ଇମ୍ରାନ ଖାନଙ୍କୁ ନେଇ ପାକିସ୍ତାନରେ ଖେଳୁଛି ଗୁଜବ ; ଭେଟିପାରୁନାହାନ୍ତି ପରିବାରବର୍ଗ
ଇସଲାମବାଦ;୨୬|୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ ଖବର ଆସିଛି | ଏହି ସମ୍ପର୍କରେ ପାକିସ୍ତାନରେ ଅନେକ ଗୁଜବ ସୃଷ୍ଟି ହେଉଛି। ଏହି ଗୁଜବଟି ହେଉଛି ଯେ, ସେ ଜେଲରେ ସୁସ୍ଥ ଅନୁଭବ କରୁନାହାଁନ୍ତି । ଆଉ ଅନ୍ୟପଟେ ଇମ୍ରାନ ଖାନଙ୍କ ତିନି ଭଉଣୀ ଗତ ୨୧ ଦିନ ଧରି ଆଡିଆଲା ଜେଲରେ ତାଙ୍କ ଭାଇଙ୍କୁ ସାକ୍ଷାତ କରିବାକୁ ଅପେକ୍ଷାରେ ରହିଛନ୍ତି | କିନ୍ତୁ ତାଙ୍କ ଭାଇଙ୍କ ସହିତ ସେମାନଙ୍କୁ ଦେଖାକରିବାକୁ ଦିଆଯାଉନାହିଁ । ଯେଉଁଥିପାଇଁ ଇମ୍ରାନ ଖାନଙ୍କ ଭଉଣୀମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଆଇଜିଙ୍କ ନିକଟରେ ଏହି ମାମଲାକୁ ନେଇ ଏକ ଅଭିଯୋଗ କରିଛନ୍ତି ।
କୋର୍ଟ ଅନୁମତି ଦେଇଥିବା ସତ୍ତ୍ୱେ ଇମ୍ରାନ ଖାନଙ୍କ ତିନି ଭଉଣୀ ଏବଂ ଓକିଲଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲରେ ତାଙ୍କୁ ଭେଟିବାକୁ ଦିଆଯାଉନାହିଁ। ତିନି ସପ୍ତାହ ପୂର୍ବେ ସେମାନେ ତାଙ୍କ ଭାଇଙ୍କ ସହିତ ଦେଖା କରିଥିଲେ ବୋଲି କହିଛନ୍ତି | ଭଉଣୀମାନେ ତାଙ୍କ ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନ ଖାନଙ୍କ ଅବସ୍ଥା କିମ୍ବା ସ୍ୱାସ୍ଥ୍ୟାବସ୍ଥା ବିଷୟରେ କୌଣସି ସରକାରୀ ସୂଚନା ନାହିଁ। ଇମ୍ରାନଙ୍କ ଭଉଣୀ ନୌରିନ ଆଦିଆଲା ଏ ସମ୍ପର୍କରେ ପଞ୍ଜାବ ଆଇଜିଙ୍କୁ ଅଭିଯୋଗ କରିଛନ୍ତି।
ସେପଟେ ଆଫଗାନ୍ ଗଣମାଧ୍ୟମରେ ଇମ୍ରାନ ଖାନଙ୍କ ବିଷୟରେ ଅନେକ କଥା କୁହାଯାଉଛି। ଆଉ ପାକିସ୍ତାନ ସରକାରଙ୍କୁ ଏଥିରେ ଅଭିଯୁକ୍ତ ବୋଲି ଦର୍ଶାଯାଉଛି । ସେହିଭଳି ପିଟିଆଇ ସମର୍ଥକମାନେ ପ୍ରଶ୍ନ କରିଛନ୍ତି ଯେ ଯଦି ଇମ୍ରାନ ଖାନ ସୁସ୍ଥ ଅଛନ୍ତି, ତେବେ ପୋଲିସ ତାଙ୍କୁ ଭେଟିବାକୁ କାହିଁକି ଅନୁମତି ଦେଉନାହିଁ । ପୂର୍ବ ସପ୍ତାହରେ ଇମ୍ରାନଙ୍କ ଭଉଣୀମାନେ ଆଦିଆଲା ଜେଲ ବାହାରେ ଡେରା ପକାଇଥିଲେ, ଯେଉଁଠି କି ପିଟିଆଇ ପ୍ରତିଷ୍ଠାତାଙ୍କୁ ବର୍ତ୍ତମାନ ବନ୍ଦୀ କରି ରଖାଯାଇଛି । ସେମାନେ ପିଟିଆଇର ଅନ୍ୟ ସଦସ୍ୟମାନଙ୍କୁ ତାଙ୍କ ସହିତ ସାକ୍ଷାତ କରିବାରୁ ମଧ୍ୟ ବାରଣ କରିଥିଲେ।
ସୂଚନା ଅନୁଯାଇ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଗଷ୍ଟ ୨୦୨୩ ରୁ ରାୱଲପିଣ୍ଡିର ଆଡିଆଲା ଜେଲରେ ବନ୍ଦୀ ଅଛନ୍ତି। ଅଲ-କାଦିର ଟ୍ରଷ୍ଟ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ ଗିରଫ କରିଥିଲା। ଅଭିଯୋଗ ହୋଇଛି ଯେ ଇମ୍ରାନ ଖାନ ତାଙ୍କ ପତ୍ନୀ ବୁଶରା ବିବିଙ୍କ ସହିତ ଏହି ମାମଲାରେ ଦୁର୍ନୀତି କରିଥିଲେ । ତେବେ କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାନଙ୍କ ବିରୋଧରେ ଏକ ଟ୍ରଷ୍ଟ ନାମରେ ରିଅଲ ଇଷ୍ଟେଟ୍ ଟାଇକୁନ୍ ମାଲିକ ରିଆଜ ହୁସେନଙ୍କଠାରୁ ୬୦ ଏକର ଦାନ ଗ୍ରହଣ କରିବାର ଅଭିଯୋଗ ଆସିଛି | ଯାହା ଫଳରେ ରାଜ୍ୟକୁ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ଜାନୁଆରୀ ୨୦୨୫ରେ କୋର୍ଟ ଇମ୍ରାନ ଖାନଙ୍କୁ ୧୪ ବର୍ଷ ପାଇଁ ଜେଲଦଣ୍ଡ ଦେଇଥିଲେ ।

