Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ ବିଭାଗର ମନମୁଖୀ କାର୍ଯ୍ୟ; ନିମ୍ନମାନର ଚେକ ଡ୍ୟାମ କାମର ପ୍ରତିବାଦ କରିବାରୁ ପ୍ରକଳ୍ପକୁ ଅନ୍ୟତ୍ର ଉଠାଇନେଲେ

ତରଭା : ବନ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏକ ଚେକଡ୍ୟାମ କାମ ନିମ୍ନ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କରିଥିଲେ।ହେଲେ ବନ ବିଭାଗ କର୍ମଚାରୀ ଜନତାଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ଦେବା ବଦଳରେ ସମ୍ପୂର୍ଣ୍ଣ ପ୍ରକଳ୍ପକୁ ହିଁ ଅନ୍ୟତ୍ର ଉଠାଇନେଲେ।ଏଭଳି ଏକ ଘଟଣା ସୋନପୁର ରେଞ୍ଜ ଅଧିନସ୍ଥ ତରଭା ବ୍ଲକ ରାଜପାଲି ବାରପାହାଡ଼ ଖୋଲରେ ଦେଖିବାକୁ ମିଳିଛି।ପ୍ରକଳ୍ପକୁ ଅନ୍ୟତ୍ର ଉଠାଇ ନିଆ ଯାଇଥିବା ଜଣା ପଡିବା ପରେ ମେଣ୍ଡା, ପାଇକବାହାଲ ଓ ଦେଉଳପଦର ପଞ୍ଚାୟତ ବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। କଥାଟି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପାଖକୁ ମଧ୍ୟ ପହଞ୍ଚିଲାଣି । ରେଞ୍ଜରଙ୍କ କଳା କାରନାମାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମଧ୍ୟ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ,ପାଇକବାହାଲ ସରପଞ୍ଚ ଗଣନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ପଣ୍ଡା, ମଦନମୋହନ ପଣ୍ଡା, ଚକ୍ରଧର ସାଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।
ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ସୋନପୁର ରେଞ୍ଜ ନାରାୟଣପୁର ସେକସନ୍‌ ଅଧୀନରେ ଥିବା ବାରପାହାଡ ଜଙ୍ଗଲରେ ଦେବୀ ବାରପାହାଡଙ୍କ ପୂଜାପୀଠ ରହିଛି । ପାହାଡ ଉପରେ ଥିବା ଗୁମ୍ଫାରେ ଦେବୀଙ୍କ ପୂଜା ହେଉଥିବା ବେଳେ ପାହାଡରୁ ଏକ ବଡ ଝରଣା ବାହାରି ତଳକୁ ବହିଯାଇଛି । ସେହି ଝରଣା କୂଳରେ ଅନେକ ଲୋକ ଆସି ବଣଭୋଜି କରିବା ସହିତ ବାରପାହାଡ ଜଙ୍ଗଲର ପ୍ରାକୃତିକ ପରିବେଶକୁ ଉପଭୋଗ କରିଥାନ୍ତି । ସେହି ଦୃଷ୍ଟିରୁ ସ୍ଥାନୀୟ ଲୋକେ ବାରପାହାଡ ଖୋଲର ଝରଣାରେ ପର୍ଯ୍ୟଟକଙ୍କ ପାଇଁ ଏକ ଚେକ୍‌ ଡ୍ୟାମ ନିର୍ମାଣ କରିବା ସହିତ କିଛି ଗୁମ୍ଫା ପର୍ଯ୍ୟନ୍ତ ପାହାଚ ନିର୍ମାଣ କରାଇ ଉନ୍ନତିକରଣ କରାଯିବା ତଥା ଇକୋଟୁରିଜମରେ ସାମିଲ କରିବାକୁ ସୁବର୍ଣ୍ଣପୁର ବନଖଣ୍ଡରେ ଦାବି କରିଥିଲେ । ଏପରିକି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଅନେକ ଥର ନିବେଦନ କରାଯାଇଥିଲା । ଗଣମାଧ୍ୟମ ଜରିଆରେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଏହି ପୀଠର ଉନ୍ନତିକରଣ ପାଇଁ ଦାବି କରିଥିଲେ । ସୋନପୁର ରେଞ୍ଜ ତରଫରୁ ଗତ ଫେବୃୟାରୀ ମାସରେ ଏସଏମସି ଅନୁଦାନର ୧୨ ଲକ୍ଷ ଟଙ୍କାରେ ବାରପାହାଡ ଖୋଲ ଝରଣାରେ ଏକ ଚେକ୍‌ ଡ୍ୟାମ ନିର୍ମାଣ କାମ ଆରମ୍ଭ କରାଯାଇଥିଲା । ସୋନପୁର ରେଞ୍ଜର ମନୋରଂଜନ ବାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାମ ଉଲୁଣ୍ଡା ଅଞ୍ଚଳର ଜଣେ ଠିକାଦାର କରୁଥିଲେ । କିନ୍ତୁ ଦୁଃଖର ବିଷୟ ଯେ, ଏତେବଡ ଜଙ୍ଗଲର ଝରଣାରେ ଚେକ୍‌ ଡ୍ୟାମ କାମ ପାଇଁ ମାତ୍ର ଦେଢଫୁଟ୍‌ର ନିହ ଖୋଳାଯାଇ ସେଥିରେ ୧ ଫୁଟ୍‌ର ବାଲି ଓ ତା’ଉପରେ ମାତ୍ର ୫ ଇଞ୍ଚର ଏକ ମେଟାଲକୋଟ ଦେଇ କାମ କରାଯାଉଥିଲା । ଏତେବଡ ଝରଣାର ପାଣିକୁ ଅଟକାଇବାକୁ ହେଲେ ଚେକ୍‌ ଡ୍ୟାମ ପାଇଁ ଅନ୍ୟୁନ ୪ରୁ ୫ଫୁଟ୍‌ର ନିହ ଖୋଲି ସେଥିରେ ଲୁହା ରଡ୍‌ ଦେଇ କାମ କରିବା କଥା । କିନ୍ତୁ ରେଞ୍ଜର ଶ୍ରୀ ବାଗ ନିମ୍ନମାନର କାମ କରାଇ ଅର୍ଥ ହଡପ କରିବାର ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଛି । ଫେବୃୟାରୀ ୨୬ ତାରିଖରେ ରାଜପାଲି ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ପଣ୍ଡା, ମଦନ ମୋହନ ପଣ୍ଡା ଓ ପାଇକବାହାଲର ଚକ୍ରଧର ସା’ ଚେକ୍‌ ଡ୍ୟାମ କାମ ହେଉଥିବା ସ୍ଥାନକୁ ପରିଦର୍ଶନ କରି କାମ ନିମ୍ନମାନର ହେଉଥିବା ବିଷୟରେ ରେଞ୍ଜର ମନୋରଂଜନ ବାଗଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଦେଢଫୁଟର ନିହରେ ବିନା ରଡ୍‌ ଦେଇ କିଭଳି ଚେକ୍‌ ଡ୍ୟାମ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ସେ ଆସି କାମ ଦେଖିବେ ଓ ଠିକ୍‌ରେ କାମ କରାଯିବ ବୋଲି ରେଞ୍ଜର କହିଥିଲେ । କିନ୍ତୁ ସେ ଏହାପରେ ଆଉ କାମକୁ ଦେଖିବାକୁ ନଆସି କାମକୁ ବନ୍ଦ କରାଇଦେଇ ଚୁପ୍‌ ରହିଥିଲେ । ସ୍ଥାନୀୟ ଲୋକେ ଅନେକ ଥର ଏ ବିଷୟରେ ରେଞ୍ଜର ଓ ଏସିଏଫ ପି.କେ.ଧରୁଆଙ୍କୁ ଅନୁରୋଧ କରିଥିଲେ ହେଁ ସେମାନେ କର୍ଣ୍ଣପାତ କରି ନଥିବା ଅଭିଯୋଗ ହୋଇଛି । ଏପରିକି ସ୍ଥାନୀୟ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଗତ ମାର୍ଚ୍ଚ ମାସରେ ବ୍ରାହ୍ମଣୀପାଲି ଗ୍ରାମକୁ ଆସିଥିବା ବେଳେ ଗ୍ରାମବାସୀ ସେହି ଚେକ୍‌ ଡ୍ୟାମ କାମକୁ ବନ ବିଭାଗ ବିନା କାରଣରେ ବନ୍ଦ କରିଦେଇଛି ବୋଲି ଅଭିଯୋଗ କରିଥିଲେ । ମନ୍ତ୍ରୀ ସେଠାରୁ ହିଁଁ ସୁବର୍ଣ୍ଣପୁର ଡିଏଫଓଙ୍କୁ ଫୋନ କରି ଚେକ୍‌ ଡ୍ୟାମ କାମ ଠିକରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ଡିଏଫଓ ଗୁରୁତ୍ୱ ଦେଇନଥିଲେ । ଏବେ ଜଣାପଡିଲା ଯେ, ସେହି ଚେକ୍‌ ଡ୍ୟାମର ଏସଏମସି ଅନୁଦାନକୁ ସୋନପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଜଙ୍ଗଲରେ କେଉଁଠି ଖର୍ଚ୍ଚ କରିଦେଇ ସାରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜଙ୍ଗଲ ବିଭାଗ ଅନେକ ଦିନ ନୀରବ ରହିବା ପରେ ବାରପାହାଡର ଚେକ୍‌ ଡ୍ୟାମ କାମକୁ ବିରୋଧ ହେବାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ଏହି ଘଟଣା ଜଣାପଡିବା ପରେ ପାଇକବାହାଲ, ମେଣ୍ଡା, ଦେଉଳପଦର ପଞ୍ଚାୟତ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଉଛି । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ମନ୍ତ୍ରୀ, ଜିଲ୍ଲାପାଳ ଓ ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି । ଚେକ୍‌ ଡ୍ୟାମ ପ୍ରକଳ୍ପକୁ କେଉଁ କାରଣରୁ ସ୍ଥାନାନ୍ତର କରାଗଲା ଓ ସ୍ଥାନାନ୍ତର କରାଯାଇ ଯେଉଁଠି କାମ କରାଯାଇଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଶ୍ରୀ କମ୍ପ ଦାବୀ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ