ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼; ଶାସକ ଦଳ ‘ଡିଏମକେ’କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ
ତାମିଲନାଡୁ,୩୧|୧୨: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ | ଘଟଣାରେ ତାମିଲନାଡୁର ଶାସକ ଦଳ ଡିଏମକେକୁ ନିନ୍ଦା କରିବା ସହିତ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗନ | ସୂଚନା ଅନୁସାରେ, ଗତ ୨୮ ତାରିଖ ରାତିରେ ତାମିଲନାଡୁରେ “କେ ସୁରଜ” ନାମକ ଜଣେ ଓଡ଼ିଆ ଶ୍ରମିକଙ୍କୁ ୪ଜଣ ନାବାଳକ ଆକ୍ରମଣ କରିବା ସହିତ ମାଡ ମଧ୍ୟ ମାରିଥିଲେ | ଯେଉଁ ଆକ୍ରମଣରର ଭିଡିଓ ସାରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା |
ତେବେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗନ ଦାୟୀ କରିଛନ୍ତି ତାମିଲନାଡୁର ଶାସକ ଦଳକୁ | ସେ କହିଛନ୍ତି, ତାମିଲନାଡୁରେ ଡିଏମକେ ଶାସନରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇ ପଡିଛି | ମହିଳା, ଭକ୍ତ, ପ୍ରବାସୀ ଶ୍ରମିକ ଏବଂ ଯାତ୍ରୀଙ୍କ ପାଇଁ କୌଣସି ପ୍ରକାରର ସୁରକ୍ଷା ନାହିଁ । ସମସ୍ତ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ରହିଥିଲେ | ଏତେ ସବୁ ପରେ ତାମିଲନାଡୁ ସରକାର କିପରି ନିଶା ସେବନ ଉପରେ କଟକଣା ଲଗାଉ ନାହିଁ | ପ୍ରତ୍ୟେକ ଗାଁ ଏବଂ ସ୍କୁଲ ପରିସରରେ ନିଶା କିପରି ଭାବରେ ପହଁଚୁଛି | ଏହା ବିଷୟରେ ତଦନ୍ତ କରିବାର ଆବଶ୍ୟକତା ସରକାରଙ୍କର ରହିଛି | ଏଭଳି କାର୍ଯ୍ୟ ତାମିଲନାଡୁ ରାଜ୍ୟ ଉପରେ ଖରାପ ପ୍ରଭାବ ପକାଉଛି | ଡିଏମକେ ସରକାରଙ୍କୁ ଏହାର ଦାୟିତ୍ୱ ନେବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଏହି ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ପ୍ରତିକ୍ରିୟା ରଖିଥିଲେ| ସେହିପରି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ଦେଇ କହିଥିଲେ ଯେ , ଘଟଣା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ତାମିଲନାଡୁକୁ ଅଧିକାରୀଙ୍କୁ ପଠାଯାଇଛି|

