Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣମାଧ୍ୟାମରେ ପ୍ରକାଶ ପରେ ପାଣି ପାଇପ ମରାମତି

ଖଡ଼ିଆଳ : ବୋଡେ଼ନ ବ୍ଲକ ବୁଏରଗାଁ ପଞ୍ଚାୟତର କୁଠିଆପଡା ଗ୍ରାମର କୁର୍ଲୁ ପଡା ଓ ସିହିଁନାପଡା ବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଚେତା ପଶିଛି ପ୍ରଶାସନର। ସିହିଁନାପଡାରେ ଥିବା ନଳକୂପରୁ ହଳଦିଆ ପାଣି ବାହାରୁ ଥିବାରୁ ବ୍ୟବହାର ଉପଯୋଗୀ ନୁହଁ ।ଏହି ପାଣି ପିଇଲେ ଦାନ୍ତ କଳା ହେଉଥିବା ଓ ରାନ୍ଧୁଥିବା ଖାଦ୍ୟ ସ୍ୱାଦହୀନ ଲାଗୁଥିବା ଲୋକେ କହନ୍ତି। ଗାଁର ମହିଳା ମାନେ ଅଧା କିଲୋମିଟର ଯାଆନ୍ତି ପାଣି ଆଣିବା ପାଇଁ। ସେହିପଡାର ଏକ ଜମିରେ ଛୋଟ ଖାଲ କରି ପାଣି ସଂଗ୍ରହ କରିବାକୁ ପଡେ,ପୁଣି ଏକ ପଥର ସନ୍ଧିରୁ ପାଣି ଆଣିଥାନ୍ତି ମହିଳା ମାନେ। ଗୋଟିଏ ମାଠିଆ ପାଣି ପାଇଁ ବହୁତ ସମୟ ଲାଗିଥାଏ। ରାତି ପାହିବା ପୂର୍ବରୁ ମହିଳା ମାନେ ଭିଡ଼ ଜମାଇଥାନ୍ତି। ହିଡ ଦେଇ ପାଣି ଆଣିବାକୁ ଗଲାବେଳେ ବହୁତ ଅସୁବିଧା ହୋଇଥାଏ। ସେହିପରି କୁର୍ଲୁପଡା ବାସୀ ମଧ୍ୟ ପାଣି ପାଇଁ ଏକ ବିଲରେ ଥିବା ଏକ ଛୋଟ ଗାତ ଉପରେ ନିର୍ଭର କରନ୍ତି। ପଡ଼ାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ପଡିଛି। ଗ୍ରାମକୁ ପାଣି ଯୋଗାଣ ପାଇଁ ପାଞ୍ଚ ବର୍ଷ ତଳେ ଗ୍ରାମରେ ଗଭୀର ନଳକୂପ ଖୋଲା ଯାଇଥିଲା ଓ ଟାଙ୍କି ନିର୍ମାଣ କରି ଜଳଯୋଗାଣ କରାଗଲା। ଗତବର୍ଷ ରାସ୍ତାରେ ପାଇପ କଟି ଯିବାରୁ ଏହି ଦୁଇ ପଡା କୁ ପାଣି ଆସୁନାହିଁ।ଫଳରେ ବସ୍ତି ରେ ଜଳ ଯୋଗାଣ ସ୍ୱାଭାବିକ ଥିବା ବେଳେ ଦୁଇ ପଡାର ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଥିଲେ। ଆଜି ଜଳ ଓ ପରିମଳ ବିଭାଗ ତରଫରୁ କଟି ଯାଇଥିବା ପାଇପକୁ ଯୋଡ଼ାଯାଇଛି ଓ ଜଳ ଯୋଗାଣ ସ୍ୱାଭାବିକ କରାଯାଇଥିବା କହିଛନ୍ତି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରତିକାନ୍ତ ବାଳମୁଚୁ।ଉକ୍ତ ସ୍ଥାନରେ ଗାର୍ଡୱାଲ ନିର୍ମାଣ କରା ନଗଲେ ପୁଣି ଥରେ ଏପରି ସମସ୍ୟା ଦେଖାଦେବ, ଏଣୁ ଏକ ଗାର୍ଡୱାଲ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ