୨୦୧୬ ଏପ୍ରିଲରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜଣଗଣନା
        ଭୁବନେଶ୍ବର,୦୪|୧୧: ଆରମ୍ଭ ହେବ ଜଣଗଣନା କାର୍ଯ୍ୟକ୍ରମ | ଏଥିପାଇଁ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି | ୨୦୨୬ ଏପ୍ରିଲରୁ ଆରମ୍ଭ କରି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ପ୍ରଥମେ ଏଥିରେ ଘର ଗଣତି ହେବ। ଏହାପରେ ୨୦୨୭ ଫ୍ରେବୃଆରୀ ମାସ ୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଜନ ଗଣତି ହେବ।
ଏହାକୁ ଦୃଷ୍ଟିରେ ରଖି ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ନଭେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ମକ୍ ଜନଗଣନା କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟର ୪ଟି ସ୍ଥାନକୁ ବଛାଯାଇଛି। ୧୭୦ ଜଣ ଏନୁମରେଟରଙ୍କୁ ସାମିଲ କରାଯିବ। ଏବେ ସେମାନଙ୍କୁ ତାଲିମ୍ ଦିଆଯାଉଛି। ଭୁବନେଶ୍ବରର ୱାର୍ଡ ନଂ-୨୨, କଟକରେ ୱାର୍ଡ ନଂ-୧୭, ମୟୂରଭଞ୍ଜର ଠାକୁରମୁଣ୍ଡା, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ମକ୍ ଜନଗଣନା ହେବ। ଏଥିରେ ଲୋକମାନେ ସହଯୋଗ କରିବା ସହ ସମସ୍ତ ତଥ୍ୟ ଦେବାକୁ ଜନଗଣନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।
ଜନଗଣନା ନିର୍ଦ୍ଦେଶକ କହିଛନ୍ତି ଯେ, “ଏବେ ଯେଉଁ ତଥ୍ୟ ସଂଗ୍ରହ କରାଯିବ ତାହା କେବଳ ସାମ୍ପଲ ସର୍ଭେ। ପରବର୍ତ୍ତୀ ସମୟରେ ପୁଣି ଥରେ ସର୍ଭେ ହେଲାବେଳେ ଲୋକମାନଙ୍କୁ ପୁଣି ତଥ୍ୟ ଦେବାକୁ ପଡିବ। ଆଉ ଯେଉଁମାନେ ଚାହିଁବେ ଜନଗଣନା ୱେବସାଇଟ୍କୁ ଯାଇ ନିଜେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ଭରିପାରିବେ। ସେହିପରି ଏଥର ଜନଗଣନା ପ୍ରସ୍ତୁତି ନେଇ ସେ କହିଛନ୍ତି ଯେ, ଏଥର ଜନଗଣନାରେ ପ୍ରାୟ ୧ଲକ୍ଷ ଏନୁମରେଟରଙ୍କୁ ସାମିଲ କରାଯିବ। ଏଥିରେ କେବଳ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ସାମିଲ କରାଯିବ। ତାଙ୍କୁ ସୁପରଭାଇଜ୍ କରିବାକୁ ହାଇସ୍କୁଲ ଶିକ୍ଷକ ରହିବେ। ସମସ୍ତଙ୍କୁ ସ୍ମାର୍ଟଫୋନ୍ ବ୍ୟବହାର କରି ଆପ୍ ମାଧ୍ୟମରେ ସମସ୍ତ ତଥ୍ୟ ଅପଲୋଡ୍ କରିବାକୁ ହେବ।
ଯେଉଁ ଶିକ୍ଷକମାନେ ଜନଗଣନା ପ୍ରକ୍ରିୟାରେ ସାମିଲ୍ ହେବେ ସେମାନଙ୍କୁ ଅତିରିକ୍ତ ପାରିଶ୍ରମିକ ମିଳିବ। ଏଥିପାଇଁ ଆମକୁ ଅର୍ଥ ମିଳିସାରିଛି। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରୁ କେଉଁ ୪୫ଦିନ ଆମ ରାଜ୍ୟରେ ଜନଗଣନା ହେବ ତାହା ରାଜ୍ୟ ସରକାର ସ୍ଥିର କରିବେ। ୨୦୨୭ ଫେବୃଆରୀ ୧ରୁ ୨୮ ପର୍ଯ୍ୟନ୍ତ ସାରା ଦେଶରେ ଏକସଙ୍ଗେ ଜନଗଣତି ହେବ। ସମସ୍ତ ପ୍ରକ୍ରିୟା ସରିଲେ ଆମେ ଯଥାସମ୍ଭବ ଶୀଘ୍ର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇଦେବୁ ବୋଲି ସେ କହିଛନ୍ତି।”

                        