ଜମିବ ଏଥର ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ! ବାରବାଟୀରେ ମଜା ବଢ଼ାଇବ ‘ନାଲି ମାଟିର ପିଚ୍
ଭୁବନେଶ୍ୱର,୪|୧୨: ଆସନ୍ତା ୯ରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ | ତେବେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି | ଖେଳାଳିଙ୍କ ସୁରକ୍ଷାଠୁ ଆରମ୍ଭ କରି ବାରବାଟୀ କ୍ରିକେଟ ଷ୍ଟାଡିୟମର ସମସ୍ତ ବ୍ୟବସ୍ଥା ଉପରେ ଜୋରଦାର ପ୍ରସ୍ତୁତି ସରିଛି | କ୍ରିକେଟରେ ଏହି ଟକ୍କରକୁ ନେଇ ଫୁଲ୍ ଯୋଶ୍ରେ ଅଛନ୍ତି କ୍ରିକେଟ ପ୍ରେମୀ। ତେଣୁ ଏହି ମ୍ୟାଚ୍କୁ ହାଇସ୍କୋରିଂ କରିବା ପାଇଁ ବାରବାଟୀରେ ପ୍ରସ୍ତୁତି ହୋଇଛି ଏଥର ସ୍ୱତନ୍ତ୍ର ପିଚ୍ । ଚର୍ଚ୍ଚାରେ ରହିଛି ବାରବାଟୀର ରେଡ୍ ସଏଲ୍ ବା ନାଲି ମାଟିରେ ତିଆରି ପିଚ୍ ।
ଏଥର ମ୍ୟାଚ ଭାରତୀୟ କ୍ରିକେଟ ଟିମ ପାଇଁ ଏକ ସ୍ୱତନ୍ତ୍ର ଅନୁଭବ ଆଣିଦେବ | କାରଣ ବାରବାଟୀରେ ପ୍ରଥମ ଥର ପାଇଁ ରେଡ୍ ସଏଲ୍ ବା ନାଲି ମାଟି ପିଚ୍ରେ ଖେଳାଯିବ ଏହି ଅନ୍ତର୍ଜାତୀୟ ମ୍ୟାଚ୍ । ପୂର୍ବବର୍ଷ ମୁମ୍ୱାଇରୁ ନାଲି ମାଟି ଆଣି କଟକ ବାରବାଟୀ ଷ୍ଟାଡିୟମର ୪ ନମ୍ୱର ପିଚ୍ ତିଆରି କରାଯାଇଛି । ୯ ତାରିଖର ମ୍ୟାଚ୍ ପାଇଁ ଏକ ମାସ ଧରି ଏହାର ପ୍ରସ୍ତୁତି କରାଯାଉଥିଲା । ତେବେ ଆଜି ଉଭୟ ବିସିସିଆଇ ଏବଂ ଓସିଏର କ୍ୟୁରେଟର୍ ପିଚ୍ ଯାଞ୍ଚ କରିବା ପରେ ସେଠାରେ ହିଁ ଖେଳ ହେବ ବୋଲି ନିଷ୍ପତ୍ତି ହୋଇଛି ।
ଓସିଏ କ୍ୟୁରେଟର୍ ଅଞ୍ଜନ ଖୁଣ୍ଟିଆଙ୍କ କହିବା ଅନୁସାରେ, ଯେହେତୁ ରାତିରେ ମ୍ୟାଚ୍ ହେବ ତେଣୁ ଶୀତ ଦିନେ ରାତିରେ କାକର ପଡ଼ିବ। ତେବେ ଟାଣ ନାଲି ମାଟି ଉପରେ କାକରର ବିଶେଷ ପ୍ରଭାବ ପଡିବ ନାହିଁ ଏବଂ ଖେଳରେ କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ ହେବ ନାହିଁ |
ମ୍ୟାଚ୍ ଉପରେ କିଭଳି ପ୍ରଭାବ ପକାଇବ ରେଡ୍ ସଏଲ୍ ପିଚ୍ ? କ୍ରିକେଟ୍ ବିଶେଷଜ୍ଞଙ୍କ କହିବା ଅନୁସାରେ, ରେଡ୍ ସଏଲ୍ ହାର୍ଡ ପିଚ୍ ହେଉଥିବାରୁ, ବଲ୍ ଅଧିକ ବାଉନ୍ସ ହୁଏ । ବଲ୍ର ପେସ୍ ଭଲ ରହେ । ସ୍କୋର୍ ଅଧିକ ହେବାର ସମ୍ଭାବନା ଥାଏ । ବଡ଼ ସ୍କୋର୍ କରିବା ପାଇଁ ଏହା ଉଭୟ ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡିଆ ଟିମ୍କୁ ଫାଇଦା ଦେବ । ବାରବାଟୀ ମ୍ୟାଚ୍ରେ ୧୮୦-୨୦୦ ଭିତରେ ସ୍କୋର୍ ରହିପାରେ ବୋଲି ସେ ଅନୁମାନ କରିଛନ୍ତି । ପୂର୍ବରୁ ବାରବାଟୀରେ ବ୍ଲାକ୍ ସଏଲ୍ ପିଚ୍ ରେ ଖେଳ ହେଉଥିଲା । ତେବେ ଏଥର ରେଡ୍ ସଏଲ୍ କେଉଁ କମାଲ୍ ଦେଖାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି |

