Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିକୁ କମୁଛି ଚାନ୍ଦା; ୨୦୨୪-୨୦୨୫ ଆର୍ଥିକ ବର୍ଷରେ ମିଳିଥିଲା ୬୦ କୋଟି ଟଙ୍କା

ଭୁବନେଶ୍ୱର,୨୩।୧୨: ୨୦୨୪ ନିର୍ବାଚନରେ ବିଜେଡିର ବଡ ବିଫଳତା ପରେ ଦଳକୁ ଆଉ ଚାନ୍ଦା ମିଳୁନାହିଁ। କ୍ଷମତାସୀନ ହେବା ପରେ ବିଜେଡିକୁ ଆଉ କେହି ଅର୍ଥ ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି | ତେବେ ଗତ ୨୦୨୪ ନିର୍ବାଚନ ସମୟରେ ବିଜେଡିକୁ ପ୍ରାୟ ୬୦ କୋଟି ଟଙ୍କା ଚାନ୍ଦା ବିଭିନ୍ନ ଘରୋଇ ସଂସ୍ଥା ପକ୍ଷରୁ ମିଳିଥିଲା | କିନ୍ତୁ ନିର୍ବାଚନରେ ପରାଜୟ ହେବା ପରେ ବିଜେଡିକୁ ଚାନ୍ଦା ମିଳିବା ଏକ ପ୍ରକାର ଠପ୍ ହୋଇଯାଇଛି | ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ କମିଶନରଙ୍କ ନିକଟରେ ଆୟ ସମ୍ପର୍କିତ ସତ୍ୟପାଠ ରିପୋର୍ଟ ଦାଖଲରୁ ଜଣାପଡିଛି |

ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ଗତ ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ ଓ ମେ’ ମାସରେ ବିଜେଡି ଦଳକୁ ୪ଟି ଘରୋଇ ସଂସ୍ଥା ୬୦ କୋଟି ଟଙ୍କା ଅର୍ଥ ଦେଇଛନ୍ତି। ତେବେ ନିର୍ବାଚନ ପରଠାରୁ ଦଳକୁ ଆଉ ଚାନ୍ଦା ମିଳିନାହିଁ। ବର୍ତ୍ତମାନ ସମୟରେ ଦଳ ପାଖରେ ମୋଟ୍‌ ୭୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ରହିଛି।

ଅନ୍ୟପଟେ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଦଳକୁ ଲକ୍ଷ ଲକ୍ଷ ଟଙ୍କାର ଚାନ୍ଦା ଦେଇଥିବା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଆୟ ସମ୍ପର୍କିତ ରିପୋର୍ଟରୁ ଜଣାପଡ଼ିଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ବିଜେପି ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରବି ନାରାୟଣ ନାଏକ, କୃଷ୍ଣ ଚନ୍ଦ୍ର ପାତ୍ର, ପ୍ରଦୀପ ବଳସାମନ୍ତ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଣେଶ ରାମସିଂ ଖୁଣ୍ଟିଆ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ସମ୍ପଦ କୁମାର ସ୍ବାଇଁ, ସୁରେଶ ପୂଜାରୀ ପ୍ରମୁଖ ୫ ଲକ୍ଷ ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରିଛନ୍ତି। ତେବେ ଏଥରୁ ବାଦ ପଡ଼ିନାହାନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ | ସେ ଦଳକୁ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧ ଲକ୍ଷ ଟଙ୍କା ଚାନ୍ଦା ଦେଇଛନ୍ତି। ଏମ୍‌ପି ପ୍ରଦୀପ ପୁରୋହିତ, ଅନନ୍ତ ନାଏକ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଙ୍ଗୀତା ସିଂଦେଓ, ଅଭିମନ୍ୟୁ ସେଠୀ ପ୍ରମୁଖ ଏମ୍‌ପିମାନେ ମଧ୍ୟ ୨ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ସେହିଭଳି ଏମ୍‌ପି ବୈଜୟନ୍ତ ପଣ୍ଡା ୫ ଲକ୍ଷ ଟଙ୍କା ଦଳକୁ ଦେଇଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଦଳର ପ୍ରାୟ ସବୁ ବିଧାୟକ ଚାନ୍ଦା ଆକାରରେ ଲକ୍ଷେ ଟଙ୍କା ଲେଖାଏ ପ୍ରଦାନ କରିଥିବା ଦର୍ଶାଯାଇଛି । ବିଜେପିର ପୂର୍ବତନ ବିଧାୟକମାନେ ମଧ୍ୟ ଦଳକୁ ୨୫ ହଜାର ଟଙ୍କା ଲେଖାଏ ଦେଇଥିବା ଏଥିରେ ଦର୍ଶାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ