Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ଗଠନ ହେବ କି ନୂଆ ଆଞ୍ଚଳିକ ଦଳ!

ଭୁବନେଶ୍ୱର,୨୯|୧୨ : ୨୦୨୪ ନିର୍ବାଚନ ପରେ ପ୍ରାୟ ବିଜେଡିର ନେତାଙ୍କର ଅନ୍ୟ ଦଳକୁ ଏଣ୍ଟ୍ରି ହେଉଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବିଜେପି ନିଜ ଅଧୀନକୁ ଆଣିବାରେ ଲାଗିଛି। ଅନ୍ୟପଟେ କିଛିଦିନ ହେଲାଣି କଂଗ୍ରେସ ଦଳରେ ନେତା ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି। ଓଡ଼ିଶାର ରାଜନୀତିର ପାଣିପାଗ ଆକଳନ କରିବା ସମ୍ଭବ ହେଉନାହିଁ। ଶାସକ ଓ ବିରୋଧୀ ଦଳ ରାଜ୍ୟ ରାଜନୀତି କୁ ନେଇ ଖାଲି ଟଣା ଓଟରା ହେବାରେ ଲାଗିଛନ୍ତି। ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ ରହିଛନ୍ତି। ଓଡ଼ିଶା ରାଜନୀତିର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନୂଆ ଆଞ୍ଚଳିକ ଦଳ ଗଠନ ସମ୍ଭାବ୍ୟ ସୃଷ୍ଟି ହେଉଛି।

ଆଉ ଦିନ ଦୁଇଟା ପରେ ନୂଆବର୍ଷ। ସମସ୍ତେ ଏହି ଦିନକୁ ପାଳନ କରିବାକୁ ଉତ୍କଣ୍ଠା ସହିତ ଅପେକ୍ଷା କରି ରହିଥାଆନ୍ତି। ତେବେ ୨୦୨୬ରେ ଓଡ଼ିଶା ରାଜନୀତିରେ ପାଣିପାଗ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ଏବେଠାରୁ ନେତା ମାନଙ୍କର ମେଳି ହେବା ଆରମ୍ଭ ହେଲାଣି। ରାଜ୍ୟର ପ୍ରମୁଖ ଦଳର ବରିଷ୍ଠ ନେତା ଏବଂ ଦଳରୁ ନିଲମ୍ବିତ ହୋଇଥିବା ନେତାମାନେ ସେଥିପାଇଁ ଏକାଠି ହୋଇ ପ୍ରସ୍ତୁତି ଆରମ୍ଭ କରିବା ନେଇ ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି। ଅନେକ ସମୟରେ ନିଜ ଦଳ ବିରୁଦ୍ଧରେ ଗଣମାଧ୍ୟମ ଆଗେ ଖୋଲା ଖୋଲି ମନ୍ତବ୍ୟ ଦେଉଛନ୍ତି। ସେଥିରୁ ନୂଆ ବର୍ଷରେ ସେମାନେ ନୂଆ ନିଷ୍ପତ୍ତି ନେଇପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହେଉଛି ।

ତେବେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ବିଜେଡ଼ି ଛାଡ଼ିଥିବା ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ରାଜନୈତିକ ଗତିବିଧି ଏମିତି ସଙ୍କେତ ଦେଉଛି । ବିଭିନ୍ନ ଜିଲ୍ଲା ବୁଲି ସମର୍ଥକ ଯୋଗାଡ଼ କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଆଉ ଭାସ୍କର ରାଓଙ୍କ ମନ୍ତବ୍ୟରୁ ନୂଆବର୍ଷରେ ନୂଆ ଧମାକା ହେବା ନେଇ ସ୍ପଷ୍ଟ ହେଲାଣି। ଅମର ଶତପଥୀ ଏବଂ ବିଜୟ ମହାପାତ୍ରଙ୍କ ଭଳି ବରିଷ୍ଠ ନେତାଙ୍କ ପୂର୍ବାନୁମାନ ହେଉଛି, ଆଗକୁ ଓଡ଼ିଶାରେ ବହୁତ କିଛି ଘଟଣା ଘଟିବ।

୨୦୨୪ ପରେ ଓଡ଼ିଶା ରାଜନୀତିରେ ବିଜେଡି ଦୁର୍ବଳ ହେବାରେ ଲାଗିଛି। ତୃଣମୂଳସ୍ତରରେ ସଂଗଠନ ସବୁକୁ ସୁଦୃଢ କରିବାରେ ଲାଗିଛି ବିଜେପି । ସେପଟେ ଅନ୍ତଃକନ୍ଦଳରୁ ମୁକୁଳିପାରୁନି କଂଗ୍ରେସ । ଏଭଳି ସ୍ଥିତିରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ କଥା। କିନ୍ତୁ ପୂର୍ବତନ କଂଗ୍ରେସର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବକ୍ତବ୍ୟ ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି । ତାଳଚେରରେ ଏକ ସଭାରେ ସେ କହିଛନ୍ତି, ଖାଲି ଦଳ ସୃଷ୍ଟି କରିଦେଲେ ହେବ ନାହିଁ । ଦଳୀୟ କର୍ମୀ କିମ୍ବା ନେତା ମାନେ ତାଙ୍କ ଦାୟିତ୍ୱ ପୂରଣ କରିବାକୁ ଉଦ୍ୟମ କରନ୍ତୁ।

୧୯୯୭ରେ ବିଜୁ ଜନତା ଦଳ ଗଠନ ହୋଇଥିଲା ଏବଂ ଏହା ଦୀର୍ଘ ୨୪ ବର୍ଷ ଶାସନ କଲା। ଏଥିରୁ ପ୍ରମାଣ ହୋଇଛି ଯେ, ଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳ ବିଶେଷ ପ୍ରଭାବ ପକାଇପାରେ। ଏଣୁ ବିଜେପି ଓ କଂଗ୍ରେସକୁ ରୋକିବାକୁ ଆଉ ଏକ ଆଞ୍ଚଳିକ ଦଳ ହିଁ ନିହାତି ଭାବେ ଆବଶ୍ୟକ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ନିଜର ମତ ରଖୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ