ଗଣବିବାହରେ ବିବାହ କଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ
ଭୋପାଳ;୦୧|୧୨: ରାଜନେତାଙ୍କ ଘରେ ହେଲା ବିବାହ ସମ୍ପର୍ଣ୍ଣ | ସାଧାରଣ ଘର ଅପେକ୍ଷା ରାଜନେତାଙ୍କ ଘରେ ହେଉଥିବା ବିବାହ ଅଧିକ ଚର୍ଚ୍ଚାରେ ରହିଥାଏ | ତାଙ୍କ ଘରମାନଙ୍କର ବିବାହ ପଞ୍ଚତାରକା ହୋଟେଲ ହେଉ ଅବା ବିଦେଶରେ ଡେଷ୍ଟିନେସନ ୱେଡିଙ୍ଗ ଜରିଆରେ ହୋଇଥାଏ | ଏଭଳି ଆଭିଜାତ୍ୟ ସମ୍ପନ୍ନ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବା ସ୍ବାଭାବିକ। ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅଙ୍କ ବିବାହ ହୋଇଛି | କିନ୍ତୁ ଏହି ବିବାହରେ କିଛି ବ୍ୟତିକ୍ରମ ସୃଷ୍ଟି କରିଛି।
ମୁଖ୍ୟମନ୍ତ୍ରୀଙ୍କ କନିଷ୍ଠ ପୁତ୍ର ଡା.ଅଭିମନ୍ୟୁ ଯାଦବ ରବିବାର ଏକ ଗଣବିବାହ ଅଭିଯାନରେ ସାମିଲ ହୋଇ ଡା.ଇଷିତା ଯାଦବଙ୍କୁ ବିବାହ କରିଛନ୍ତି। ଉଜ୍ବୟିନୀର ପବିତ୍ର ସିପ୍ରା ନଦୀକୂଳରେ ଏହି ଗଣବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଅଭିମନ୍ୟୁ-ଇଷିତାଙ୍କ ସହିତ ଅନ୍ୟ ୨୧ ଜଣ ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ଉତ୍ସବରେ ହିନ୍ଦୁ ପାରମ୍ପରିକ ରୀତିନୀତିକୁ ପ୍ରାଧାନ୍ୟ ଦିଆଯାଇଥିଲା। ବରମାନେ ଘୋଡାରେ ଚଢ଼ି ଏବଂ କନ୍ୟାମାନେ ସୁସଜ୍ଜିତ ପାଲିଙ୍କିରେ ବସି ବିବାହ ମଣ୍ଡପକୁ ଆସିଥିଲେ। ଏଥିପାଇଁ ବିରାଟ ମଣ୍ଡପ ନିର୍ମିତ ହୋଇଥିଲା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଭଳି ଭିଭିଆଇପି ଓ ବିଶିଷ୍ଟ ଧର୍ମଗୁରୁ ଏହି ଗଣବିବାହରେ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଗଣବିବାହରେ କୌଣସି ରାଜନେତା କିମ୍ବା ଭିଆଇପି ଲୋକମାନଙ୍କର ଚିହ୍ନବର୍ଣ୍ଣ ନଥିଲା। ସବୁ ଅତିଥିଙ୍କୁ ସମାନ ଆତିଥ୍ୟ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଗଣବିବାହ ଜରିଆରେ ବିବାହ କରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ଅଭିମନ୍ୟୁ କହିଛନ୍ତି। ଏହାଦ୍ବାରା ସାମାଜିକ ସମାନତାକୁ ଗୁରୁତ୍ବ ଏବଂ ଜାତିଆଣ ଭେଦଭାବକୁ ଦୂରେଇ ଦିଆଯାଇଛି ବୋଲି ସେ କହିଛନ୍ତି। ନିମନ୍ତ୍ରିତ ଅତିଥିମାନେ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିବା ସହ ଦାମ୍ପତ୍ୟ ଜୀବନର ଶୁଭେଚ୍ଛା ଜଣାଇଥିଲେ। ପ୍ରାୟ ୨୫ ହଜାର ଅତିଥିଙ୍କ ସମାଗମକୁ ଦୃଷ୍ଟିରେ ରଖି ବିବାହ ସ୍ଥଳରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଥିଲା।

