ଝୁଲନ୍ତା ଅବସ୍ଥାରେ ମିଳିଲେ ପାନ ମସଲା ମାଲିକଙ୍କ ବଡ ବୋହୂ; ମିଳିଲା ସୁଇସାଇଡ ନୋଟ…
ନୂଆଦିଲ୍ଲୀ; ୨୬|୧୧: ବହୁ ଚର୍ଚ୍ଚିତ ଜଣାଶୁଣା ପାନ ମସଲା ମାଲିକଙ୍କ ବଡ ବୋହୂ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏତେ ବଡ଼ ଘରର ବୋହୂ ଏମିତି କାହିଁକି କଲେ | ଏହା ଏକ ପ୍ରଶ୍ନ ହୋଇ ସମସ୍ତଙ୍କ ସାମ୍ନାରେ ଠିଆହୋଇଛି | ତାଙ୍କର ଅସୁବିଧା କଣ ହୋଇଥିଲା । କମଲା ପସନ୍ଦ ଏବଂ ରାଜଶ୍ରୀ ପାନ ମସଲା ଗ୍ରୁପର ମାଲିକ କମଲ କିଶୋର। ତାଙ୍କ ବୋହୂ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁବରଣ କରିଥିବା ମହିଳାଙ୍କ ନାମ ହେଉଛି ଦୀପ୍ତି ଚୌରାସିଆ। ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି। ଦୀପ୍ତି ତାଙ୍କ ଘରେ ସ୍କାର୍ଫରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲେ। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ପୋଲିସ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ | ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପରିସ୍ଥିତି ଉପରେ ଅଧିକ ସ୍ପଷ୍ଟତା ପ୍ରଦାନ କରିବ। ସୁଇସାଇଡ ନୋଟର ହାତଲେଖା ଏବଂ ସତ୍ୟତା ନିଶ୍ଚିତ କରିବା ପାଇଁ ଏହାର ଫରେନସିକ୍ ପରୀକ୍ଷା ମଧ୍ୟ କରାଯିବ। ”ଦୀପ୍ତି କିଛି ସମୟ ଧରି କୌଣସି ମାନସିକ ଚାପରେ ପୀଡିତ ଥିଲେ କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି। କାହିଁକିନା ଦୀପ୍ତି ଶାନ୍ତ ସ୍ୱଭାବର ଥିଲେ ବୋଲି ପରିବାର ଲୋକେ କହିଛନ୍ତି।” ତେଣୁ ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ପରିବାର ସଦସ୍ୟଙ୍କ ସୂଚନା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲା। ପୋଲିସ ସେଠାରୁ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି। ଯେଉଁଥିରେ ଦୀପ୍ତି କାହା ବିରୁଦ୍ଧରେ ସିଧାସଳଖ ଅଭିଯୋଗ କରିନାହାନ୍ତି ବୋଲି ଜଣାପଡିଛି|
ପ୍ରାଥମିକ ତଦନ୍ତ ଅନୁଯାୟୀ, ସୁଇସାଇଡ ନୋଟରେ ତାଙ୍କ ମାନସିକ ଏବଂ ଭାବପ୍ରବଣ ଅବସ୍ଥାକୁ ଦର୍ଶାଉଛି। ହେଲେ ଏଥିରେ କୌଣସି ନିର୍ଯାତନାର ଉଲ୍ଲେଖ ନାହିଁ। କହିବାକୁ ଗଲେ ଦୀପ୍ତି ୨୦୧୦ରେ କମଲ କିଶୋରଙ୍କ ପୁଅ ଅର୍ପିତ ଚୌରାସିଆଙ୍କୁ ବିବାହ କରିଥିଲେ। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। ପୋଲିସ ଅନୁଯାୟୀ, ଘରୋଇ କଳହର କୌଣସି ଠୋସ୍ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ତଥାପି, ପୋଲିସ ସମସ୍ତ ଦିଗରୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରୁଛି। ଦୀପ୍ତି ଏବଂ ତାଙ୍କ ସ୍ୱାମୀଙ୍କ ସମ୍ପର୍କ, କାର୍ଯ୍ୟକଳାପ, ‘ଫୋନ୍ ରେକର୍ଡ ଏବଂ ବ୍ୟକ୍ତିଗତ କଥାବାର୍ତ୍ତା ସହିତ ଜଡିତ ଡିଜିଟାଲ୍ ତଥ୍ୟ ଯାଞ୍ଚ କରାଯିବ। ପରିବାରର ଉଭୟ ପକ୍ଷର ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ। ଖୁବଶୀଘ୍ର ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି। ”

