ନବୀନ ନିବାସରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ!
ଭୁବନେଶ୍ବର,୨୪|୧୨: ରାଜ୍ୟ ରାଜନୀତି ଏବେ ସରଗରମ ଚାଲିଥିଲା ସମୟରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି| ରାଜ୍ୟ ରାଜନୀତିରେ ଏବେ କଣ ଚାଲିଛି ତାହା କେହିବି ଅନୁମାନ କରିପାରୁ ନାହାନ୍ତି | କେଉଁଠି ବିରୋଧୀ ଶାସକ ମୁହାଁମୁହିଁ ହେଉଛନ୍ତି ତ ପୁଣି କୋଉଠି ମେଳି ଚାଲିଛି | ନିରଞ୍ଜନ ପଟ୍ଟନାୟକ କାହିଁକି ନବୀନଙ୍କୁ ଭେଟିଛନ୍ତି ତାହାକୁ ନେଇ ମଧ୍ୟ ଅନେକ ଆଲୋଚନା କରୁଛନ୍ତି |
ତେବେ ନବୀନ ନିବାସରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିବା ଚର୍ଚ୍ଚାର ବିଷୟ ପାଲଟିଛି | କୌଣସି ରାଜନୈତିକ ସ୍ତରରୁ ସାକ୍ଷାତ ହୋଇ ନଥିଲେ ମଧ୍ୟ ନବୀନ ନିବାସରେ କଂଗ୍ରେସ ବରିଷ୍ଠ ନେତାଙ୍କ ଅଚାନକ ଭାବେ ପହଞ୍ଚିବା ଚର୍ଚ୍ଚା ପରିସରକୁ ଆସିଛି। ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ କଂଗ୍ରେସର ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ତାଙ୍କର କେତେକ ବନ୍ଧୁଙ୍କ ସହିତ ନବୀନଙ୍କୁ ସାକ୍ଷାତ କରିଛନ୍ତି। ଏବଂ ନବୀନଙ୍କ ସହିତ ଏକାଠି ବସି ଆଲୋଚନା ମଧ୍ୟ କରିଛନ୍ତି।
ସୁଚନା ମୁତାବକ, ଆଗକୁ ଜାନକୀ ବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଆସୁଛି| ତେବେ ଜେବି ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ନିମନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନିରଞ୍ଜନ ପଟ୍ଟନାୟକ ନବୀନ ନିବାସକୁ ଯାଇ ନବୀନଙ୍କୁ ଭେଟିଥିଲେ। ଆସନ୍ତା ୩ ଜାନୁଆରୀ ୨୦୨୬ରେ ହେବାକୁ ଥିବା ମୁଖ୍ୟ ଶତବାର୍ଷିକୀ ସମାରୋହରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ କରିଥିଲେ।
ତେବେ ଏହି ଶତବାର୍ଷିକୀ ଓଡ଼ିଶାର ତିନିଥର ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ଏବଂ ଜଣେ ପ୍ରତିଷ୍ଠିତ ବିଦ୍ୱାନ, ସାମ୍ବାଦିକ ଏବଂ ସାହିତ୍ୟିକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦୦ ବର୍ଷ ପୂରଣ କରୁଛି। ଓଡ଼ିଶାର ଶାସନ, ସଂସ୍କୃତି ଏବଂ ସାର୍ବଜନୀନ ଜୀବନରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବହୁତ ଅବଦାନ ରହିଛି | ସେହି ସବୁ ସ୍ମୃତିକୁ ସ୍ମରଣୀୟ କରିବାକୁ ଏହି ସମାରୋହର ଆୟୋଜନ କରାଯିବାର ରହିଛି |

