ମମତାଙ୍କୁ ଅଡୁଆରେ ପକାଉଛନ୍ତି ହୁମାୟୁନ୍; ହୁମାୟୁନ୍ କବୀର ଜଣେ ବିଜେପି ଏଜେଣ୍ଟ: ଟିଏମସି
ପଶ୍ଚିମବଙ୍ଗ ;୮|୧୨: ବିବାଦ ଭିତରେ ଚାଲିଛି ପଶ୍ଚିମବଙ୍ଗରେ ହେବାକୁ ଥିବା ବାବରୀ ମସଜିଦ | ଗୋଟେ ପଟେ ଟିଏମସି ଦାବି କରୁଛି ଯେ, ହୁମାୟୁନ୍ କବୀର ଜଣେ ବିଜେପି ଏଜେଣ୍ଟ, ଯେତେବେଳେ କି ବିଜେପି ଦାବି କରୁଛି ଯେ, ଏହି ବିବାଦ ଟିଏମସି ଭିତରେ ଅଛି। ପୂର୍ବରୁ ହୁମାୟୁନ୍ କବୀର ଥରେ ବିଜେପି ସଦସ୍ୟ ଥିଲେ ଏବଂ ବିଜେପି ଟିକେଟ୍ରେ ୨୦୧୯ ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ।
ପୂର୍ବରୁ ହୁମାୟୁନ୍ କବୀର ୨୦୧୮ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି, ତାଙ୍କୁ ବିଜେପି ମୁର୍ଶିଦାବାଦ ଆସନରୁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମନୋନୀତ କରିଥିଲା। ସେ ଏକ ବଡ଼ ପରାଜୟ ସହି ଷଷ୍ଠ ସ୍ଥାନରେ ରହିଥିଲେ। ଏହି କାରଣରୁ ହୁମାୟୁନ୍ କବୀର ବିଜେପିରେ ଅଧିକ ଦିନ ରହିପାରିଲେ ନାହିଁ। ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଟିଏମସିକୁ ଫେରି ଆସିଲେ ଏବଂ ଭରତପୁର ଆସନରୁ ବିଧାୟକ ହେଲେ। ଏଥର ତାଙ୍କର ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା ଏବଂ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳରୁ ବହିଷ୍କାର କରିଥିଲା।
ପୂର୍ବ ସୂଚନା ଅନୁଯାଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହେବାକୁ ଯାଉଛି ବାବରୀ ମସଜିଦ | ବେଲଡଙ୍ଗାରେ ମସଜିଦ ନିର୍ମାଣ ଲାଗି ଶିଳାନ୍ୟାସ ହୋଇଥିଲା। ଦୀର୍ଘ ୩୩ ବର୍ଷ ପରେ ପୁଣି ବାବ୍ରି ମସଜିଦ ନେଇ ରାଜନୀତିରେ ଚାଲିଛି ବାଦ ବିବାଦ। ଏଥର ଅଯୋଧ୍ୟା ନୁହେଁ, ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବେଲଡଙ୍ଗାରେ ନିର୍ମାଣ ହେବ ଅବିକଳ ବାବ୍ରି ଢାଞ୍ଚାରେ ମସଜିଦ। ନିଲମ୍ବିତ ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁଁ କବୀର ଏନେଇ ଶିଳାନ୍ୟାସ କରିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ତର୍କବିତର୍କ ଆରମ୍ଭ ହୋଇଛି। ଏନେଇ ହୁମାୟୁଁ କହିଛନ୍ତି, ପ୍ରଶାସନ ମୋତେ ସହଯୋଗ କରିଛି, ମୁଁ ଏହାକୁ ନିର୍ମାଣ କରିବି।
କବୀରଙ୍କୁ ବ୍ୟବହାର କରି TMC ନିଜର ଭୋଟବ୍ୟାଙ୍କ ମଜଭୁତ କରୁଛି। ଏହାସହ ରାଜ୍ୟରେ ସାମ୍ପ୍ରଦାୟିକ ମାହୋଲ ଖରାପ କରିବା ପାଇଁ ଏପରି କରୁଥିବା ବିଜେପି ନେତା ଦିଲ୍ଲୀପ ଘୋଷ କହିଛନ୍ତି। ସେପଟେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ, ମସଜିଦ ନିର୍ମାଣକୁ ଆମେ ବିରୋଧ କରୁନୁ, କିନ୍ତୁ ଏଥିରେ ବ୍ୟବହାର ହୋଇଥିବା ବାବରୀ ନାମକୁ ବିରୋଧ କରାଯାଉଛି। ଏହାକୁ ନା ପସନ୍ଦ କରିଛନ୍ତି ବରିଷ୍ଠ ନେତା ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି। ମମତା ବାନାର୍ଜୀ ପ୍ରଶାନସିକ ସ୍ତରରେ ସମର୍ଥନ ଦେଉଥିବା ସେ କହିଛନ୍ତି। ସେହିପରି ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମନ୍ତ୍ରୀ ସୁଧାଂଶୁ ପଟ୍ଟନାୟକ କହିଥିଲେ ଯେ , ମସଜିଦ ହେଉ ଗୀର୍ଜା ହେଉ ଆମର କୌଣସି ଅସୁବିଧା ନାହିଁ କିନ୍ତୁ ଯାହାର ନାମରେ ହେଉଛି ସିଏ ଭାରତର ଶତ୍ରୁ।
ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଏସବୁ ଭିତରେ ଅନେକ ସମର୍ଥକ ମୁଣ୍ଡରେ ଇଟା ଧରି ବେଲଡଙ୍ଗାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଅତିଥିମାନଙ୍କ ପାଇଁ ପ୍ରାୟ ୪୦ ହଜାର ପ୍ୟାକେଟ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ୨୦ ହଜାର ବିରିୟାନୀ ପ୍ୟାକେଟ ପ୍ରସ୍ତୁତ କରାଯାଇଥିଲା | ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | କବୀର ଭରତପୁର ବିଧାନସଭା କ୍ଷେତ୍ରରୁ ଟିଏମସିର ବିଧାୟକ। ସେ ଗତ ମାସରେ ସୋସିଆଲ ମିଡିଆରେ ୧୨୫ କୋଟି ବଜେଟରେ ମସଜିଦର ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ।

