Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଲାଙ୍କ ମନରୁ ଜବାହରଲାଲ ନେହେରୁ ଓ ରାଧାକୃଷ୍ଣନଙ୍କୁ ହଟେଇବାର ପ୍ରୟାସ, ଛୁଟି ତାଲିକାରୁ ବାଦ ପଡିଲା ଗୁରୁ ଦିବସ ଓ ଶିଶୁ ଦିବସ

ଭୁବନେଶ୍ୱର,୧୮|୧୨: ଗତ ୧୬ ତାରିଖ ଦିନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଥିଲା | ଏହି ଛୁଟି ତାଲିକାରୁ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ଓ ଶିଶୁଦିବସ ପାଳନକୁ ବାଦ୍‌ ଦିଆଯାଇଛି। କିନ୍ତୁ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ପୂର୍ବଭଳି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ପାଳନ କରାଯିବ ବୋଲି ସୂଚନା ପ୍ରକାଶ ହୋଇଥିଲା |

ତେବେ ଏହି ସବୁ ଉତ୍ସବ ଗୁଡିକ ବିଦ୍ୟାଳୟରେ ପାଳନ ହେବାକୁ ଥିବା ବେଳେ ଗୁରୁଦିବସ ଓ ଶିଶୁ ଦିବସକୁ ପିଲାମାନେ ପାଳନ କରିବେ ନା ନାହିଁ, ସେ ବିଷୟରେ ବିଜ୍ଞପ୍ତିରେ କୌଣସି ସ୍ପଷ୍ଟତା ଦିଆଯାଇନାହିଁ। ତେବେ କାହିଁକି ? ଏହି ଦୁଇଟି ଦିବସକୁ ଛୁଟି ତାଲିକାରୁ ବାଦ୍‌ ଦିଆଗଲା, ସେ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ |ଏହା ଫଳରେ ମହାପୁରୁଷ ମାନଙ୍କ ଠାରୁ ପିଲାଙ୍କୁ ଦୂରେଇ ଦେବାକୁ ଏହା ଏକ ଷଡ୍‌ଯନ୍ତ୍ର ବୋଲି ଅଭିଯୋଗ ହୋଇଛି। ଏଥିରେ ଗଣଶିକ୍ଷା ବିଭାଗକୁ ଦାୟୀ କରାଯାଇଛି। କେବଳ ସେହି ଦୁଇ ଦିବସକୁ ନୁହେଁ ସରସ୍ୱତୀ ପୂଜାକୁ ମଧ୍ୟ ଛୁଟି ତାଲିକାରୁ ବାଦ୍‌ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ଛୁଟି ତାଲିକାରେ ରବିବାର ବ୍ୟତୀତ ଆଉ ୩୦ ଦିନକୁ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉକ୍ରଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧୀ ଜୟନ୍ତୀକୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ପାଳନ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏବଂ ସେହି ଦିନ ଗୁଡିକରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ମଧ୍ୟ କୁହାଯାଇଛି |

ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କ ଜନ୍ମଦିନ ଦିବସ ସେପ୍ଟେମ୍ୱର ୫କୁ ବିଦ୍ୟାଳୟରେ ଗୁରୁଦିବସ ଭାବେ ପାଳନ କରାଯାଉଥିଲା ବେଳେ ସେହିପରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ନଭେମ୍ୱର ୧୪ କୁ ଶିଶୁଦିବସ ଭାବେ ଦୀର୍ଘ ବର୍ଷ ଧରି ପାଳନ ହୋଇ ଆସୁଛି | ତେବେ ଏହି ଦୁଇ ଦିବସକୁ ପୂର୍ବରୁ ଗଣଶିକ୍ଷା ବିଭାଗ ପାଳନ ଦିବସ ଉଲ୍ଲେଖ କରି ଛୁଟି ଦିବସ ଭାବେ ଘୋଷଣା କରୁଥିଲା। ସେହିଦିନ ପିଲାମାନେ ମହାପୁରୁଷଙ୍କ ବିଷୟରେ କହିବା ସହ ଅନେକ ତଥ୍ୟ ଓ ତାଙ୍କର ଦେଶପ୍ରତି ଥିବା ତ୍ୟାଗ ବିଷୟରେ ଜାଣିପାରୁଥିଲେ। ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ପିଲାଙ୍କୁ ମହାପୁରୁଷଙ୍କ ଅବଦାନ ସମ୍ପର୍କରେ କହିବା ସହ ଦେଶ ସ୍ୱାଧୀନତା ପାଇଁ ସଂଘର୍ଷ ସମ୍ପର୍କରେ ଅନେକ ତଥ୍ୟ ବିଷୟରେ ଅବଗତ କରୁଥିଲେ। ଫଳରେ ଡ. ରାଧାକ୍ରିଷ୍ଣନ୍‌ ଓ ନେହେରୁଙ୍କ ବିଷୟରେ ପିଲାମାନେ ଅଧିକ ଜାଣିବା ସହ ସ୍ୱାଧୀନତା ଆନ୍ଦୋଳନର ଇତିହାସକୁ ବୁଝିଥାନ୍ତି। କିନ୍ତୁ ଏବେ ଏହି ଦୁଇ ଦିନକୁ ଛୁଟି ତାଲିକାରୁ ବାଦ୍‌ ଦେବା ଘଟଣାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ‘ପିଷ୍ଟା’ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, ଏହି ଦୁଇ ଦିବସକୁ ଛୁଟି ତାଲିକାରୁ ବାଦ୍‌ ଦେଇ ଦୁଇ ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷଙ୍କ ନାମକୁ ଜନମାନସରୁ ଦୂରେଇ ଦେବାକୁ ସରକାର ଏ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ମହାପୁରୁଷଙ୍କ ତ୍ୟାଗର ଇତିହାସକୁ କଦର୍ଥ କରିବାକୁ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି | ଯାହା ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କୁ ବ୍ୟାପକ ଭାବେ କ୍ଷତି ପହଞ୍ଚାଇବ। ଏଣୁ ଛୁଟି ଦିବସରେ ଏହି ଦୁଇ ଦିବସକୁ ସାମିଲ କରି ପାଳନ ଦିବସ ଭାବେ ସ୍ଥାନିତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ