ପଶ୍ଚିମ ଓଡ଼ିଶାରେ ବାତ୍ୟା “ମୋନ୍ଥା”ର ପ୍ରଭାବ ମଧ୍ୟରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରେକର୍ଡ ସମୟରେ ବିଦ୍ୟୁତ୍ ଭିତ୍ତିଭୂମିର ପୁନରୁଦ୍ଧାର
ସମ୍ବଲପୁର: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବାତ୍ୟା ମୋନ୍ଥାର ପ୍ରଭାବକୁ ସଫଳ ମୁକାବିଲା ପୂର୍ବକ ରେକର୍ଡ ସମୟରେ ଏହାର ସମସ୍ତ ବିତରଣ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିର ପ୍ରାୟ ସମ୍ପୂର୍ଣ୍ଣ ପୁନରୁଦ୍ଧାର କାର୍ଯ୍ୟ ଶେଷ କରାଯାଇଅଛି । ବିଦ୍ଧିବଦ୍ଧ ଯୋଜନା, ସମ୍ବଳର ଦ୍ରୁତ ନିୟୋଜନ ଏବଂ ଉତ୍ସର୍ଗୀକୃତ କ୍ଷେତ୍ର କର୍ମଚାରୀଙ୍କ ପ୍ରଚେଷ୍ଟ ମାଧ୍ୟମରେ କମ୍ପାନୀ ପ୍ରତିକୂଳ ପାଗ ଏବଂ କଠିନ ପରିସ୍ଥିତି ସତ୍ତ୍ୱେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଗ୍ରାହକ ସୁରକ୍ଷା ସୁନିଶ୍ଚିତ କରିପାରିଛି ।
ଗତକାଲି ଠାରୁ, ପ୍ରତିକୂଳ ପାଗ ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ବିଦ୍ୟୁତ୍ ବିଭ୍ରାଟ ଅନୁଭବ କରାଯାଇଥିଲା । ତଥାପି, କମ୍ପାନୀ ପକ୍ଷରୁ ସକ୍ରିୟ ଯୋଜନା ଏବଂ ତୁରନ୍ତ ପ୍ରତିକ୍ରିୟା ଯୋଗୁଁ ଏହି ବିଭ୍ରାଟଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ଯଥାଶୀଘ୍ର ସମ୍ଭବ ସମୟ ମଧ୍ୟରେ ପୁନଃସ୍ଥାପିତ କରାଯାଇପାରିଛି । ସମସ୍ତ ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ରକ୍ଷଣାବେକ୍ଷଣକାରୀ ଦଳମାନେ ରାତିଦିନ କାମ ଜାରି ରଖିଛନ୍ତି ।
ଆଜି ସୁଦ୍ଧା କମ୍ପାନୀ ଏହାର ବିଦ୍ୟୁତ୍ ନେଟୱାର୍କର ପୁନରୁଦ୍ଧାର କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି । ମୋଟ 32ଟି ପ୍ରଭାବିତ 33 କେ.ଭି. ଫିଡର ମଧ୍ୟରୁ 31ଟି ଫିଡରର ପୁନରୁଦ୍ଧାରା କାର୍ଯ୍ୟ ଶେଷ ହୋଇଛି । ସେହିଭଳି ମୋଟ 384ଟି ପ୍ରଭାବିତ 11 କେ.ଭି. ଫିଡର ମଧ୍ୟରୁ 358ଟି ଫିଡର ପୁନରୁଦ୍ଧାରା କାର୍ଯ୍ୟ ଶେଷ ହୋଇଛି ଏବଂ ବାକି 26ଟି ଫିଡରର ସକ୍ରିୟ ପୁନରୁଦ୍ଧାରା କାର୍ଯ୍ୟ ଜାରି ରହିଛି ।
ସେହିପରି ପ୍ରମୁଖ ବିଦ୍ୟୁତ୍ ନେଟୱାର୍କଗୁଡ଼ିକର କ୍ଷତିର ମଧ୍ୟ ଶୀଘ୍ର ସମାଧାନ କରାଯାଇ ପାରିଛି । ଯାହା ମଧ୍ୟରୁ କ୍ଷତି ହୋଇଥିବା 18ଟି ପିଏସିସି ପୋଲ ମଧ୍ୟରୁ 16ଟି ପୋଲର ପୁନରୁଦ୍ଧାରା କାର୍ଯ୍ୟ ଶେଷ ହୋଇଛି । ବିଭିନ୍ନ ବିଦ୍ୟୁତ୍ ନେଟୱାର୍କ ଉପରେ 234 ଗଛ ପଡ଼ିବା ଘଟଣା ମଧ୍ୟରୁ 212 ଘଟଣାର ସମାଧାନ କରାଯାଇସାରିଛି । ସେହିପରି କ୍ଷତି ହୋଇଥିବା 89ଟି ଇନସୁଲେଟର ମଧ୍ୟରୁ ସମସ୍ତ ଇନସୁଲେଟର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ଅବଶିଷ୍ଟ ଥିବା ପୁନରୁଦ୍ଧାର କାର୍ଯ୍ୟ ଆଜି ସନ୍ଧ୍ୟା ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଅଛି ।
ଉଲ୍ଲେଖଥାଉ କି, ଟିପିଡବ୍ଲୁଓଡିଏଲ୍ ଭବାନୀପାଟଣାଠାରେ ସ୍ଥାପିତ ଏହାର ନିୟନ୍ତ୍ରଣ କକ୍ଷ ସହିତ ପରିସ୍ଥିତି ଉପରେ ସକ୍ରିୟ ଭାବରେ ନଜର ରଖିବା ଏବଂ ସ୍ଥାନୀୟ ପ୍ରଶାସନ ଏବଂ ଜରୁରୀକାଳୀନ ସେବା ସହିତ ସମନ୍ୱୟ ସୁନିଶ୍ଚିତ କରି ଉଚ୍ଚ ସତର୍କତା ଅବଲମ୍ବନ କରିଛି । କମ୍ପାନୀ ପକ୍ଷରୁ କର୍ମଚାରୀ ଏବଂ ଜନସାଧାରଣ ଉଭୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହିତ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ କ୍ଷେତ୍ରରକ୍ଷଣକାରୀ ଦଳମାନଙ୍କୁ ସୁରକ୍ଷା ଉପକରଣ ଏବଂ ପୁନସ୍ତାପନ ସାମଗ୍ରୀ ସହିତ ସଜ୍ଜିତ କରାଯାଇଅଛି ।
ଏହି ଅବସରରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଏହିପରି ପ୍ରାକୃତିକ ଦୁର୍ବିପାକ ସମୟରେ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ କମ୍ପାନୀର ପ୍ରତିବଦ୍ଧାତା ବିଷୟରେ ପ୍ରକାଶ କରିଛନ୍ତି ଯେ, ଆମର ରକ୍ଷଣାବେକ୍ଷଣକାରୀ ଦଳମଗୁଡ଼ିକ ପ୍ରଭାବିତ ଜିଲ୍ଲାମାନଙ୍କରେ ବିଦ୍ୟୁତ୍ ଭିତ୍ତିଭୂମିର ଯଥାଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ଏବଂ ଗ୍ରାହକଙ୍କ ଅସୁବିଧାକୁ କମ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଟିପିଡବ୍ଲୁଓଡିଏଲର ଦୃଢ଼ ପ୍ରସ୍ତୁତି ଏବଂ ଉତ୍ସର୍ଗୀକୃତ ଟିମ୍ ସମସ୍ତ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ମଧ୍ୟ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣର ଆମର ପ୍ରତିଶ୍ରୁତିକୁ ବଜାୟ ରଖିଛନ୍ତି।
ଟିପିଡବ୍ଲୁଓଡିଏଲ ଏହିପରି ସମସ୍ତ ପ୍ରାକୃତିକ ଦୁର୍ବିପାକ ସମୟରେ ଏବଂ ପରେ ଏହାର ସମସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନିରାପଦ, ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି।

