ହ୍ୱାଟ୍ସଆପ୍ରେ ଆସୁଥିବା ବିବାହ କାର୍ଡକୁ କ୍ଲିକ୍ କରୁଛନ୍ତି କି? ହେଇଯାଆନ୍ତୁ ସାବଧାନ ! ଆକାଉଣ୍ଟରୁ କଟିଯାଇପାରେ ଟଙ୍କା
ଭୁବନେଶ୍ୱର;୨୧|୧୧: ଶୀତ ଋତୁର ଅର୍ଥ ବିବାହର ଋତୁ । ଘରେ ଘରେ ଏବେ ବିବାହର ମାହୋଲ ରହିଛି | ଏହି ଭିତରେ ଆଉ ଡିଜିଟାଲ କାର୍ଡ ଟ୍ରେଂଡ଼ରେ ଚାଲିଛି | ଏହି ଡିଜିଟାଲ ଯୁଗରେ ଏବେ ସୋସିଆଲ ମିଡିଆରେ ବିବାହ କାର୍ଡ ସମସ୍ତେ ପଠାଉଛନ୍ତି । ଆଜିକାଲି ହ୍ୱାଟ୍ସଆପ୍ ମାଧ୍ୟମରେ ବିବାହ କାର୍ଡ ପଠାଇ ବାହାଘରକୁ ନିମନ୍ତ୍ରଣ କରିବା ଏକ ଫ୍ୟାସନ ପାଲଟିଛି। କିନ୍ତୁ ଏହି ଜରିଆରେ ସାଇବର ଠକ ଠକେଇ କରିବା ଆରମ୍ଭ କଲେଣି।
ଆଜିକାଲି ଇଣ୍ଟରନେଟ୍ ଏବଂ ମୋବାଇଲ ମାଧ୍ୟମରେ ଅନଲାଇନ ଠକେଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ସାଇବର ଫ୍ରଡ୍ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଠକମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ନିଜର ଶିକାର କରୁଛନ୍ତି । ସମ୍ପ୍ରତି ଏକ ନୂତନ ଠକେଇ ମାମଲା ସାମ୍ନାକୁ ଆସିଛି । ଏଥିରେ ଠକମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କୁ ବିବାହ କାର୍ଡ ପଠାଉଛନ୍ତି। ଆଉ ଆପଣ ସେହି କାର୍ଡକୁ କ୍ଲିକ୍ କଲା ମାତ୍ରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯିବ।
ସାଇବର ଠକମାନେ ପ୍ରଥମେ ଆପଣଙ୍କୁ ଏକ ଅଜଣା ନମ୍ବରରୁ ଏକ ଆକର୍ଷଣୀୟ ବିବାହ କାର୍ଡ ପଠାନ୍ତି । ଏହି କାର୍ଡଟି ପ୍ରାୟତଃ ଏକ ଲିଙ୍କ୍ କିମ୍ବା PDF ଫାଇଲ୍ ଥାଏ । ତେବେ ହ୍ବାଟ୍ସଆପ୍ରେ କାର୍ଡ ସହ ଏକ ମେସେଜ ମଧ୍ୟ ଲେଖାଯାଇଥାଏ । ଯେମିତି କି ଦୟାକରି ଆମ ବିବାହକୁ ଆସିବେ, ଦୟାକରି କାର୍ଡ ଖୋଲନ୍ତୁ, କିମ୍ବା ପରିବାର ନିମନ୍ତ୍ରଣ । ଆଉ ଏହା ଦେଖିବା ପରେ ଲୋକମାନେ କୌଣସି ଚିନ୍ତା ନ କରି ସେଥିରେ କ୍ଲିକ୍ କରନ୍ତି । ଆଉ ଆପଣ ଲିଙ୍କ୍ କିମ୍ବା ପିଡିଏଫ୍ ଖୋଲିବା ମାତ୍ରେ ଆପଣଙ୍କ ଫୋନରେ ମାଲୱେର୍ ଇନ୍ଷ୍ଟାଲ ହୋଇପାରେ । ଏହି ସଫ୍ଟୱେର୍ ଚୁପଚାପ୍ ଆପଣଙ୍କ ଫୋନର ଡାଟା ଚୋରି କରିନିଏ । ଯେଉଁଥିରେ OTP, ବ୍ୟାଙ୍କିଂ ଆପ୍ ଡାଟା ଏବଂ ପାସୱାର୍ଡ ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥାଏ। ଅନେକ କ୍ଷେତ୍ରରେ ଏହା ଆପଣଙ୍କ ଫୋନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟ ନେଇପାରେ।
ସାଧାରଣତଃ ଲୋକମାନେ ବିବାହ କାର୍ଡ ଉପରେ କ୍ଲିକ୍ କରନ୍ତି । ଏମିତିକି ସାଇବର ଠକମାନେ କାର୍ଡକୁ ଏତେ ବାସ୍ତବବାଦୀ ଭାବରେ ଡିଜାଇନ୍ କରନ୍ତି ଯେ ଜଣେ ସାଧାରଣ ବ୍ୟବହାରକାରୀ ମଧ୍ୟ ଏହାକୁ ଅସଲି ବିବାହ ନିମନ୍ତ୍ରଣ ଭାବି ଭୁଲ କରିପାରନ୍ତି । ଏହି କାରଣରୁ ଏହି ବିବାହ କାର୍ଡ ଠକେଇ ଦ୍ରୁତ ଗତିରେ ବ୍ୟାପି ଚାଲିଛି ଏବଂ ହଜାର ହଜାର ଲୋକ ମଧ୍ୟ ଏହାର ଶିକାର ହେଉଛନ୍ତି ।
ସତର୍କତା ହେଉଛି ଗୁରୁତ୍ୱପୂର୍ଣ୍ଣ । କୌଣସି ଅଜଣା ନମ୍ବରରୁ କୌଣସି PDF, ଲିଙ୍କ୍ କିମ୍ବା ୱେବସାଇଟ୍ ଯାଞ୍ଚ ନକରି କେବେବି ଖୋଲନ୍ତୁ ନାହିଁ । ଯଦି ମେସେଜ୍ ଆପଣଙ୍କ ଜଣାଶୁଣା ବ୍ୟକ୍ତିଙ୍କଠାରୁ ଆସିଛି ବୋଲି ମନେହୁଏ, ତେବେ ପ୍ରଥମେ ଏହାକୁ ନିଶ୍ଚିତ କରିବା ପାଇଁ କଲ୍ କରନ୍ତୁ । ଆପଣଙ୍କ ଫୋନରେ ଆଣ୍ଟିଭାଇରସ୍ ସଫ୍ଟୱେର୍ ଇନ୍ଷ୍ଟାଲ କରନ୍ତୁ ଏବଂ କେବେ ବି ଆପଣଙ୍କ ବ୍ୟାଙ୍କ OTP, ପାସୱାର୍ଡ କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା କାହା ସହିତ ସେୟାର କରନ୍ତୁ ନାହିଁ ।
ଯଦି ଆପଣ ଭୁଲବଶତଃ କୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ତେବେ ତୁରନ୍ତ ଆପଣଙ୍କର ଅନଲାଇନ୍ ବ୍ୟାଙ୍କିଂ ପରିବର୍ତ୍ତନ କରନ୍ତୁ। ସମସ୍ତ ପାସୱାର୍ଡ ଅପଡେଟ୍ କରନ୍ତୁ ଏବଂ ଆପଣଙ୍କ ଫୋନ୍ ସୁରକ୍ଷା ଯାଞ୍ଚ କରନ୍ତୁ । ଆବଶ୍ୟକ ହେଲେ ୧୯୩୦ରେ ସାଇବର ହେଲ୍ପଲାଇନ୍କୁ ରିପୋର୍ଟ କରନ୍ତୁ ।

