ଡିସେମ୍ବର ରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ ; ଜଣାନ୍ତୁ କେଉଁ କେଉଁ ଦିନ
ନୂଆଦିଲ୍ଲୀ ;୩୦|୧୧: ଆଉ କିଛି ଦିନର ବ୍ୟବଧାନରେ ଆରମ୍ଭ ହେବ ନୂଆ ବର୍ଷ | ଚାହୁଁ ଚାହୁଁ ପୁରି ଯିବ ଗୋଟେ ବର୍ଷ | ମାସେ ପୁରିଲେ ଆସିବ ନୂଆବର୍ଷ । ତେବେ ଡିସେମ୍ବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି ଆର୍ବିଆଇ । ଯେହେତୁ ବର୍ଷର ଶେଷ ମାସ ଏବେ ଏହି ମାସରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ଖ୍ରୀଷ୍ଟମାସ ପାଳନ ହୁଏ । ତା ସହ ନୂଆ ବର୍ଷ ପାଇଁ ଛୁଟି ମଧ୍ୟ ରହିଥାଏ । ଡିସେମ୍ବର ମାସରେ ଛୁଟିର ତାଲିକା ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରହିଥାଏ ।
ଏହି ଡିସେମ୍ବର ମାସରେ କୌଣସି ବ୍ୟାଙ୍କ କାମ ଥିଲେ ଆଜିଠାରୁ ହିଁ ସାରିବାକୁ ଚେଷ୍ଟା କରନ୍ତୁ । କାରଣ ଏହି ମାସର ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ତାହା ଜାଣି ରଖିବା ନିହାତି ଜରୁରୀ । ତା ନହେଲେ ସାଧାରଣ ଲୋକେ ସମସ୍ୟାରେ ପଡ଼ି ପାରନ୍ତି । ତେବେ ଏହି ମାସରେ ଥିବା ବ୍ୟାଙ୍କ ଛୁଟି ମଧ୍ୟରୁ କେତେକ ଆଞ୍ଚଳିକ ଛୁଟି ମଧ୍ୟ ସାମିଲ ରହିଛି । ତାହାଛଡ଼ା ଏଥର ଖ୍ରୀଷ୍ଟମାସ ବା ବଡ଼ଦିନ ଛୁଟି ପଡ଼ୁଥିବାରୁ ସେହି ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଛୁଟି ଲିଷ୍ଟ ଅନୁଯାୟୀ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବି ବ୍ୟାଙ୍କ ଛୁଟି ରହିବ ।
୩ ଡିସେମ୍ବର ୨୦୨୫ ବୁଧବାର ଦିନ ଗୋଆରେ ସେଣ୍ଟ ଫ୍ରାନ୍ସିସ୍ ଜାଭିୟରଙ୍କ ପର୍ବ ପାଳନ କରାଯିବ ।୧୨ ଡିସେମ୍ବର ୨୦୨୫ ଶୁକ୍ରବାର ଦିନ ମେଘାଳୟରେ ପା ତୋଗନ ନେଙ୍ଗମିଞ୍ଜା ସାଙ୍ଗମାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବ । ୧୮ ଡିସେମ୍ବର ୨୦୨୫ ଗୁରୁବାର ଦିନ ମେଘାଳୟରେ ୟୁ ସୋସୋ ଥାମଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବ । ୧୯ ଡିସେମ୍ବର ୨୦୨୫ ଶୁକ୍ରବାର ଗୋଆରେ ଗୋଆ ମୁକ୍ତି ଦିବସ ପାଳନ କରାଯିବ ।୨୨ ଡିସେମ୍ବର ୨୦୨୫ ସୋମବାର ସିକ୍କିମରେ ଲୋସୁଙ୍ଗ/ନାମସୁଙ୍ଗ ଉତ୍ସବ । ୨୪ ଡିସେମ୍ବର ୨୦୨୫ ବୁଧବାର ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ କ୍ରିସମାସ ଇଭ୍ ପାଳନ । ୨୫ ଡିସେମ୍ବର ୨୦୨୫ ଗୁରୁବାର ସମଗ୍ର ଭାରତରେ ବଡ଼ଦିନ ବା ଖ୍ରୀଷ୍ଟମାସ ଛୁଟି । ୨୬ ଡିସେମ୍ବର ୨୦୨୫ ଶୁକ୍ରବାର ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ କ୍ରିସମାସ ପାଳନ ପାଇଁ ଛୁଟି । ୨୭ ଡିସେମ୍ବର ୨୦୨୫ ଶନିବାର ନାଗାଲାଣ୍ଡରେ କ୍ରିସମାସ ପାଇଁ ବ୍ୟାଙ୍କ ଛୁଟି । ୩୦ ଡିସେମ୍ବର ୨୦୨୫ ମଙ୍ଗଳବାର ମେଘାଳୟରେ ୟୁ କିଆଙ୍ଗ ନାଙ୍ଗବାହଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଛୁଟି । ୩୧ ଡିସେମ୍ବର ୨୦୨୫ ବୁଧବାର ମିଜୋରାମ ଓ ମଣିପୁରରେ ନୂତନ ବର୍ଷ ପୂର୍ବ ସନ୍ଧ୍ୟା (New Year’s Eve) କିମ୍ବା ଇମୋଇନୁ ଇରାଟପାଙ୍କ ପାଇଁ ଛୁଟି ।
ଡିସେମ୍ବର ୨୦୨୫ରେ ୬ଟି ସାପ୍ତାହିକ ଛୁଟି ରହିବ । ଏଥିମଧ୍ୟରୁ ୧୩ ତାରିଖ ଦ୍ୱିତୀୟ ଶନିବାର ଏବଂ ୨୭ ତାରିଖ ଚତୁର୍ଥ ଶନିବାର କାରଣରୁ ବ୍ୟାଙ୍କ ଛୁଟି ରହିବ । ୭, ୧୪, ୨୧ ଏବଂ ୨୮ ତାରିଖ ରବିବାର ହୋଇଥିବାରୁ ଛୁଟି ରହିବ । ଏହି ଛୁଟିଗୁଡ଼ିକ ପୁରା ଭାରତବବର୍ଷରେ ରହିବ ।

