ଅସହ୍ୟ ଜାଡରେ କଲବଲ ଲୋକେ, ୧୫ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ରାଜ୍ୟ ସାରା ସର୍ବନିମ୍ନ ତାପମାତ୍ରା ଅସାଧାରଣ ଭାବରେ କମ ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ ନୂଆ ବର୍ଷ ପର୍ଯ୍ୟନ୍ତ ଶୀତରୁ ତୁରନ୍ତ ମୁକ୍ତି ମିଳିବ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଦଶଟିରୁ ଅଧିକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି।
ଯେତେବେଳେ କି ଆଗାମୀ ପାଞ୍ଚ ଦିନ ପାଇଁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ପରିସ୍ଥିତି ଜାରି ରହିବ ବୋଲି ଆକଳନ କରାଯାଉଛି। IMD ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଜି. ଉଦୟଗିରିରେ 3.5 ଡିଗ୍ରୀ ସେଲସିୟସ, ଦାରିଙ୍ଗବାଡିରେ ପ୍ରାୟ 6 ଡିଗ୍ରୀ ସେଲସିୟସ, ଫୁଲବାଣୀରେ ପ୍ରାୟ 6 ଡିଗ୍ରୀ ସେଲସିୟ ରହିଛି। ସେପଟେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା 6.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ଗତ ୧୫ ବର୍ଷ ମଧ୍ୟରେ ଜିଲ୍ଲାର ସର୍ବନିମ୍ନ ଡିସେମ୍ବର ତାପମାତ୍ରା। ପାଣିପାଗ ରେକର୍ଡ ସୂଚାଇ ଦେଇଛି ଯେ ଡିସେମ୍ବର ମାସରେ ଏହା ଝାରସୁଗୁଡ଼ାରେ ରେକର୍ଡ ହୋଇଥିବା ଚତୁର୍ଥ ସର୍ବନିମ୍ନ ତାପମାତ୍ରା। ଯାହା ଚଳିତ ଶୀତ ଲହରର ତୀବ୍ରତାକୁ ଦର୍ଶାଉଛି।

