ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ୪୯ ବର୍ଷ ବୟସରେ ଦେହାନ୍ତ
ନୂଆଦିଲ୍ଲୀ,୮|୧: ସକାଳୁ ସକାଳୁ ଏକ ଦୁଃଖଦ ଖବର । ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅଙ୍କର ଦେହାନ୍ତ ହୋଇଛି । ଗତ ବୁଧବାର ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ହୃଦଘାତରେ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କର ୪୯ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଏନେଇ ନିଜେ ଅନିଲ୍ ଅଗ୍ରୱାଲ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଖବର ପୋଷ୍ଟ କରିଛନ୍ତି | ପୋଷ୍ଟରେ ସେ ଲେଖିଛନ୍ତି, “ଆଜିର ଦିନ ମୋ ଜୀବନର ସବୁଠାରୁ ଅନ୍ଧକାରମୟ ଦିନ।
ମୋ ପ୍ରିୟ ପୁଅ ଅଗ୍ନିବେଶ ଆମକୁ ବହୁତ ଶୀଘ୍ର ଛାଡ଼ି ଚାଲିଗଲା। ମାତ୍ର ୪୯ ବର୍ଷ ବୟସରେ ଆମଠୁ ଦୂରେଇଗଲା | ସେ ବହୁତ ଖୁସି ମିଜାଜ ସ୍ଵଭାଵର ଥିଲା | ସ୍ୱପ୍ନରେ ପରିପୂର୍ଣ୍ଣ ଥିଲା ତା ଜୀବନ। ଦେଶ ପାଇଁ ଅନେକ ସ୍ବପ୍ନ ସେ ଦେଖିଥିଲା। ଆମେ ଭାବୁଥିଲୁ ଯେ, ଅଗ୍ନିବେଶର ଦୁର୍ଘଟଣା ପରେ ଆମ ଜୀବନରେ ଏହା ସବୁଠାରୁ ଖରାପ ସମୟ ରହିଥିଲା କିନ୍ତୁ ଭାଗ୍ୟର ଅନ୍ୟ ଯୋଜନା ଥିଲା। ହଠାତ୍ ହୃଦଘାତ ଆମ ପୁଅକୁ ଆମଠାରୁ ଛଡ଼ାଇ ନେଇଗଲା।
ସୂଚନା ଅନୁସାରେ, ଆମେରିକାରେ ଏକ ସ୍କିଇଂ ଦୁର୍ଘଟଣାର ଶିକାର ହେବା ପରେ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ନ୍ୟୁୟର୍କର ମାଉଣ୍ଟ ସିନାଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ଏବଂ ଚିକତ୍ସା ପରେ ଧୀରେ ଧୀରେ ସୁସ୍ଥ ହେଉଥିଲେ। କିନ୍ତୁ ହଠାତ୍ ହୃଦଘାତ କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା ଏବଂ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନିଲ ଅଗ୍ରୱାଲ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ଦୁଃଖଦ ଘଟଣାର ଖବର ପୋଷ୍ଟ ଜରିଆରେ ସେୟାର କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ପିତାମାତା ଥିବା ଅବସ୍ଥାରେ ନିଜ ସନ୍ତାନକୁ ବିଦାୟ ଦେବାକୁ ପଡ଼େ ସେ ସମୟ ସବୁଠାରୁ କଷ୍ଟଦାୟକ | ତାହାଠୁ ଆଉ ବଡ ଦୁଃଖ ନାହିଁ | ସେ ସମୟକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଏହି କ୍ଷତି ଆମକୁ ଏତେ ଗଭୀର ଭାବରେ ଭାଙ୍ଗି ଦେଇଛି ଯେ ଆମେ ଏବେ ବି ଘଟଣାକୁ ବୁଝିବାକୁ ଚେଷ୍ଟା କରୁଛୁ | ଯେ ପ୍ରକୃତରେ ଏ ଘଟଣା କଣ ସତ? ଏହା ଏବେ ବି ବିଶ୍ୱାସ ହେଉନାହିଁ |
ମୁଁ ଏପର୍ଯ୍ୟନ୍ତ ଜୁନ୍ ୩, ୧୯୭୬ରେ ପାଟନାରେ ଅଗ୍ନିଙ୍କ ଜନ୍ମ ମନେ ରଖିଛି। ଏକ ମଧ୍ୟବିତ୍ତ ବିହାରୀ ପରିବାରରେ ଜନ୍ମଗ୍ରହଣ କରି, ସେ ସାହସୀ, ଦୟା ଏବଂ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ଜଣେ ବ୍ୟକ୍ତି ଭାବରେ ବଢ଼ିଥିଲେ। ସେ ତାଙ୍କ ମାଆଙ୍କ ଜୀବନର ଆଲୋକ, ଜଣେ ଦାୟିତ୍ୱବାନ ଭାଇ ଏବଂ ଜଣେ ବିଶ୍ୱସ୍ତ ବନ୍ଧୁ ଥିଲେ। ସବୁ ସମ୍ପର୍କରେ ସେ ନିଜର ଦାୟିତ୍ୱ ଭଲ ଭାବେ ତୁଲାଉଥିଲେ |
ଅଗ୍ନିବେଶଙ୍କ ଅନେକ ପ୍ରତିଭା ରହିଥିଲା | ସେ ଜଣେ ଖେଳାଳି, ଜଣେ ସଂଗୀତଜ୍ଞ, ଜଣେ ନେତା, ଭାବରେ ଦକ୍ଷତା ହାସଲ କରିଥିଲେ | ଆଜମେରର ମାୟୋ କଲେଜରେ ସେ ତାଙ୍କର ପାଠ ପଢା ସମ୍ପୂର୍ଣ୍ଣ କରିଥିଲେ, ତା’ପରେ ଫୁଜୈରାହ ଗୋଲ୍ଡ ଭଳି ଏକ ମହାନ କମ୍ପାନୀ ଗଢ଼ିଥିଲେ | ହିନ୍ଦୁସ୍ତାନ ଜିଙ୍କ୍ ର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ | କିନ୍ତୁ ସମସ୍ତ ସଫଳତାର ଶିଖର ଛୁଇଁବା ସତ୍ତ୍ୱେ, ସେ ସର୍ବଦା ସରଳ, ସ୍ନେହପୂର୍ଣ୍ଣ ବ୍ୟକ୍ତିତ୍ୱ ସମ୍ପନ୍ନ ଥିଲେ |
ମୋ ପାଇଁ, ସେ କେବଳ ଏକ ପୁଅ ନଥିଲେ। ସେ ମୋର ବନ୍ଧୁ ଥିଲେ। ମୋର ଗର୍ବ। ମୋର ସମଗ୍ର ବିଶ୍ୱ। ମୁଁ ଦୁଃଖିତ, ତଥାପି ଆମର ଦୁଃଖରେ, ଆମେ ନିଜକୁ ମନେ ପକାଇ ଦେଉଛୁ ଯେ ବେଦାନ୍ତ ସହିତ ଜଡିତ ହଜାର ହଜାର ଯୁବକ ମଧ୍ୟ ଆମର ସନ୍ତାନ। ଅଗ୍ନିବେଶ ଏକ ଆତ୍ମନିର୍ଭରଶୀଳ ଭାରତରେ ଗଭୀର ଭାବରେ ବିଶ୍ୱାସ କରୁଥିଲେ। ସେ ପ୍ରାୟତଃ ସମୟରେ କହୁଥିଲେ, “ପାପା, ଆମ ଦେଶରେ କିଛି ଅଭାବ ନାହିଁ, ତେଣୁ ଆମେ କାହିଁକି ପଛରେ ରହିବା?” ଆମେ ଏକ ସ୍ୱପ୍ନ ଦେଖିଥିଲୁ ଯେ କୌଣସି ପିଲା ଭୋକିଲା ଶୋଇବା ଉଚିତ୍ ନୁହେଁ, କୌଣସି ପିଲା ଶିକ୍ଷାରୁ ବଞ୍ଚିତ ହେବା ଉଚିତ୍ ନୁହେଁ, ପ୍ରତ୍ୟେକ ମହିଳା ନିଜ ଗୋଡ଼ରେ ଠିଆ ହେବା ଉଚିତ୍ ଏବଂ ପ୍ରତ୍ୟେକ ଯୁବକ ଭାରତୀୟଙ୍କୁ ସମ୍ମାନଜନକ କାମ ମିଳିବା ଉଚିତ୍।
ମୁଁ ଅଗ୍ନିଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଆମେ ଏହାକୁ ସାକାର କରିବା ପାଇଁ ଯାହା କରିପାରିବା ତାହା କରିବୁ। ଆମେ ଯାହା ରୋଜଗାର କରୁ, ଆମେ ଏହାର ୭୫%ରୁ ଅଧିକ ସମାଜର ଉନ୍ନତି ପାଇଁ ଦେବୁ। ଆଉ ଆଜି ମୁଁ ସେହି ପ୍ରତିଶ୍ରୁତିକୁ ପୁନର୍ବାର ଦୋହରାଉଛି ଏବଂ ଆହୁରି ସରଳ ଜୀବନ ବଞ୍ଚିବା ପାଇଁ ସଂକଳ୍ପ ନେଉଛି।

