ଦିଲ୍ଲୀରେ ପ୍ରଦୂଷଣ ସଙ୍କଟ, ରାଜା ରାସ୍ତାରେ ବିକ୍ଷୋଭ କାରୀଙ୍କ ଆନ୍ଦୋଳନ
ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ସଙ୍କଟ ବଢ଼ିବାରେ ଲାଗିଛି। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀବାସୀ। ପ୍ରଦୂଷଣ ସଙ୍କଟର ଦୃତ ଗତି ହେଉଥିଲା ବେଳେ ସରକାର କୌଣସି ଦୃଢ଼ ପଦକ୍ଷେପ ନେଇନାହାନ୍ତି। ଫଳରେ ସରକାରଙ୍କ ବିରୋଧରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ରବିବାର ସନ୍ଧ୍ୟାରେ ପ୍ରାୟ ୫ ଶହ ଜନତା ଇଣ୍ଡିଆ ଗେଟ୍ ନିକଟରେ ଏକାଠି ହୋଇଥିଲେ ଏବଂ ସରକାର ବିରୁଦ୍ଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଆନ୍ଦୋଳନକୁ ନଜରରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ କର୍ତ୍ତବ୍ୟ ପଥକୁ ବନ୍ଦ କରି ଦିଆଯାଇଛି । ଇଣ୍ଡିଆ ଗେଟ୍ ନିକଟରେ ବହୁ ସଂଖ୍ୟାରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ଅଛନ୍ତି ଏବଂ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି। ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନକୁ ସ୍ଥଗିତ କରିଥିଲେ ଆନ୍ଦୋଳନକାରୀ ମାନେ। କିନ୍ତୁ ଆଗକୁ କୌଣସି ଉଗ୍ର ପ୍ରତିବାଦ ଆଶଙ୍କାରେ ପୁଲିସ ଅନେକ ବିକ୍ଷୋଭକାରୀଙ୍କୁ ଅଟକ ମଧ୍ୟ ରଖିଛି। ଏହି ପ୍ରଦୂଷଣ ବିରୋଧୀ ଆନ୍ଦୋଳନରେ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ବସ୍ ଏବଂ ରେଳ ଷ୍ଟେସନ ପରିସରରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କ ନୂତନ ଆଦେଶକୁ ବିରୋଧ କରିଥିଲେ। ସେମାନେ ‘ଆମେ ନ୍ୟାୟ ଚାହୁଁ’ ଏବଂ ‘ଆମେ ସ୍ୱାଧୀନତା ଚାହୁଁ ’ ଭଳି ସ୍ଲୋଗାନ ମଧ୍ୟ ଦେଇଥିଲେ। ଏବଂ ହାତରେ ବ୍ୟାନର ଏବଂ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା।
ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ ସରକାର ପଶୁମାନଙ୍କୁ ହଟାଇ ଦେଉଛନ୍ତି, ଯେତେବେଳେ ପ୍ରଦୂଷଣ ହଟାଇବା ଉଚିତ୍। ପ୍ରଦୂଷଣ ସଙ୍କଟ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ସରକାର ଏହାକୁ ଲୁଚାଉଛନ୍ତି ଏବଂ ଦିଲ୍ଲୀରେ ପ୍ରଦୂଷଣ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି ବୋଲି କେତେକ ସାମାଜିକ କାର୍ଯ୍ୟକର୍ତ୍ତା କହିଛନ୍ତି।ସୂଚନାଯୋଗ୍ୟ, ଆଜି ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଂଚଳର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି। ସୁଦୃଢ ପଦକ୍ଷେପ ନେବା ବଦଳରେ କର୍ତ୍ତୃପକ୍ଷ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। କୃତ୍ରିମ ବର୍ଷା କରାଇବାରେ ସରକାରଙ୍କ ବିଫଳତା ଏବଂ ଏ ବାବଦ ବ୍ୟୟ ଉପରେ ମଧ୍ୟ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି। ଇଣ୍ଡିଆ ଗେଟ ନିକଟରେ ଆନ୍ଦୋଳନରେ ସାମିଲ ହୋଇଥିବା ପରିବେଶବିତ୍ ଭବରିନ୍ କାନ୍ଧାରୀ କହିଛନ୍ତି ଯେ, ‘ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲୁ, କିନ୍ତୁ ଆମର ଅନୁରୋଧ ଗ୍ରହଣ କରାଯାଇ ନାହିଁ। ଦିଲ୍ଲୀର ପ୍ରଦୂଷଣ ଉଦବେଗଜନକ ସ୍ତରରେ ପହଞ୍ଚିଛି କିନ୍ତୁ ଜିଆର୍ଏପି(ଗ୍ରେଡେଡ ରେସ୍ପନ୍ସ ଆକ୍ସନ ପ୍ଲାନ୍) ଦ୍ୱାରା କୌଣସି ପ୍ରକାରର ପଦକ୍ଷେପ କାର୍ଯ୍ୟକାରୀ ହୋଇନାହିଁ ବୋଲି ସେ କହିଛନ୍ତି।

