ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ; ଦିଲ୍ଲୀରୁ ଗିରଫ ହେଲେ ଆଦିଲ
ନୂଆଦିଲ୍ଲୀ: ପରମାଣୁ ପ୍ରଯୁକ୍ତିବିଦ୍ୟାକୁ ନେଇ ଦିଲ୍ଲୀ ପୋଲିସ ଏକ ବଡ ଖୁଲାସା କରିଛି। ଏହି ସମ୍ବନ୍ଧରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଏକ ଅନ୍ତର୍ଜାତୀୟ ଗୁପ୍ତଚର ରାକେଟର ପର୍ଦ୍ଦାଫାସ କରିଛି। ପୁଲିସ ତଦନ୍ତରୁ ଜଣାପଡିଛି ଯେ ଆଦିଲ ଜଣେ ରୁଷିଆନ ବୈଜ୍ଞାନିକଙ୍କଠାରୁ ପରମାଣୁ ସମ୍ବନ୍ଧୀୟ ଡିଜାଇନ୍ ପାଇ ସେ ସବୁକୁ ଜଣେ ଇରାନୀ ବୈଜ୍ଞାନିକଙ୍କୁ ବିକ୍ରି କରିଥିଲା। ଏହି ଘଟଣାରୁ ପରଦା ହଟିବା ପରେ ପୁଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ତଦନ୍ତ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଛନ୍ତି।
ଗୁଇନ୍ଦା ବିଭାଗର ସୂଚନା ମୁତାବକ, ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ମହମ୍ମଦ ଆଦିଲ ହୁସେନିକୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଜେରା କରାଯାଇଥିଲା। ଏହି ଜେରା ବେଳେ ସେ ସ୍ୱୀକାର କରିଛି ଯେ ସେ ଜଣେ ରୁଷୀୟ ବୈଜ୍ଞାନିକଙ୍କଠାରୁ ସମ୍ବେଦନଶୀଳ ପରମାଣୁ ସମ୍ବନ୍ଧୀୟ ଡିଜାଇନ୍ ପାଇଥିଲା ଏବଂ ପରେ ସେ ନିଜର ଲାଭ ପାଇଁ ସେଗୁଡ଼ିକୁ ଅଧିକ ମୂଲ୍ୟରେ ଜଣେ ଇରାନୀ ବୈଜ୍ଞାନିକଙ୍କୁ ବିକ୍ରି କରିଥିଲା।
ସୂଚନା ମୁତାବକ ଆଦିଲ ଏବଂ ତାଙ୍କ ଭାଇ ଅଖତର ହୁସେନି ଅହମ୍ମଦ ଭାବା ଆଣବିକ ଗବେଷଣା କେନ୍ଦ୍ର (BARC)ର ଅଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସମଗ୍ର ଗୁପ୍ତଚର ମଡ୍ୟୁଲର ପର୍ଦ୍ଦାଫାସ ହୋଇଥିଲା।
ପଚରାଉଚରା କରିବାରୁ ଜଣାପଡିଛି ଯେ, ଆଦିଲ ହୁସେନି ପ୍ରକାଶ କରିଛି ଯେ ସେ ଏହି ଡିଲ୍ରୁ ବହୁତ ଟଙ୍କା ପାଇଛନ୍ତି। ସେ ଏହି ଟଙ୍କାରୁ କିଛି ଅଂଶ ଦୁବାଇରେ ଥିବା ତାଙ୍କ ପ୍ରପଟିରେ ନିବେଶ କରିଥିଲେ। ଏହି ସୂଚନା ଅଣ୍ଡରୱାର୍ଲ୍ଡ ଏବଂ ଗୁପ୍ତଚର ନେଟୱାର୍କ ସହିତ ଆଦିଲର ସମ୍ପୃକ୍ତି ସନ୍ଦେହକୁ ଆହୁରି ସୁଦୃଢ କରିଛି। ତଦନ୍ତ ଏଜେନ୍ସିଗୁଡ଼ିକ ଏବେ ଦୁବାଇରେ ତାଙ୍କ ନିବେଶ ଉପରେ ଅଧିକ ଯାଞ୍ଚ କରୁଛି । ପଚରାଉଚରା ସମୟରେ ସେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଓ ତାଙ୍କ ଭାଇ ଉଭୟ ପାକିସ୍ତାନର ଗୁପ୍ତଚର ଏଜେନ୍ସି, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ର ଏଜେଣ୍ଟଙ୍କ ସହ ଜଡିତ ଅଛନ୍ତି ।

