Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୭ରେ ଆରମ୍ଭ ହେବ ବିଧାନସଭା ଅଧିବେଶନ; ଏବେ ସରକାରଙ୍କୁ ଘେରିବେ ବିରୋଧୀ ଦଳ

ଭୁବନେଶ୍ୱର;୨୫|୧୧:ନୂଆପଡ଼ାରେ ଉପନିର୍ବାଚନର ପର୍ବ ସାରିବା ପରେ ବିଜେପି ବଡ଼ ବ୍ୟବଧାନରେ ଜିତିଛି । ଏହାପରେ ଏବେ ଶାସକ ଦଳ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାକୁ ଓହ୍ଲାଇବ । ସେପଟେ ପରାଜୟକୁ ସ୍ବୀକାର କରି ନପାରି ନିର୍ବାଚନ ଫଳାଫଳ ଉପରେ ବିରୋଧୀ ଉଠାଉଛନ୍ତି ପ୍ରଶ୍ନ। ଭୋଟ ଅନିୟମିତତା ପ୍ରସଙ୍ଗ ଧରି ସରକାରଙ୍କୁ ଘେରୁଛି ବିରୋଧୀ ଦଳ । ଆଉ କଂଗ୍ରେସ ବି କହୁଛି ଯେ ଉପନିର୍ବାଚନ ଜିତିବା ପଛର ଅନେକ କାରଣ ରହିଛି | ସେ କାରଣ ମଧ୍ୟରୁ ବୁଥ୍‌ ରିଗିଂ, ଇଭିଏମ୍‌ ଟ୍ୟାମ୍ପରିଂ ଅନ୍ୟତମ । ଏସବୁକୁ ନେଇ ବିଧାନସଭା ଅଧିବେଶନ ସରଗରମ ହେବ ବୋଲି ପୂର୍ବାନୁମାନ କଲେଣି ରାଜନୈତିକ ବିଶେଷଜ୍ଞ ।

ଏହି ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ୍ ଆସିବ। ଗୃହ କାର୍ଯ୍ୟ ଯେପରି ସୁରୁଖୁରରେ ଚାଲିବ | ଏହା ପୂର୍ବରୁ ଏହାର ତଦାରଖ ପାଇଁ ବାଚସ୍ପତି ନଭେମ୍ବର ୨୬ରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ କିନ୍ତୁ ଚର୍ଚ୍ଚାରେ ରହିବ । ବିରୋଧୀଙ୍କ ହାତଭରା ପ୍ରସଙ୍ଗ ଥିବାବେଳେ ସରକାର ବି ଚୁପ୍ ବସିବେ ନାହିଁ। ସଂପ୍ରତି ରାଜ୍ୟରେ ବେଧଡ଼କ ବାଲି, ଲଘୁ ଖଣିଜପଦାର୍ଥ ଚୋରାଚାଲାଣ ହେଉଛି ।

ବାଲିଘାଟ ନିଲାମ ହେଉନି । ସରକାର ନିଲାମ ବନ୍ଦ କରି ଇ-ଲଟେରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ‌ଘେରୁଛନ୍ତି। ଏପରିକି ଶାସକ ଦଳର ବିଧାୟକ ଓ ସିଏମ୍‌ଓକୁ ମଧ୍ୟ ବିବାଦକୁ ଟାଣିଲେଣି। ଏଣୁ ବିଧାନସଭାରେ ଏ ପ୍ରସଙ୍ଗକୁ ନେଇ ଅବଶ୍ୟ ଚର୍ଚ୍ଚା କରିବେ, ଅଚଳାବସ୍ଥା ସୃଷ୍ଟି ହୋଇପାରେ । ସେହିଭଳି ଆଇନଶୃଙ୍ଖଳା ପରିସ୍ଥିତି ଗୃହରେ ଏକ ବଡ଼ ପ୍ରସଙ୍ଗ ହୋଇପାରେ । ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, ଚୌଦ୍ବାର ଜେଲ୍‌ରୁ ଅପରାଧୀ ଫେରାର ହେବା ଭଳି ପ୍ରସଙ୍ଗ ଉଠିବ। ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ ସହିତ ବିଜେପି ସରକାର ଅମଳରେ ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଆକ୍ରମଣ କରିପାରନ୍ତି ।

ଏପଟେ ବିଜେପି ବି ଦମ୍‌ ଦେଖାଇବାକୁ ପ୍ରସ୍ତୁତ। ନୂଆପଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ଦଳ ବିଧାୟକମାନେ ପୂରା ଜୋସ୍‌ରେ ଅଛନ୍ତି। ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାର କୌଣସି ସୁଯୋଗ ସେମାନେ ହାତଛଡ଼ା କରିବେନି। ବିଜେଡି ଓ କଂଗ୍ରେସ ସରକାର ସମୟରେ ବାଲିଘାଟକୁ ନେଇ କ’ଣ ଅନିୟମିତତା ହୋଇଛି, ତାହାକୁ ସେମାନେ ବାହାର କରି ପାଲଟା ଆକ୍ରମଣ କରିବାକୁ ସଜବାଜ ହେଉଛନ୍ତି । ସେହିଭଳି ବିଧାନସଭା ସମୟରେ ସିବିଆଇ ତନାଘନା ଓ ପୀତବାସ ମୃତ୍ୟୁ ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ