Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ରାତି ଭିତରେ ୪୮ ଚୋରା ବାଲିବୋଝେଇ ହାଇୱା ଜବତ ; ୧୦ ଅଟକ

ଜଗତସିଂହପୁର;୨୬|୧୧: ରାତି ଯେତିକି ବଢ଼ିବାରେ ଲାଗିଛି ବାଲି ମାଫିଆଙ୍କ କାଣ୍ଡକାରନାମା ସେତିକି ବଢ଼ିବାରେ ଲାଗିଛି। ମୟୂରଭଞ୍ଜ ପରେ ଏବେ ଏ ସବୁର ଶିକାର ହୋଇଛି ଜଗତସିଂହପୁର ଜିଲ୍ଲା | ଏଠାରେ ବେଆଇନ ଭାବରେ ବାଲି ଚୋରା ଚାଲାଣ ଚାଲିଛି। ଖବରପାଇବା ମାତ୍ରେ ବାଲି ଘାଟରେ ରାତି ଅଧିଆ ଚଢାଉ କରିଥିଲା ପୋଲିସ । ୫୦ରୁ ଅଧିକ ବାଲି ଗାଡ଼ି ଜବତ ହୋଇଥିଲା । ତିର୍ତ୍ତୋଲ ଅଞ୍ଚଳ ବାଲିପାଟଣାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାଞ୍ଚଳ DIG, ଜିଲ୍ଲାପାଳ ଜଗତସିଂହପୁର, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ SP ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ଚଢାଉରେ ସାମିଲ୍ ଥିଲେ। ଘଟଣାସ୍ଥଳୀରେ ୫ ଜଣ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ମାଫିଆଗୋଷ୍ଠୀ ମେସିନ ସାହାଯ୍ୟରେ ବାଲି ଚୋରି କରିବା ସହ ହାଇୱା ଯୋଗେ ବାହାରକୁ ଚୋରା ଚାଲାଣ କରୁଥିଲେ । ଏହାଦ୍ୱାରା ପରିବେଶ ଅସନ୍ତୁଳନ ବୃଦ୍ଧି ପାଇବା ସହିତ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟୁଛି । ଜଗତସିଂହପୁରରେ ବାଲି ଚୋରା ଚାଲାଣ ଏବେ ଏକ ନିତିଦିନିଆ ବ୍ୟବସାୟରେ ପରିଣତ ହୋଇଛି। ଦିନରାତି ମେସିନ୍ ଲଗାଇ ହାଇଓ୍ବା, ଟ୍ରକ ଓ ଟ୍ରାକ୍ଟରରେ ବାଲି ଲୁଟ୍ ଚାଲିଛି। ଏହାଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି | ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଗାଁ ଗଣ୍ଡା ଘାଟଗୁଡ଼ିକରେ ପୋଖରୀ ଭଳି ଗାତ ଖୋଳାଯାଇ ବଡ଼ ବଡ଼ ମେସିନ୍ ଲଗାଇ ନଦୀପଠାରୁ ବାଲି ଉଠାଯାଉଛି। ଏହି ଚୋରା ଚାଲାଣକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ଉପରେ ମାଫିଆଙ୍କ ଆକ୍ରମଣ ମଧ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ, ପ୍ରତିଦିନ ଶହଶହ ଭାରୀଯାନ ଚଳାଚଳ କରୁଛି ଏହି ଗାଁ ରାସ୍ତା ଦେଇ। ବାଲି ବୋଝେଇ ଗାଡ଼ି ଯିବାରୁ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଗଲାଣି। ପରିସ୍ଥିତି ଏପରି ହୋଇଛି ଯେ ଗାଁକୁ ଆମ୍ବୁଲାନ୍ସ କି ଗ୍ୟାସ୍ ଗାଡ଼ି ଭଳି ଜରୁରୀକାଳୀନ ସେବା ପହଞ୍ଚିବା କଷ୍ଟକର ହୋଇପଡୁଛି ।

ମୟୂରଭଞ୍ଜ ଜିଲ୍ଲାରେ ବାଲିମାଫିଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅହରହ ବାଲି ଲୁଟ୍‌ କରୁଥିବା ବେଳେ ଚଢ଼ଉ କରୁଥିବା ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଆଜି ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଢାବା ନିକଟରେ ବାଲି ବୋଝେଇ ଗାଡ଼ି ଜବତ କାରଣରୁ ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ବାଲିମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ଓ ଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସା‌ରେ, ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ସ୍ଥାନୀୟ ଜେଏମ୍‌ଏଫସି କୋର୍ଟ ନିକଟରେ ମୁକ୍ତାପୁର ଗ୍ରାମର ସୁନୀଲ ଲେଙ୍କାଙ୍କ ନାମରେ ପଞ୍ଜୀକୃତ ଓଡି୧୧ଏଇ-୩୨୩୪ ନମ୍ବର ବିଶିଷ୍ଟ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ବେତନଟୀ ପୁଲିସକୁ ହସ୍ତାନ୍ତର କରିଥିଲେ।

ଏଥିରେ ପ୍ରତିଶୋଧ ପରାୟଣ ହୋଇ ୧୫ରୁ ୨୦ଜଣ ସଂଘବଦ୍ଧ ହୋଇ ସନ୍ଧ୍ୟା ସମୟରେ ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ତହସିଲଦାର ଗାଡ଼ିଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାରେ ଜଡିତ ୨ମୁଖ୍ୟ ଅଭିଯୁକ୍ତ ବଡ଼ସାହି ଥାନା ବର୍ତ୍ତନା ଗ୍ରାମର ପ୍ରଶାନ୍ତ ଗାଆଣ ଓ ତାଙ୍କ ସହଯୋଗୀ ସୁଶାନ୍ତ ଗାଆଣଙ୍କୁ ଗିରଫ କରିଛି ପୁଲିସl ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସଡିପିଓଙ୍କ ନେତୃତ୍ୱରେ ବଡ଼ସାହି ଓ ବେତନଟୀ ପୁଲିସର ଏକାଧିକ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତିl

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ