ଦାଦନ ଶ୍ରମିକଙ୍କ କଲ୍ୟାଣ ପାଇଁ ନିବେଦନ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଡ଼ .ଶମ୍ଭୁ ପାଣିଗ୍ରାହୀ।
ଗୋପାଳପୁର,୨୭/୧୦
ଓଡ଼ିଶାର ଦାଦନ ଶ୍ରମିକଙ୍କ ଦୁର୍ଦଶା ଦୂରୀକରଣ ଏବଂ ସେମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କଂଗ୍ରେସ ନେତା ଡ଼ ଶମ୍ଭୁ ପାଣିଗ୍ରାହୀ ଚିଠି ଲେଖି ଅନୁରୋଧ କରିଛନ୍ତି। ଡ଼ ପାଣିଗ୍ରାହୀ
ରାଞ୍ଚିସ୍ଥିତ ଆରକେଡିଏଫ ବିଶ୍ୱବିଦ୍ୟାଳୟରୁ “ଶ୍ରମ ଆଇନ ଓ କଲ୍ୟାଣ ଯୋଜନାର ଆଞ୍ଚଳିକ ବିକାଶରେ ଭୂମିକା: ଗଞ୍ଜାମ ଜିଲ୍ଲାର ଏକ ଅଧ୍ୟୟନ” ଶୀର୍ଷକରେ ପିଏଚଡି ହାସଲ କରିଛନ୍ତି। ତାଙ୍କ ଗବେଷଣା ସମୟରେ ସେ ଗଞ୍ଜାମ ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ଦୁଃଖଦ ଅବସ୍ଥା ସମ୍ପର୍କରେ ଗଭୀର ଅଧ୍ୟୟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଥିବା ଚିଠିରେ ଡ଼ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ଯେ, ଗଞ୍ଜାମ, କନ୍ଧମାଳ, ପୁରୀ, ଫୁଲବାଣୀ, ଗଜପତି, ମାଲକାନଗିରି, ରାୟଗଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଆଦି ଜିଲ୍ଲାରୁ ପ୍ରାୟ ୧୨ ଲକ୍ଷରୁ ଅଧିକ ଶ୍ରମିକ ଜୀବିକା ଅନ୍ୱେଷଣରେ ଗୁଜରାଟ, ଚେନ୍ନାଇ, କୋଲକାତା, ମୁମ୍ବାଇ, ଗୋଆ ଏବଂ ବିଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ଶ୍ରମିକମାନେ ବିଶେଷ କରି କପଡ଼ା ଶିଳ୍ପ, ନିର୍ମାଣ କାର୍ଯ୍ୟ, ଇଟାଭାଟି ଓ ଅନ୍ୟାନ୍ୟ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ଅଧିକାଂଶ ଶ୍ରମିକ ଅସ୍ୱାସ୍ଥ୍ୟକର ଓ ଅସୁରକ୍ଷିତ ପରିବେଶରେ ରହୁଛନ୍ତି, ଏବଂ ସେମାନଙ୍କ କୌଣସି ସଠିକ ରେକର୍ଡ, ନିୟନ୍ତ୍ରଣ କିମ୍ବା କଲ୍ୟାଣମୂଳକ ସହାୟତା ପ୍ରଦାନ ନିମନ୍ତେ ଆଜି ଯାଏଁ ଶ୍ରମ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇ ନାହି। ସ୍ଥାନୀୟ ସ୍ତରରେ ରୋଜଗାରର ଅଭାବ ହେତୁ ଯୁବକମାନେ ମଦ୍ୟପାନ, ମାଦକ ଦ୍ରବ୍ୟ ସେବନ, ହତାଶା, ବିଷାଦ ଏବଂ କିଛି କ୍ଷେତ୍ରରେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି, ଯାହା ଏକ ଗୁରୁତର ସାମାଜିକ ସମସ୍ୟା ସୃଷ୍ଟି କରୁଛି। ଆସ୍କା ଚିନି କାରଖାନାର ବନ୍ଦ ହେବା ଏବଂ ଅଞ୍ଚଳରେ ଶିଳ୍ପ ବିକାଶର ଅଭାବ ଏହି ସମସ୍ୟାକୁ ଆହୁରି ଗମ୍ଭୀର କରିଛି।ଏଣୁ
ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇ ସମସ୍ତ ପ୍ରବାସୀ ଶ୍ରମିକଙ୍କର ପରିଚୟ ଓ ପଞ୍ଜୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା, ଯେଉଁଥିରେ ସେମାନଙ୍କ ପରିବାର, ଦକ୍ଷତା, ବୟସ ଓ କାର୍ଯ୍ୟସ୍ଥଳର ବିବରଣୀ ରହିବ। ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବା ପୂର୍ବରୁ ଶ୍ରମିକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରିବା। ପଞ୍ଜୀକୃତ ଦାଦନ ଶ୍ରମିକଙ୍କ ପରିବାରକୁ ଜୀବିକା ସୁରକ୍ଷା ପାଇଁ ମାସିକ ଅତି କମରେ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା। ଗଞ୍ଜାମ ଭଳି ଜିଲ୍ଲାମାନଙ୍କରେ ସ୍ଥାନୀୟ ରୋଜଗାର ସୃଷ୍ଟି କରିବା ପାଇଁ ଟାଟା, ବିର୍ଲା, ସିଂଘାନିଆ, ଆଦାନୀ, ଅମ୍ବାନୀ ଆଦି ଶିଳ୍ପ ଗୋଷ୍ଠୀଙ୍କୁ ଆମନ୍ତ୍ରଣ କରି ବୃହତ ଶିଳ୍ପ ସ୍ଥାପନ ପାଇଁ ପ୍ରୋତ୍ସାହନ ଓ ସୁବିଧା ପ୍ରଦାନ କରାଯିବା, ପ୍ରବାସୀ ଓ ବନ୍ଧୁଆ ଶ୍ରମିକଙ୍କ ଶୋଷଣ ରୋକିବା ପାଇଁ ସଠିକ ନିୟନ୍ତ୍ରଣ, ପୁନର୍ବାସନ ଓ କଲ୍ୟାଣମୂଳକ ଯୋଜନା ନିଶ୍ଚିତ କରାଯିବା ନିମନ୍ତେ ଅନୁରୋଧ କରିଛନ୍ତି। ଯଦି ସମୟୋପଯୋଗୀ ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ଆଗାମୀ ଦିନରେ ଏହା ଗୁରୁତର ସାମାଜିକ ଓ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି କରିପାରେ। ସେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଉପରେ ଆସ୍ଥା ରଖି ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

