Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ଓଡ଼ିଶାରେ ଏବେ ଡବଲ୍ ଇଞ୍ଜିନ ସରକାର, ବିକାଶ କାହିଁ ?” : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ | ଯୋଗଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଆୟୋଜନ ହୋଇଥିଲା ବିରାଟ ସମାରୋହ | ଏହି ସମାରୋହରେ ବିଜେଡିର ବିଶିଷ୍ଟ ବରିଷ୍ଠ ନେତା ମାନଙ୍କ ସହିତ ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗ ଦେଇଥିଲେ | ଏହି ଅବସରରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ | ସେ କହିଛନ୍ତିଯେ, ବିଜେଡି ହେଉଛି ଓଡ଼ିଶାର ଏକ ପୁରାତନ ଆଞ୍ଚଳିକ ଦଳ ଯାହା କେବଳ ରାଜ୍ୟର ନୁହେଁ ଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଛି | ଦୀର୍ଘ ୧୯୯୭ରୁ ଆମେ ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କ ପାଇଁ ନିସ୍ଵାର୍ଥପର ଭବରେ ସେବା କରି ଆସୁଛୁ । ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମର ମୂଳ ମନ୍ତ୍ର । ୨୦୦୦ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିକାଶ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିଲା । ସେ ଦାରିଦ୍ର୍ୟ, ଅନାହାର ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସବୁର ସାମ୍ନା ଆମେ ଦୃଢ଼ତାର ସହ କରିଛୁ ଏବଂ ଆମେ ଲଢ଼ି ସଫଳ ହୋଇଛୁ । ସାରା ବିଶ୍ୱରେ ଓଡ଼ିଶାକୁ ନୂତନ ପରିଚୟ ଦେଇଛୁ । ମିଶନ ଶକ୍ତି ମାଆ ମାନଙ୍କୁ ସଶକ୍ତ କରିଛୁ । ଚାଷ କ୍ଷେତ୍ରରେ ବିଭନ୍ନ ଯୋଜନା ମାଧ୍ୟମରେ କୃଷକ ମାନେ ଲାଭବାନ ହୋଇଛନ୍ତି। BSKY କାର୍ଡ ଜରିଆରେ ଗରିବ,ସାଧାରଣ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଛୁ। ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜବୁତ କରିଛୁ । ବାହାର ଦେଶରୁ ରାଜ୍ୟକୁ ନିବେଶ ଆଣିଛୁ । ଆମ ସମୟରେ ଅନେକ ଯୁବପିଢ଼ିଙ୍କୁ ମଧ୍ୟ ନିଯୁକ୍ତି ଦେଇଛୁ |

ପ୍ରତିଷ୍ଠା ଦିବସରେ ଶାସକ ଦଳକୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ । ସେ ଯୋଗଦେଇ କହିଛନ୍ତିଯେ, ବିଜେଡି ଅଛି ଏବଂ ଆଗକୁ ଆହୁରି ଶହେ ବର୍ଷ ପର୍ଯ୍ୟନ୍ତ ରହିବ । କିଛି ଦଳ ବିଜେଡିର ଅସ୍ତିତ୍ଵକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି ? କହୁଛନ୍ତି ଆଗକୁ ବିଜେଡି ଦଳ ଭାଙ୍ଗିଯିବ। କିନ୍ତୁ ବିଜେଡି ଦଳ ଭାଙ୍ଗିବ ନାହିଁ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଅଛି ଓ ରହିବ। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ବର ହୋଇ ରହିଥିଲା ଏବଂ ରହିବ । ବିଜେଡି ଓଡ଼ିଶାବାସୀଙ୍କ ଭାବାବେଗ ଓ ଗର୍ବ । ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରି ଆସୁଥିଲା ଏବଂ ଆଗକୁ ମଧ୍ୟ କରିବ |

ତେବେ ଏହି ଅବସରରେ ବିରୋଧୀ ଦଳ ନେତା ଶାସକ ଦଳକୁ କଡା ସମାଲୋଚନା ମଧ୍ୟ କରିଛନ୍ତି | କହିଲେ ଓଡ଼ିଶାରେ ଏବେ ଡବଲ୍ ଇଞ୍ଜିନର ସରକାର କିନ୍ତୁ ବିକାଶ କାହିଁ ? ରାଜ୍ୟରେ ୧୮ ମାସ ହେଲା ସରକାର ଥିବା ଭଳି ଅନୁଭବ ହେଉନି । କେଉଁଠି ସାର ରୁ ବଞ୍ଚିତ ହେଉଛନ୍ତି ଚାଷୀ ପୁଣି କେଉଁଠି ଧାନ ବିକ୍ରିରେ ଅବ୍ୟବସ୍ଥା | ମିଶନ ଶକ୍ତି ମହିଳା ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଚାକିରୀ ଆଶାୟୀ ହତାଶ ହେଉଛନ୍ତି | ରାଜ୍ୟରେ ମହିଳାଙ୍କ ସୁରକ୍ଷା ନାହିଁ | ଏପରିକି ନାବାଳିକା ମାନେ ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି ନବୀନ କହିଛନ୍ତି । ଆଇନଶୃଙ୍ଖଳାରେ ଅବ୍ୟବସ୍ଥା ବହୁତ ବୋଲି ନବୀନ କହିଛନ୍ତି ।

ସେ ବିଜେଡି ଦଳର ଯୁବକର୍ମୀଙ୍କୁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବା ପାଇଁ ଆହ୍ୱାନ କରିଛନ୍ତି | ସେ ଯୁବନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତିଯେ, ମୁଁ ଆଶା କରିବି ଯେ ସେମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବେ ଏବଂ ଭୁଲ ସୂଚନାର ବିରୋଧ କରିବେ । ରାଜନୀତିରେ ଧର୍ଯ୍ୟ ହେଉଛି ମୂଳମନ୍ତ୍ର | ଆପଣଙ୍କର କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ଆମେ ସମସ୍ତେ ଏକତ୍ର ହୋଇ ଆଜିର ଆହ୍ୱାନକୁ ଆସନ୍ତାକାଲିର ସୁଯୋଗରେ ପରିଣତ କରିବୁ ଏବଂ ଏକ ସଶକ୍ତ ଓଡ଼ିଶା ଗଠନ କରିବା ପାଇଁ ଆମର ଉଦ୍ୟମ ଜାରି ରଖିବୁ । ଶେଷରେ ସାରା ଓଡ଼ିଶାବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | କିନ୍ତୁ ଗତ କିଛିଦିନ ହେଲା ବିଜେଡି ଦଳର ଆଗାମୀ ସଭାପତିଙ୍କୁ ନେଇ ଯେଉଁ ଗୁଜବ ସୃଷ୍ଟି ହେଉଥିଲା ତାହା ବିଷୟରେ କିଛି ସ୍ପଷ୍ଟ ସୂଚନା ଦେଲେ ନାହିଁ ବିଜେଡି ସୁପ୍ରିମୋ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ