ମହିଳା କ୍ରିକେଟ ଟିମକୁ ଭେଟିବେ ପ୍ରଧାନମନ୍ତ୍ରୀ; ଶୁଣିବେ ସଫଳତାର କାହାଣୀ…
        ନୂଆଦିଲ୍ଲୀ;୦୪|୧୧: ଇତିହାସ ରଚିଛି ଭାରତୀୟ କ୍ରିକେଟ ଟିମ | ଏନେଇ ଟିମକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦିନିକିଆ ମହିଳା ବିଶ୍ବକପ୍ରେ ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାଇ, ପ୍ରଧାନମନ୍ତ୍ରୀ ମୋଦି ୫ ନଭେମ୍ବର ବୁଧବାର ଦିନ ଦିଲ୍ଲୀରେ ଭାରତୀୟ ମହିଳା ଦଳକୁ ଭେଟିବେ।
ଏହି ମ୍ୟାଚଟି ରବିବାର ଖେଳାଯାଇଥିଲା | ଏହି ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା | ଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ଦିନିକିଆ ବିଶ୍ବକପ୍ ଜିତିଛି ଭାରତ । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ବିଶ୍ବକପ୍ ଟ୍ରଫି ହାତେଇଛି । ଏହି ବିଜୟ ସହ ୫୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ବିଶ୍ବକପ୍ ନିଜ ନାମରେ କରିଛି ।
ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ମହିଳା ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିବେ | ସାକ୍ଷାତ କରିବା ସହ ସେମାନଙ୍କର ଅଭିଜ୍ଞତା ଶୁଣିବେ । ପ୍ରଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ମହିଳା ଖେଳାଳିମାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ପ୍ରମାଣିତ ହେବ । ମହିଳା ଦଳର ଉତ୍କୃଷ୍ଟ ପ୍ରଦର୍ଶନ ସାରା ଦେଶରେ ଗର୍ବ ଏବଂ ଉତ୍ସବର ପରିବେଶ ସୃଷ୍ଟି କରିଥିଲା । ଭାରତୀୟ ମହିଳା ଦଳ ଏବେ ସବୁଆଡୁ ପ୍ରଶଂସା ପାଉଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ମହିଳା ଦଳ ପାଇଁ ୫୧ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିସାରିଛି ।
ମହିଳା ଦଳର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ସ୍ୱତନ୍ତ୍ର ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, “ଭାରତୀୟ ଦଳ ICC ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ର ଫାଇନାଲରେ ଏକ ଦମଦାର ବିଜୟ ହାସଲ କରିଛି। ଖେଳାଳୀମାନେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଦକ୍ଷତା, ଆତ୍ମବିଶ୍ୱାସ ଏବଂ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାନଙ୍କୁ ଏହି ଖେଳ ଗ୍ରହଣ କରିବାକୁ ଏବଂ ଦେଶ ପାଇଁ ଗୌରବ ଆଣିବାକୁ ପ୍ରେରଣା ଦେବ । ଟିମ୍ ଇଣ୍ଡିଆକୁ ଅନେକ ଅଭିନନ୍ଦନ।”

                        