୧୭ ପିଲାଙ୍କୁ ବନ୍ଦୀ ରଖିଥିବା ରୋହିତ ଆରୀୟ ପୋଲିସ ଏନକାଉଣ୍ଟରରେ ନିହତ
 
        ମୁମ୍ବାଇ,୩୧|୧୦: ମୁମ୍ବାଇର ପୱାଇରେ ୧୭ ଜଣ ଛୁଆଙ୍କୁ ବନ୍ଦୀ ରଖିଥିବା ୫୦ ବର୍ଷୀୟ ଯୁବକ ରୋହିତ ଆରୀୟ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି| ଘଟଣା ପରେ ବନ୍ଦୀ ହୋଇଥିବା ୧୭ ଜଣ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ | ନାଟକୀୟ ଭାବେ ରଚାଯାଇଥିବା ଏହି ଅପରାଧର ମୁକାବିଲା ପୋଲିସ ସଫଳତାର ସହିତ କରିଛି| ପୱାଇରେ ତିନି ଘଣ୍ଟା ଧରି ସଂଘର୍ଷ ପରେ ଗୁରୁବାର ଦିନ ୧୭ ପିଲା ଏବଂ ଦୁଇ ଜଣ ବୟସ୍କଙ୍କୁ ଉଦ୍ଧାର କରାଯାଇଛି | କିନ୍ତୁ ବନ୍ଦୀ କରିଥିବା ମୁଖ୍ୟ ଅପରାଧୀ ରୋହିତ ଆରୀୟ ପୋଲିସର ଗୁଳିରେ ନିହତ ହୋଇଛି |
ପୋଲିସ ଡେପୁଟି କମିଶନର ଦତ୍ତ ନାଲାୱାଡେ କହିଛନ୍ତି, ପ୍ରାୟ ୧.୩୦ ସମୟରେ ପୱାଇ ପୋଲିସ ଷ୍ଟେସନକୁ ସୂଚନା ମିଳିଥିଲା ଯେ, ଜଣେ ବ୍ୟକ୍ତି ମହାବୀର କ୍ଲାସିକ୍ କୋଠାରେ ୧୭ ଜଣ ପିଲାଙ୍କୁ ବନ୍ଧକ ରଖିଛି। ମୁମ୍ବାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା।
ପୋଲିସ ସୂଚନା ଅନୁସାରେ, ଆରୀୟ ଗତ ଛଅ ଦିନ ଧରି ଏକ ୱେବ୍ ସିରିଜ୍ ପାଇଁ ଅଡିସନ୍ ପରିଚାଳନା କରୁଥିଲେ। ଯେଉଁଥିରେ ୧୦ରୁ ୧୨ ବର୍ଷ ବୟସର ପିଲା ଏବଂ ଝିଅମାନଙ୍କୁ ଅଡିସନ୍ ପାଇଁ ଷ୍ଟୁଡିଓକୁ ଡକାଯାଇଥିଲା। ପିଲାମାନଙ୍କୁ ସକାଳ ୧୦ ଟାରେ ଷ୍ଟୁଡିଓରେ ପ୍ରବେଶ କରାଯିବା ଏବଂ ସନ୍ଧ୍ୟା ୮ ଟାରେ ଅଡିସନ୍ ଶେଷ ହେବା ପୂର୍ବରୁ ମଧ୍ୟାହ୍ନ ଭୋଜନ ବିରତି ଦିଆଯିବାର ସମୟ ସୀମା ଧାର୍ଯ୍ୟ କରାଯାଇଥିଲା | କିନ୍ତୁ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନ ବିରତି ସମୟରେ ପିଲାମାନେ ଉପସ୍ଥିତ ହୋଇନଥିଲେ ଯାହା ଅଭିଭାବକମାନଙ୍କୁ ଚିନ୍ତିତ କରିଥିଲା।
ଡିସିପି ନାଲାୱାଡେ କହିଛନ୍ତି ଯେ, ପୋଲିସ ପ୍ରଥମେ ରୋହିତଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆଲୋଚନାରେ କୌଣସି ସୁଫଳ ନ ହେବାରୁ ଏକ ପୋଲିସ ଟିମ୍ ବାଥରୁମ ଦେଇ ଷ୍ଟୁଡିଓରେ ପ୍ରବେଶ କରିଥିଲେ। ଅଗ୍ନିଶମ ବାହିନୀ ପ୍ରଥମ ମହଲାର ଝରକା ଉପରକୁ ଚଢ଼ିବା ପାଇଁ ପୋଲିସକୁ ଏକ ସିଡ଼ି ଯୋଗାଇଥିଲା।
ଆରୀୟ ପୋଲିସ ପହଞ୍ଚିବା ପୂର୍ବରୁ ଏକ ଭିଡିଓ ଜାରି କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା| ଯେଉଁଥିରେ ସେ କହିଥିଲେ ମୋର ବହୁତ ଛୋଟିଆ ଦାବି ରହିଛି । ମୋର କିଛି ପ୍ରଶ୍ନ ଅଛି,ମୁଁ ଉତ୍ତର ଚାହୁଁଛି | ଆରୀୟ କହିଥିଲେ, “ମୁଁ କିଛି ଲୋକଙ୍କ ସହିତ କଥା ହେବାକୁ ଚାହୁଁଛି | ମୁଁ ଆତଙ୍କବାଦୀ ନୁହେଁ, କିମ୍ବା ମୋର ଟଙ୍କା ପାଇଁ କୌଣସି ଦାବି ନାହିଁ। ମୁଁ ସରଳ କଥାବାର୍ତ୍ତା କରିବାକୁ ଚାହୁଁଛି। କିନ୍ତୁ ତୁମ ପଟୁ ସାମାନ୍ୟତମ ଭୁଲ ପଦକ୍ଷେପ ମୋତେ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିବ| ମୁଁ ଏହି ସମଗ୍ର ସ୍ଥାନକୁ ନିଆଁ ଲଗାଇ ଦେଇପାରେ | ମୁଁ ମରେ କି ନ ମରେ ପିଲାମାନେ ଅଯଥାରେ ଆଘାତ ପାଇବେ, ନିଶ୍ଚିତ ଭାବରେ ଆଘାତ ପାଇବେ ମୋତେ ଦାୟୀ କରାଯିବା ଉଚିତ୍ ନୁହେଁ। ଆରୀୟ ଭିଡିଓ ଶେଷରେ କହିଥିଲେ ଯେ, ଆଲୋଚନା ପରେ ସେ ରୁମ୍ ଛାଡି ଚାଲିଯିବେ |
ମୁଖ୍ୟ ଅପରାଧୀ ଆରୀୟ (୫୦) ପୂର୍ବରୁ ଦାବି କରିଥିଲେ ଯେ, ମହାରାଷ୍ଟ୍ର ଶିକ୍ଷା ବିଭାଗର ଏକ ପ୍ରକଳ୍ପ ପାଇଁ ତାଙ୍କର ପ୍ରାପ୍ୟ ବାକି ଥିଲା ଏବଂ ଏନେଇ ପୂର୍ବରୁ ପୁଣେରେ ସେ ଏକ ପ୍ରତିବାଦ ମଧ୍ୟ କରିଥିଲେ | ଦାବି ପୁରଣ ନ ହେବାରୁ ସେଥିପାଇଁ ସେ ପ୍ରତିଶୋଧ ନେଇପାରିଥାନ୍ତି ବୋଲି ଅନୁମାନ କରାଯାଉଛି |
ଅନ୍ୟପଟେ ଶିବସେନା କହିଛି ଯେ, ଆରୀୟ ଏକ ସରକାରୀ ପ୍ରୋଜେକ୍ଟ ଲେଟ୍ସ ଚେଞ୍ଜରର ନିର୍ଦ୍ଦେଶକ ଥିଲେ। ଯାହା ୨୦୨୩ ୨୦ ଜୁଲାଇରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱଚ୍ଛତା ମନିଟର ପଦକ୍ଷେପ ଚଲାଇଥିଲା। ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ପ୍ରକଳ୍ପ ପ୍ରୟାସରେ ନିର୍ଦ୍ଦେଶକ ଥିବା ଆରୀୟ ଏକ ୱେବସାଇଟ୍ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ନେଇଥିଲେ ଏବଂ ବିଭାଗ ଏଥିରେ ପୂର୍ବରୁ ଆପତ୍ତି ମଧ୍ୟ ଉଠାଇଥିଲା |

 
                        
 
                                 
                                 
                                 
                                 
                                