ହଳଦିଆପଦର ବସଷ୍ଟାଣ୍ଡ ସମ୍ମୁଖ ଓଭର ବ୍ରିଜ ତଳ ପାଲଟିଛି ପାର୍କିଂ ଜୋନ ବଢୁଛି ଦୁର୍ଘଟଣା….ପରିବହନ ଓ ପୋଲିସ ବିଭାଗ ନିରବଦ୍ରଷ୍ଟା


ଗୋପାଳପୁର : ଜନସାଧାରଣଙ୍କ ଗମନା ଗମନ ସୁବିଧା ଓ ରାସ୍ତା ରେ ଦୁର୍ଘଟଣା ରୋକିବା ପାଇଁ ସରକାର ସଡ଼କ ନିର୍ମାଣ ସହ ବହୁବିଦ୍ଧ ଯୋଜନା ମାନ ପ୍ରଣୟନ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପରିବହନ ବିଭାଗ ଓ ପୋଲିସର ଟ୍ରାଫିକ ନିୟନ୍ତ୍ରଣ ରେ ଅବହେଳା କାରଣରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶ ଓ ଓଡିଶାକୁ ସଂଯୋଗ କରୁଥିବା ୧୬ ନଂ ଜାତୀୟ ରାଜପଥ ହଳଦିଆ ପଦର ବସଷ୍ଟାଣ୍ଡ ସମ୍ମୁଖ ଓଭର ବ୍ରିଜ ତଳେ,ଯେଉଁଠି ଅନେକ ସମୟରେ ବହୁ ଭାରି ଯାନ ସମେତ ଛୋଟ ଗାଡି ଗୁଡିକ ବେଆଇନ ପାର୍କିଂ କରୁଥିବାରୁ ଦୁର୍ଘଟଣା ମାନ ଘଟୁଛି lଓଭରବ୍ରିଜ ନିର୍ମାଣ ପରେ ସେଠାରେ ଗୋଟିଏ ପଟେ ଜାତୀୟ ରାଜପଥ ପକ୍ଷରୁ ଗୋଟିଏ ଆମ୍ବୁଲାନ୍ସ ସହ ଟ୍ୟାଙ୍କର ଓ କ୍ରେନ ରଖି ଗୋଟିଏ ପଟ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ କରିଥିବା ବେଳେ ଅନ୍ୟ ରାସ୍ତା ରେ ଭାରିଯାନ ଗୁଡିକ ବେଆଇନ ପାର୍କିଂ କରୁଛନ୍ତି। ହଳଦିଆପଦର ନୂଆଁ ବସଷ୍ଟାଣ୍ଡ ରେ ଗତ କିଛି ମାସ ହେଲା ଅସ୍ଥାୟୀ ଭାବରେ କନିଷି ତହସିଲ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ଯୋଗୁଁ ଦିନ ସାରା ଉକ୍ତ ରାସ୍ତା ଭିଡ଼ ରହୁଛି। କିନ୍ତୁ ସଂଯୋଗ ରାସ୍ତା ତଥା ଓଭର ବ୍ରିଜ ତଳେ ଟ୍ରକ ଓ ବିଭିନ୍ନ ଯାନବାହାନ ବେଆଇନ ପାର୍କିଂ କରିବା ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି l ବେଆଇନ ପାର୍କିଂ ଯୋଗୁଁ ଧୂଳି ଧୂସର ଉଡି ପରିବେଶ ପ୍ରଦୂଷଣ ହେବା ସହ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପଥଚାରୀ ମାନେ l ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି l ଓଭର ବ୍ରିଜ ତଳ ଦେଇ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ,ପୋଲିସ, ପରିବହନ ବିଭାଗର ଅଧିକାରୀ ଯାତାୟାତ କରୁଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ନ ପଡିବା ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି l ଖୋଦ ହାଇୱେରେ ପେଟ୍ରୋଲଲିଙ୍ଗ କରୁଥିବା ପିସିଆର ଭେନ ପ୍ରତିଦିନ ଉକ୍ତ ରାସ୍ତା ଦେଇ ଯାଆଆସ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିଦିନ ଅନେକ ଯାନବାହାନ ତହସିଲ କାର୍ଯ୍ୟାଳୟ, ଅଟୋ ନଗର, ମଦନମୋହନପୁର ଆଦିକୁ ଯିବା ପାଇଁ ଓଭର ବ୍ରିଜ ତଳ ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଏଭଳି ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟୁଥିବା ବେଳେ ପରିବହନ ବିଭାଗ ପକ୍ଷରୁ ବେଆଇନ ପାର୍କିଂ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି l ଅନ୍ୟପଟେ ନୂଆଁ ବସଷ୍ଟାଣ୍ଡ ରାସ୍ତାର ଦୁଇ ପାର୍ଶ୍ୱ ରୋଡ଼କୁ କବ୍ଜା କରି ମାଳମାଳ ଟ୍ରକ ପର୍କିଙ୍ଗ କରୁଥିବା ବେଳେ ରାତି ହେଲେ ଅନ୍ଧାରର ସୁଯୋଗ ନେଇ ଟ୍ରକ ଅଡରେ ମଦ୍ୟପମାନଙ୍କ ଆଡ୍ଡା ଜମିବା ସହ ଦୌରାତ୍ମ୍ୟ ବୃଦ୍ଧି ପାଉଛି lଘଟଣା ନେଇ ଅନେକ ସମୟରେ ଅଭିଯୋଗ କରାଗଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ଆଗାମୀ ଦିନରେ କିଛି ଦୁର୍ଘଟଣା ଘଟେ ତେବେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ହଳଦିଆପଦର ସମିତି ସଭ୍ୟ କେ. ପ୍ରବୀଣ କୁମାର ଚେତାବନୀ ଦେଇଛନ୍ତି l ଅନ୍ୟପଟେ ତୁରନ୍ତ ରାଜପଥରୁ ଯୁଦ୍ଧ କାଳୀନ ଭିତ୍ତିରେ ବେଆଇନ ପାର୍କିଂ ହଟେଇବାକୁ ସର୍ବସାଧାରଣରେ ଦାବୀ ହୋଇଛି l