ଆଦର୍ଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଚିନିମହୁଲ ସ୍ଥିତ ଆଦର୍ଶ ବିଦ୍ୟାଳୟର ଆଜି ଚତୁର୍ଥ ବାର୍ଷିକ ଉତ୍ସବ ଶନିବାର ଦିନ ପୂର୍ବାହ୍ନ ସାଢେ଼ ୧୧ଟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବାର୍ଷିକ ମହୋତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଛନ୍ଦ୍ର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ରଙ୍ଗବତୀ ଗୀତର ସ୍ରଷ୍ଟା କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ. ଜିତେନ୍ଦ୍ରିୟ ହରିପାଲ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଖୁଣ୍ଟିଆ, ବଡରମା ପଞ୍ଚାୟତ ସରପଞ୍ଚ ବିଜୟ କୁମାର ନାୟକ, ସମାଜ ସେବୀ ଡ. ରାଜାରାମ ଷଡ଼ଙ୍ଗୀ, ଜମନକିରା ଡିଗ୍ରୀ ମହାବିଦ୍ୟାଳୟ ଅଧକ୍ଷ ଅରୁଣ କୁମାର ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚ ପରିଚାଳନା ସ୍କୁଲର ସହକାରୀ ଶିକ୍ଷକ ସତ୍ୟମ କୁମାର ଷଡଙ୍ଗୀ, ପଲ୍ଲବୀ ବେହେରା ଓ ଜ୍ୟୋତି କର୍ଣ୍ଣ କରିଥିବା ବେଳେ ଅଧକ୍ଷ ଶ୍ରୀ ନନ୍ଦ ବାର୍ଷିକ ବିବରଣୀ ପଠନ କରିଥିଲେ। ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ, ଏଠି ଜଣେ ୯ମ ଶ୍ରେଣୀ ଛାତ୍ର ଯିଏ କି, ସମ୍ବଲପୁର ଜିଲ୍ଲା କଲେକ୍ଟରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ପ୍ରଦାନ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ଛାତ୍ରର ମନର ଭାବନା କୁ ସମ୍ମାନ ଜଣାଇ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ସ୍କୁଲରେ ପଢୁଥିବା ୯ମ ଓ ୧୦ମ ଶ୍ରେଣୀ ଛାତ୍ରୀ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରେଇ ଥିଲେ। ଶୃଙ୍ଖଳା, ସଂସ୍କାର ଓ ଶିକ୍ଷା ହେଉଛି ଜଣେ ଶିକ୍ଷାର୍ଥୀର ଚାବିକାଠି। ପିଲାମାନେ ହେଉଛନ୍ତି ମାଟିର ପୂତୁଲା ସେମାନଙ୍କୁ ଭଲରେ ଗଢ଼ିବା ହିଁ ପିତା ମାତାଙ୍କ ମୁଖ୍ୟ କର୍ତ୍ତବ୍ୟ। ଶିକ୍ଷା ହିଁ ଜୀବନ ପାଇଁ ମୂଳ ଆଧାର, ଶୈଶବ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଶିକ୍ଷଣୀୟ, ନିଜ ଭିତରେ ଏହାର ବାରମ୍ବାର ସମୀକ୍ଷା, ଉପଯୋଗ ଓ ପ୍ରୟାସ ଦ୍ୱାରା ଶିକ୍ଷାର ପରିପ୍ରକାଶ ହୋଇ ବିକାଶର ଦ୍ୱାର ଖୋଲିଥାଏ ବୋଲି ବକ୍ତା ଗଣ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ।ପ୍ରାରମ୍ଭରେ ମା” ସମଲେଶ୍ୱରୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି ଆତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ସ୍କୁଲର ସହକାରୀ ଶିକ୍ଷକ ନିର୍ମଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ସ୍କୁଲର ବିଦ୍ୟାର୍ଥୀ ମାନେ ସେମାନଙ୍କ କଳାକୃତି ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମୁଖ୍ୟଅତିଥି ଶ୍ରୀ ହରିପାଲ ସଙ୍ଗୀତ ମାଧ୍ୟମରେ ମହୁଲ ଫୁଲ ଉପରେ ଗୀତ ଗାଈ ଛାତ୍ରୀ ଛାତ୍ରଙ୍କୁ ଶୁଣେଇ ଉତ୍ସାହିତ କରିଥିଲେ। ଏଥିରେ ସ୍କୁଲର ସହକାରୀ ଶିକ୍ଷକ ଅଜିତ କୁମାର ନାଏକ, ସୁମନଜିତ ସାହୁ, ବିନୟଲାଲ ନାଏକ, ଆଲୋକିତ କେରକେଟା, ଆଶିଷ କୁମାର ନାୟକ, ଲକି ଅମାତ, ସତ୍ୟବ୍ରତ ଦେହୁରୀ, ଜ୍ୟୋତି ରଞ୍ଜନ ବେହେରା, ସାଗର ଗୋପାଳ, ସସିମା ବାରିକ, ପଲ୍ଲବୀ ବେହେରା, ସୌଦାମିନୀ ମାଝୀ, ସୁପ୍ରଭା ଭୋଇ, ରୁକ୍ମଣୀ ପଧାନ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ କୁ ଉପସ୍ଥିତ ରହି ପରିଚାଳନା ତଦାରଖ କରିଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।

