ବିହାର ନିର୍ବାଚନରେ କିଙ୍ଗମେକର କିଏ ?
ପାଟଣା: ବିହାର ନିର୍ବାଚନ ପାଇଁ ଚାଲିଛି ଜୋରଦାର ଟକ୍କର | ନିର୍ବାଚନ ପାଖେଇ ଆସିବା ସହ ନିର୍ବାଚନୀ ମୈଦାନ ମଧ୍ୟ କମ୍ପିବାରେ ଲାଗିଛି | ନିର୍ବାଚନୀ ପ୍ରାର୍ଥୀ ନିଜ ସିଂହାସନ ସମ୍ଭଳିବାରେ ତତ୍ପରତା ଦେଖାଉଛନ୍ତି | ତେବେ ଏହି ରାଜନୀତିରେ ଅଙ୍କ କସା ଟିକେ ଅଲଗା ପ୍ରକାରର ଚାଲିଛି | ଏହି ନିର୍ବାଚନରେ ଏଥର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଅତ୍ୟନ୍ତ ପଛୁଆ ବର୍ଗ। ଅର୍ଥାତ ସାରା ରାଜ୍ୟରେ ଏହି ବର୍ଗର ଲୋକଙ୍କ ସଂଖ୍ୟା ମୋଟ ୩୬.୦୧ ପ୍ରତିଶତ | ଏହି ନିର୍ବାଚନରେ ଏମାନଙ୍କର ଗୁରୁତ୍ୱ ବହୁତ | ଏମାନଙ୍କ ସଂଖ୍ୟା କୌଣସି ଦଳର ଭାଗ୍ୟକୁ ପରିବର୍ତ୍ତନ କରିଦେଇପାରେ । ଦଳର ହାର ଜିତ ଏବେ ଏହି ଗୋଷ୍ଠୀ କିମ୍ବା ଏହି ପଛୁଆ ବର୍ଗ ଉପରେ ନିର୍ଭର କରେ | ଖାସ୍ କରି ଏହି ଭୋଟର ଯେଉଁ ମେଣ୍ଟକୁ ବିଶ୍ୱାସ କରିବେ, ସେହି ମେଣ୍ଟ ହିଁ ବିହାରରେ ସରକାର ଗଠନ କରିବାକୁ ସୁଯୋଗ ପାଇବ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |
୨୦୨୩ର ଜାତିଗତ ସର୍ଭେରୁ ଜଣାପଡ଼େ ଯେ, ବିହାରରେ ଏହି ଅତ୍ୟନ୍ତ ପଛୁଆ ବର୍ଗ ଆଉ ଓବିସି ଭୋଟରଙ୍କୁ ମିଶାଇଲେ ଏହାର ସଂଖ୍ୟା ମୋଟ ଜନସଂଖ୍ୟାର ପାଖାପାଖି ୬୩ ପ୍ରତିଶତ ହେବ । ତେଣୁ ଏପରି ପରିସ୍ଥିତିରେ ଏହି ଜନସଂଖ୍ୟା ଏବେ କିଙ୍ଗମେକର ଭୂମିକାରେ । ଏହି ଜନସଂଖ୍ୟାକୁ କେଉଁ ଦଳ ଅଣଦେଖା କରିବ ନାହିଁ | ଏଥିପାଇଁ ପ୍ରାର୍ଥୀମାନେ ନିଜ ନିଜର ପ୍ରୟାସ ଜାରି କରିଛନ୍ତି | ରାଜନୈତିକ ବିଶ୍ଳେଷକଙ୍କ କହିବା ଅନୁଯାଇ, ବିଧାନସଭା ନିର୍ବାଚନରେ ଏଥର ଇସିବି ଭୋଟର ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ଆଉ ଏହି ଭୋଟର ଯେଉଁ ମେଣ୍ଟ ସପକ୍ଷରେ ଭୋଟ୍ କରିବେ, ସେହି ମେଣ୍ଟ ହିଁ ବିହାରରେ ବାଜି ମାରିବ ।
ପୂର୍ବ ଆକଳନ ଅନୁଯାଇ , ୨୦୦୫ ମସିହାରେ ବିହାରରେ ଅତି ପଛୁଆ ବର୍ଗ ନୀତିଶ କୁମାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଏହାଫଳରେ ସେହି ନିର୍ବାଚନରେ ଏନଡିଏ ବିଜୟ ହାସଲ କରିଥିଲା | ୧୪୩ ଅଧିକ ସିଟ୍ ମିଳିଥିଲା । ସେହିପରି ୨୦୧୦ ବେଳକୁ ଏନଡିଏ ପ୍ରତି ଅତି ପଛୁଆ ବର୍ଗଙ୍କ ସମର୍ଥନ ଆହୁରି ଅଧିକ ବଢ଼ି ୭୦ ପ୍ରତିଶତରେ ପହଞ୍ଚିଥିଲା, ଆଉ ସେହି ଅନୁପାତରେ ସିଟ୍ ମଧ୍ୟ ୧୪୩ରୁ ବୃଦ୍ଧି ପାଇ ୨୦୬ରେ ପହଞ୍ଚିଥିଲା । ହେଲେ ଯେତେବେଳେ ୨୦୧୫ ଆଉ ୨୦୨୦ରେ ଏନଡିଏରୁ ଅତି ପଛୁଆ ବର୍ଗଙ୍କ ସମର୍ଥନ କମିବାରେ ଲାଗିଥିଲା, ସେତେବେଳେ ଏହାର ପ୍ରଭାବ ସିଟ୍ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା ।

