ଚିଠି ମାଧ୍ୟମରେ ରାଜକ୍ଷମା ମାଗିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ;୦୧|୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଚାଲିଛି ମାମଲା | ତାଙ୍କ ନାମରେ ଦୀର୍ଘ ଦିନ ଧରି ଦୁର୍ନୀତି ମାମଲା ବିଚାରାଧୀନ ରହିଛି। ଏହି ପ୍ରସଙ୍ଗରେ ରାଜକ୍ଷମା ପ୍ରଦାନ କରିବାକୁ ନେତାନ୍ୟାହୁ ଏହାମଧ୍ୟରେ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଚିଠି ଲେଖିଥିଲେ | ସେ ଏହି ଚିଠି ମାଧ୍ୟମରେ ଅନୁରୋଧ କରିଥିବା ଜଣାପଡିଛି। ସେହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ବିବାଦୀୟ। ପ୍ରଧାନମନ୍ତ୍ରୀ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରୁଥିବାରୁ ମାମଲାର ଶୁଣାଣି ଓ ରାୟ ଦେଶ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପୁନଶ୍ଚ ଏହି ମାମଲାକୁ ନେଇ ଇସ୍ରାଏଲ ବର୍ତ୍ତମାନ ଦୁଇ ଦଳ ଭାବରେ ବିଭାଜିତ ହୋଇଛନ୍ତି |
ନେତାନ୍ୟାହୁଙ୍କ ସମର୍ଥକମାନେ ଦୁର୍ନୀତି ଅଭିଯୋଗକୁ ଉଦ୍ଦେଶ୍ୟ ପ୍ରଣୋଦିତ କହୁଥିବାବେଳେ ସମାଲୋଚକମାନେ ତାଙ୍କୁ ଦଣ୍ଡିତ କରାଯାଉ ବୋଲି ଜିଦ କରୁଛନ୍ତି। ପ୍ରାୟ ଦୁଇବର୍ଷ ଧରି ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି | କିନ୍ତୁ ଏପଯ୍ୟନ୍ତ ଏହାର କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନାହିଁ। ଏଭଳି ପରିସ୍ଥିତିରେ ଦେଶକୁ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀର ଆବଶ୍ୟକତା ରହିଛି। ତେଣୁ ରାଜକ୍ଷମା ପ୍ରଦାନ କରାଗଲେ ଏହି ବିବାଦର ସମାଧାନ ହୋଇପାରିବ | ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ସୁଦୃଢ ହୋଇପାରିବ ବୋଲି ନେତାନ୍ୟାହୁ ଯୁକ୍ତି ଦର୍ଶାଇଛନ୍ତି। ଅପରପକ୍ଷରେ ଆଇନଗତ ପ୍ରସଙ୍ଗକୁ ତର୍ଜମା କରାଯିବାପରେ ରାଜକ୍ଷମା ଆବେଦନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

