଯେଉଁଭଳି ବିଦ୍ରୋହ, କନ୍ଦଳ ଓ ବୟାନବାଜି ଦେଖିବାକୁ ମିଳିଲା, ପୂର୍ବରୁ ସେମିତି କେବେ ହୋଇନଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏକୁ ସମର୍ଥନ ଦେଲେ, ବିଜେଡି ନେତା ଓ କର୍ମକର୍ତ୍ତାଙ୍କ ଭିତରକୁ କି ବାର୍ତ୍ତା ଯିବ? କଂଗ୍ରେସ “ବିଜେପି-ବିଜେଡି ଭାଇ ଭାଇ” କହି ଫାଇଦା ଉଠାଇବାକୁ ଚେଷ୍ଟା କରିବ । ଇଣ୍ଡିଆ ବ୍ଲକ ପ୍ରାର୍ଥୀଙ୍କୁ ସମର୍ଥନ କଲେ ବିଜେପି ଆଣିବ ସମାନ ଅଭିଯୋଗ । ଏଭଳି ସ୍ଥିତିରେ ବିଜେଡିର ସମଦୂରତ୍ୱ ନୀତି ପ୍ରଶ୍ନଚିହ୍ନରେ ପଡ଼ିପାରେ ।